ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାନସଭାରେ ବଜେଟ୍ ଆଲୋଚନା ସମୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ନିଜ ବକ୍ତବ୍ୟରେ ରାଜ୍ୟ ବଜେଟକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କୁ ‘ନେମ୍ ଚେଞ୍ଜର’ ସରକାର ବୋଲି କଟାକ୍ଷ କରିଛନ୍ତି ନବୀନ ପଟ୍ଟନାୟକ।
“ରାଜ୍ୟବାସୀଙ୍କୁ ବିକଶିତ ଓଡ଼ିଶାର ସ୍ଵପ୍ନ ଦେଖାଇ ସରକାର ଗଢ଼ିଥିବା ବିଜେପି ଏହି ବଜେଟରେ ସେମାନଙ୍କ ସହ ବିଶ୍ଵାସଘାତ କରିଛି। ବିଜେଡି ଶାସନ ସମୟରେ କାର୍ଯ୍ୟକାରୀ ହୋଇଥିବା ୮୦ ପ୍ରତିଶତ ଯୋଜନାକୁ ଆପଣାଇଛନ୍ତି ବିଜେପି ସରକାର। ହେଲେ ପ୍ରାୟ ୪୫ଟି ଯୋଜନାର ନାଁ ପରିବର୍ତ୍ତନ କରାଯାଇଛି।”
ସେ ଆହୁରି ମଧ୍ୟ କହିଛନ୍ତି, “ବିଜେପି କିଛି ନୂଆ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ଏଥିପାଇଁ ବଜେଟରେ ବହୁତ କମ ଅର୍ଥ ବ୍ୟୟବରାଦ କରାଯାଇଛି। ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବ। ରାଜ୍ୟରେ ୨ କୋଟିରୁ ଅଧିକ ମହିଳା ଥିବାରୁ ଏଥିପାଇଁ ୧ ଲକ୍ଷ କୋଟି ଟଙ୍କା ଦରକାର। ହେଲେ ବଜେଟରେ ମାତ୍ର ୧୦ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ରଖାଯିବ। କିନ୍ତୁ ବଜେଟରେ ଅର୍ଥ ଆବଣ୍ଟନରୁ ଜଣାପଡ଼ୁଛି ଏହା ରାଜ୍ୟର ୩୦ ପ୍ରତିଶତ ଚାଷୀଙ୍କ ପାଇଁ ମଧ୍ୟ ଯଥେଷ୍ଟ ହେବ ନାହିଁ। ରାଜ୍ୟବାସୀଙ୍କୁ ମାଗଣା ବିଜୁଳି ମଧ୍ୟ ଦିଆଗଲା ନାହିଁ।”
ରାଜ୍ୟ ବଜେଟକୁ ବିଜେପି ଗେମ୍ ଚେଞ୍ଜର କହୁଥିବାବେଳେ ଏହା କେବଳ ନେମ ଚେଞ୍ଜର ବୋଲି କଟାକ୍ଷ କରିଥିଲେ ନବୀନ ପଟ୍ଟନାୟକ। ବିଜେପି ନିର୍ବାଚନ ସମୟରେ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ସବୁ ମିଥ୍ୟା ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି।
Tags: #StateBudget2024 #NaveenPatnaik #OdishaAssembly #GovtofOdisha