ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆ ଭାରରେ ବୁହା ହୋଇ ଡାକ୍ତରଖାନା ଯିବା ବାଟରେ ପ୍ରାଣ ହରାଇଲେ ରୋଗୀ। ଏହିଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଣୀସାହି ଗାଁରେ। ମୃତକ ହେଉଛନ୍ତି ୮୫ ବର୍ଷୀୟା ବୃଦ୍ଧା ଇନ୍ଦୁମତୀ ନାୟକ।

ରାଣୀସାହି ଗାଁର ଦୁର୍ଯ୍ୟୋଧନ ନାୟକଙ୍କ ମା’ ଇନ୍ଦୁମତୀ ନାୟକଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ସୋମବାର ଦିନ ଆମ୍ବୁଲାନ୍ସକୁ କଲ୍ କରିଥିଲେ। ତେବେ ରାଣୀସାହି ଗାଁକୁ ଯାତାୟତ ପାଇଁ ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ଗାଁଠାରୁ କିଛି କିଲୋମିଟର ଦୂରରେ ଅପେକ୍ଷା କରିଥିଲା।

ଇନ୍ଦୁମତୀ ନାୟକଙ୍କୁ ଖଟିଆ ଭାରରେ ଧରି ଆମ୍ବୁଲାନ୍ସ ପାଖକୁ ନେବା ପୂର୍ବରୁ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଫଳରେ ପରିବାର ଲୋକେ ଇନ୍ଦୁମତୀଙ୍କ ମୃତଦେହକୁ ଗାଁକୁ ଫେରାଇ ଆଣିଥିଲେ।

ଗାଁକୁ ପକ୍କା ରାସ୍ତାଟି ନଥିବାରୁ ଇନ୍ଦୁମତୀ ଆଜି ଡାକ୍ତରଖାନାରେ ପହଞ୍ଚିନପାରି ପ୍ରାଣ ହରାଇଲେ ବୋଲି ଅଭିଯୋଗ କରିଛନ୍ତି ରାଣୀସାହି ଗ୍ରାମବାସୀ। ଗ୍ରାମବାସୀ କହିଛନ୍ତି, ଦୀର୍ଘ ବର୍ଷ ହେଲା ଗାଁକୁ ପକ୍କା ରସ୍ତା ନିର୍ମାଣ କରିବା ଲାଗି ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଦାବି ହୋଇଆସୁଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏ ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। କେବଳ ଇନ୍ଦୁମତୀ ନୁହଁନ୍ତି, ରାସ୍ତା ଅଭାବରୁ ପୂର୍ବରୁ ଗାଁରେ ଏଭଳି ଅନେକ ଅଭାବନୀୟ ଘଟଣା ଘଟିଛି ବୋଲି ଗ୍ରାମବାସୀ କହିଛନ୍ତି।

ତୁରନ୍ତ ରାଣୀସାହି ଗ୍ରାମକୁ ପକ୍କା ରାସ୍ତାଟିଏ ନିର୍ମାଣ କରିବା ଲାଗି ଗ୍ରାମବାସୀ ଦାବି କରିଛନ୍ତି।

Tags: #Boudh #OldLadyDied #UnavailabilityofAmbulance #Odisha

LEAVE A REPLY

Please enter your comment!
Please enter your name here