ଓଡ଼ିଶାଲାଇଭ୍ ବ୍ୟୁରୋ
ବାଂଲାଦେଶରେ ଜାରି ରହିଥିବା ହିଂସା ଉଗ୍ର ରୂପ ଧାରଣ କରିଛି। ନିଯୁକ୍ତିରେ ସଂରକ୍ଷଣ ବିରୋଧରେ ଆରମ୍ଭ ହୋଇଥିବା ଛାତ୍ରଛାତ୍ରୀଙ୍କ ଆନ୍ଦୋଳନରେ ଏ ଯାଏଁ ୩୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଏଭଳି ପରିସ୍ଥିତି ମଧ୍ୟରେ ସୋମବାର ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ଦେଶ ଛାଡ଼ି ଭାରତ ଆସୁଥିବା ନେଇ ଚର୍ଚ୍ଚା ହେଉଛି।
ରବିବାର ହିଂସା ମଧ୍ୟରେ ଅନେକ ବିକ୍ଷୋଭକାରୀ ବାଂଲାଦେଶର ପ୍ରଧାନମନ୍ତ୍ରୀ ଆବାସରେ ପ୍ରବେଶ କରିଥିଲେ। ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବିରେ ବିକ୍ଷୋଭକାରୀ ଓ ଏବଂ ଶାସକ ଦଳର ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଉପୁଜିଥିଲା। ଏଥିରେ ଅନେକ ଲୋକ ପ୍ରାଣ ହରାଇବା ସହ ଶତାଧିକ ଲୋକ ଆହତ ହୋଇଥିଲେ।
ଏହାପରେ ବାଂଲାଦେଶ ସେନା ଶେଖ୍ ହସିନାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଅଲ୍ଟିମେଟମ ଦେଇଥିଲା। ସୋମବାର ଶେଖ୍ ହସିନା ଇସ୍ତଫା ଦେବାପରେ ସେ ଓ ତାଙ୍କ ଭଉଣୀ ଶେଖ ରିହାନା ସେନାର ଏକ ହେଲିକପ୍ଟରରେ ଦେଶ ଛାଡ଼ିଥିବା ସୂଚନା ମିଳିଛି। ସେ ଭାରତ ଆସୁଥିବା ନେଇ ଚର୍ଚ୍ଚା ହେଉଛି।
ଶେଖ୍ ହସିନାଙ୍କ ଇସ୍ତଫା ପରେ ଏବେ ବାଂଲାଦେଶରେ ସେନା ଅନ୍ତରୀଣ ସରକାର ଗଠନ କରିବ। ଏନେଇ ସେନା ସବୁ ରାଜନୈତିକ ଦଳଙ୍କ ସହ ସମନ୍ଵୟ ରକ୍ଷା କରିବା ସହ ହିଂସାକୁ ରୋକିବା ପାଇଁ ପଦକ୍ଷେପ ନେବ। ଏନେଇ ବାଂଲାଦେଶ ସେନାର ମୁଖ୍ୟ ଜେନେରାଲ ବକାର-ଉଜ-ଜମାନ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି।
ବାଂଲାଦେଶର ସରକାର ଗତ ମାସରେ ନିଯୁକ୍ତିରେ ସଂରକ୍ଷଣ ପାଇଁ ନୂଆ ନିୟମ ଲାଗୁ କରିଥିଲେ। ଏହାକୁ ନେଇ ଦେଶବ୍ୟାପି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଆରମ୍ଭ ହୋଇଥିଲା। ପରେ ଏହା ଉଗ୍ର ରୂପ ଧାରଣ କରିଥିଲା। ଆନ୍ଦୋଳନକୁ ଦେଖି ବାଂଲାଦେଶ ସରକାର ନିଜ ଅଧ୍ୟାଦେଶକୁ ଫେରାଇ ନେଇଥିଲେ। ଏହାପରେ ମଧ୍ୟ ହିଂସା ଥମି ନଥିଲା। ସଂରକ୍ଷଣର ସପକ୍ଷବାଦୀ ଓ ବିପକ୍ଷରେ ଥିବା ଲୋକଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଥିଲା।
ସଂରକ୍ଷଣ ବିରୋଧୀ ଆନ୍ଦୋଳନ ଯୋଗୁଁ ଜାରି ରହିଥିବା ହିଂସା ପାଇଁ ରବିବାରରୁ ବାଂଲାଦେଶରେ ଅନିଶ୍ଚିତ କାଳ ଯାଏଁ କର୍ଫ୍ୟୁ ଲାଗୁ ହୋଇଛି। ଦେଶରେ ବ୍ୟାପିଥିବା ହିଂସା କାରଣରୁ ସ୍କୁଲ ଓ କଲେଜଗୁଡ଼ିକୁ ମଧ୍ୟ ବନ୍ଦ ରଖାଯାଇଛି। ଏହାସହ ଦେଶବ୍ୟାପି ଇଣ୍ଟରନେଟ୍ ବନ୍ଦ କରିଦିଆଯାଇଛି।
Tags: #BangladeshViolence #SeikhHasina #PrimeMinister #Bangladesh