ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ରାଜ୍ୟରେ ଜାରି ରହିଥିବା ବର୍ଷା ଯୋଗୁଁ ବଢ଼ିବାରେ ଲାଗିଛି ମହାନଦୀର ଜଳସ୍ତର। ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ହୀରାକୁଦ ଡ୍ୟାମରୁ ଛଡ଼ାଯାଇଥିବାରୁ ମହାନଦୀର ଜଳସ୍ତର ଧୀରେ ଧୀରେ ବଢ଼ିବାକୁ ଲାଗିଛି। ଏ ପଟେ ବୌଦ୍ଧ ଜିଲ୍ଲାରେ ମହାନଦୀର ଜଳସ୍ତର ବିପଦ ସଙ୍କେତ ଛୁଇଁଥିବାରୁ ନଦୀକୂଳ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ମହାନଦୀର ଜଳସ୍ତର ବଢ଼ୁଥିବାରୁ ବୌଦ୍ଧ ଓ ହରଭଙ୍ଗା ବ୍ଲକର ପ୍ରାୟ ୫୦ ଖଣ୍ଡ ନଦୀକୂଳିଆ ଗାଁର ଲୋକେ ଚିନ୍ତାରେ ଅଛନ୍ତି। ମହାନଦୀରେ ବନ୍ୟା ଆସିଲେ ତଳ ମୁଣ୍ଡରେ ଥିବା ମାରଡ଼ା, କୁତୁରୀ, ଖଣ୍ଡିଧଳପୁର, ଅତଳସାରା, କୁଡ଼ସିଙ୍ଗା, ତେନ୍ତୁଳିପଦର ,ସକୁସିଙ୍ଗା, ପାଣିଘରା, ଝରାସହି, କୁମାରୀ, କୁସଙ୍ଗ, ହରଭଙ୍ଗା ଭଳି ୪୦ରୁ ଅଧିକ ଗାଁ ପ୍ରଭାବିତ ହୋଇଥାଏ।

ଜଗନ୍ନାଥ ସଡକ ଉପରେ ବନ୍ୟା ଜଳ ୩ରୁ ୪ ଫୁଟ ପ୍ରବାହିତ ହେବା ଫଳରେ ବାହ୍ୟ ଜଗତରୁ ନଦୀକୂଳିଆ ଗାଁଗୁଡ଼ିକକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବନ୍ୟାଜଳ ପାଇଁ ଘରଦ୍ଵାର ଭାଙ୍ଗିବା ସହ ଫସଲ ନଷ୍ଟ ହେବାର ଭୟ ଏବେ ଗ୍ରାମବାସୀଙ୍କୁ ଘରିଛି।

ଏପଟେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ବୌଦ୍ଧ ଜିଲ୍ଲା ପ୍ରଶାସନ। ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗ ସହ ବୈଠକ ସରିଛି। ଡାକବାଜି ଯନ୍ତ୍ର ଦ୍ଵାରା ବନ୍ୟା ପ୍ରଭାବିତ ପ୍ରବଣ ଗାଁଗୁଡ଼ିକରେ ସଚେତନ କରାଯିବା ସହ ଲୋକଙ୍କୁ ଉଚ୍ଚ ସ୍ଥାନ ଓ ବନ୍ୟା ଆଶ୍ରୟ ସ୍ଥଳକୁ ଯିବା ପାଇଁ କୁହାଯାଉଛି। ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗର ମୋବାଇଲ ଟିମ ଗାଁକୁ ଗାଁ ଯାଇ ଗ୍ରାମବାସୀଙ୍କୁ ସଚେତନ କରିବା ସହ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରି ଔଷଧ ଯୋଗାଉଛନ୍ତି।  

ଗର୍ଭବତୀ ମହିଳା, ଛୋଟ ଶିଶୁ ଓ ମା’ମାନଙ୍କୁ ବନ୍ୟା ଆଶ୍ରୟସ୍ଥଳ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ମା’ଗୃହକୁ ଯିବା ଲାଗି ପରାମର୍ଶ ଦିଆଯାଇଛି। ଏହି ସମୟରେ କୌଣସି ବ୍ୟକ୍ତିଙ୍କୁ ସାପ କାମୁଡ଼ିଲେ ତୁରନ୍ତ ଡାକ୍ତରଖାନାକୁ ଯିବାକୁ କୁହାଯାଇଛି। ଗୃହ ପାଳିତ ପଶୁମାନଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି।  

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଓଡ୍ରାଫ, ଅଗ୍ନିଶମ ବାହିନୀ ଓ ଜିଲ୍ଲାର ସମସ୍ତ କର୍ମଚାରୀ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି। ଏହା ସହ ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ, ଚାଉଳ ଡାଲି ଓ ପଲିଥିନ ମହଜୁଦ ରଖାଯାଇଥିବା ହରଭଙ୍ଗା ବିଡିଓ ସରତ କୁମାର ସେଠୀ କହିଛନ୍ତି।

Tags: #Boudh #MahanadiRiver #RisingWaterLevel #Flood

LEAVE A REPLY

Please enter your comment!
Please enter your name here