ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ୟାରିସ ଅଲିମ୍ପିକ୍ସରେ ମଙ୍ଗଳବାର ଭାରତକୁ ମିଳିଲା ଦ୍ଵିତୀୟ ପଦକ। ସୁଟିଂର ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍ ଇଭେଣ୍ଟରେ ଭାରତୀୟ ସୁଟର ମନୁ ଭାକର ଓ ସରବଜୋତ ସିଂହଙ୍କ ଯୋଡ଼ି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଚଳିତ ଅଲିମ୍ପିକ୍ସରେ ଏହା ମନୁ ଭାକରଙ୍କ ଦ୍ଵିତୀୟ ବ୍ରୋଞ୍ଜ ପଦକ। ଭାରତ ସ୍ଵାଧୀନ ହେବା ପରେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ହାସଲ କରି ସେ ଇତିହାସ ରଚିଛନ୍ତି।

୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଇଭେଣ୍ଟର ବ୍ରୋଞ୍ଜ ମେଡାଲ ପାଇଁ ମ୍ୟାଚରେ ମନୁ ଭାକର ଓ ସରବଜୋତ ସିଂହଙ୍କ ଯୋଡ଼ି ଦକ୍ଷିଣ କୋରିଆର ୱୋନହୋ ଲି ଏବଂ ୟେ ଜିନ ଓଙ୍କ ଯୋଡ଼ି ସହ ପ୍ରତିଦ୍ଵନ୍ଦ୍ଵିତା କରିଥିଲେ। ଏଥିରେ ଭାରତ ୧୬-୧୦ ସ୍କୋରରେ ଦକ୍ଷିଣ କୋରିଆକୁ ହରାଇଥିଲା।

ଚଳିତ ଅଲିମ୍ପିକ୍ସରେ ୨୨ ବର୍ଷୀୟ ମନୁ ଭାକର ଏହାପୂର୍ବରୁ ୧୦ ମିଟର ଏୟାର ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏବେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ପଦକ ହାସଲ କରିବାରେ ଭାରତର ପ୍ରଥମ ମହିଳା ବନିଛନ୍ତି ମନୁ।  

ମନୁ ଭାକରଙ୍କ ଏହି ପଦକ ଭାରତୀୟ କ୍ରୀଡ଼ା ପ୍ରେମୀଙ୍କୁ ଅନେକ ଉତ୍ସାହିତ କରିଛି। ଚଳିତ ଅଲିମ୍ପିକରେ ଆଗକୁ ଥିବା ୨୫ ମିଟର ରାପିଡ ଫାୟାର ପିସ୍ତଲ ଇଭେଣ୍ଟରେ ମଧ୍ୟ ସେ ତୃତୀୟ ପଦକ ଜିତିବେ ବୋଲି ସମସ୍ତେ ଆଶା ରଖିଛନ୍ତି।

ଏହାପୂର୍ବରୁ ୧୯୦୦ ମସିହା ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ଵ କରିଥିବା ନର୍ମାନ ପିଚାର୍ଡ ଆଥଲେଟିକ୍ସରେ ଦୁଇଟି ରୌପ୍ୟ ପଦକ ପାଇଥିଲେ।     

Tags: #ParisOlympics #Shooting #ManuBhaker #SarabjotSingh #BronzeMedal #TeamIndia #Sports

LEAVE A REPLY

Please enter your comment!
Please enter your name here