ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ୟାରିସ ଅଲିମ୍ପିକ୍ସରେ ମଙ୍ଗଳବାର ଜାଭେଲିନ ଥ୍ରୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ ଭାରତ ପକ୍ଷରୁ ନୀରଜ ଚୋପ୍ରାଙ୍କ ସହ ମଇଦାନକୁ ଓହ୍ଲାଇଥିଲେ ଓଡ଼ିଆ ପୁଅ କିଶୋର ଜେନା। ଏହି ଜାଭେଲିନ ଥ୍ରୋ ଯୋଗ୍ୟତା ପର୍ଯ୍ୟାୟରୁ ନୀରଜ ଫାଇନାଲକୁ ଯାଇଛନ୍ତି, ହେଲେ କିଶୋର ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିବାକୁ ବିଫଳ ହୋଇଛନ୍ତି।
କିଶୋର ଜେନା ଜାଭେଲିନ ଥ୍ରୋ ଯୋଗ୍ୟତା ପର୍ଯ୍ୟାୟରେ ଗ୍ରୁପ ‘ଏ’ରେ ରହିଥିଲେ। ଏହି ଇଭେଣ୍ଟରେ ସେ ନିଜର ୩ଟି ଥ୍ରୋରେ ସର୍ବାଧିକ ୮୦.୭୩ ମିଟର ଜାଭେଲିନ ଫିଙ୍ଗିଥିଲେ। ଫାଇନାଲକୁ ଯୋଗ୍ୟତା ପାଇଁ ୮୪ ମିଟରର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଏହାକୁ ପୂରଣ କରିବାରେ ବିଫଳ ହୋଇଥିଲେ କିଶୋର। ଏହାସହ ସେ ନିଜ ଗ୍ରୁପରେ ନବମ ସ୍ଥାନରେ ରହିଥିଲେ।
ଅନ୍ୟପଟେ ଭାରତର ଗୋଲ୍ଡେନ ବୟ ନୀରଜ ଚୋପ୍ରା ଜାଭେଲିନ ଥ୍ରୋ ଯୋଗ୍ୟତା ପର୍ଯ୍ୟାୟରେ ଗ୍ରୁପ ‘ବି’ରେ ରହିଥିଲେ। ସେ ନିଜର ପ୍ରଥମ ଚେଷ୍ଟାରେ ହିଁ ୮୯.୩୪ ମିଟର ଜାଭେଲିନ ଫିଙ୍ଗି ଫାଇନାଲକୁ ପ୍ରବେଶ କରିଛନ୍ତି। ଉଭୟ ଗ୍ରୁପକୁ ମିଶାଇଲେ ନୀରଜ ଯୋଗ୍ୟତା ପର୍ଯ୍ୟାୟରେ ପ୍ରଥମ ସ୍ଥାନରେ ରହିଛନ୍ତି। ଅଗଷ୍ଟ ୮ ତାରିଖରେ ସେ ଫାଇନାଲ ଖେଳିବେ।
ଅମିତ ରୋହିଦାସଙ୍କ ପରେ ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଖେଳୁଥିବା ଦ୍ୱିତୀୟ ଓଡ଼ିଆ ହେଉଛନ୍ତ କିଶୋର ଜେନା। ସେ ଅଲିମ୍ପିକ୍ସ ଜାଭଲିନ ଥ୍ରୋରେ ଅଂଶଗ୍ରହଣ କରିବାରେ ଓଡ଼ିଶାର ପ୍ରଥମ ଖେଳାଳି ଭାବେ ଗୌରବ ଅର୍ଜନ କରିଛନ୍ତି। ସେ ଚଳିତ ଅଲିମ୍ପିକ୍ସରେ ଭଲ କରିବେ ବୋଲି ସମସ୍ତେ ଆଶା କରିଥିଲାବେଳେ ତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି।
Tags: #ParisOlympics #JavelinThrow #NirajChopra #KishoreJena #India

















