ଓଡ଼ିଶାଲାଇଭ୍ ବ୍ୟୁରୋ                                    

(ବୌଦ୍ଧରୁ ଦେବବ୍ରତ ଦାଶ): ମହାନଦୀ ବାଲି ଉପରେ ପଡ଼ିଛି ମାଫିଆଙ୍କର ଲୋଲୁପ ଦୃଷ୍ଟି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଧଳପୁର ପଞ୍ଚାୟତରେ ଚାଲିଛି ବେଆଇ ବାଲି ଚାଲାଣ। ମହାନଦୀ କୂଳେ କୂଳେ ଗଢ଼ି ଉଠୁଛି ଅନେକ ବେଆଇନ ବାଲି ଡିପୋ।

ବୌଦ୍ଧ ଜିଲ୍ଲା ଦେଇ ୧୦୦ରୁ ଊର୍ଦ୍ଧ୍ଵ କିଲୋମିଟର ମାନମୁଣ୍ଡାଠାରୁ ଅତଲସରା ପର୍ଯ୍ୟନ୍ତ ମହାନଦୀ ପ୍ରବାହିତ ହେଉଛି। ମହାନଦୀ ଘାଟରୁ ରାଜସ୍ୱ ପାଇଁ ସରକାର ବାଲି ଉତ୍ତୋଳନ କରିବା ପାଇଁ ଲିଜଧାରୀମାନଙ୍କୁ ଅନୁମତି ପ୍ରଦାନ କରିଛନ୍ତି। କିନ୍ତୁ ଏବେ କିଛି ବାଲିମାଫିଆ ଓ ଲିଜଧାରୀ ଚତୁରତାର ସହ ନୂତନ ପନ୍ଥା ଆପଣେଇଛନ୍ତି। ସାଧାରଣତଃ ବର୍ଷା ଦିନରେ ମହାନଦୀରୁ ବାଲି ଉତ୍ତୋଳନ କରିବା ସମ୍ଭବପର ହେଉନଥିବା ବେଳେ ଦର ମଧ୍ୟ ଅଧିକା ରହିଥାଏ। ତେଣୁ ବାଲି ମାଫିଆମାନେ ମହାନଦୀରେ ଜଳସ୍ତର କମିବା ସମୟରେ ବାଲିଘାଟରୁ ନିୟମଠାରୁ ଅଧିକ ଟ୍ରିପ ବାଲି ଜେସିବି ସାହାଯ୍ୟ ଉତ୍ତୋଳନ କରିଥାନ୍ତି।

ପରେ ନଦୀକୂଳ କିମ୍ବା କୌଣସି ଗାଁ ମୁଣ୍ଡରେ ଥିବା ଏକ ସରକାରୀ ଜମିରେ ବେଆଇନ ଭାବେ ପାହାଡ଼ ପରି ଟ୍ରିପ ଟ୍ରିପ ବାଲି ଡିପୋ କରି ଗଦେଇ ରଖିଥାନ୍ତି। ପରେ ବର୍ଷାଦିନ ଆସିଲେ ବାଲିକୁ ଚଢ଼ାଦରରେ ବିକ୍ରି କରିଥାନ୍ତି। ଏଭଳି ଦୃଶ୍ୟ ଏବେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ଧଳପୁର ପଞ୍ଚାୟତ ସକୁସିଙ୍ଗା ଗ୍ରାମରେ ଦେଖିବାକୁ ମିଳିଛି। ଗାଁ ମୁଣ୍ଡର ଏକ ସରକାରୀ ଜମିରେ ପାହାଡ଼ ଭଳି ବାଲି ଗଦା ହୋଇରହିଥିବା ଦେଖିବାକୁ ମିଳୁଛି।

ବାଲି ଗଦା ହେବା ଯୋଗୁଁ ଗାଁର ଚାଷ ଜମିକୁ ପାଣି ମଡ଼ାଇବାକୁ ଚାଷୀଙ୍କ ଅସୁବିଧା ହେଉଥିବା ଅଭିଯୋଗ ହେଉଛି। ବର୍ଷ ବର୍ଷ ଧରି ସକୁସିଙ୍ଗା ଗାଁ ମୁଣ୍ଡରେ ଏହି ପାହାଡ଼ ଭଳି ବାଲି ଗଦା ହୋଇ ରହୁଛି। ହରଭଙ୍ଗା ଅଞ୍ଚଳରେ ଗଢ଼ି ଉଠିଥିବା ବେଆଇନ ବାଲି ଡିପୋ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଉନଥିବାରୁ  ବେଧଡ଼କ ଚାଲିଛି ବେଆଇନ ବାଲି ଚାଲାଣ। ଫଳରେ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉ ଥିବା ଅଭିଯାଗ ହେଉଛି।

ପୂର୍ବ ବର୍ଷ ବେଆଇନ ବାଲି ଡିପୋକୁ ନେଇ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ସ୍ଥାନରେ ନାଲି ପତାକା ପୋତି ବାଲି ବିକ୍ରି ଉପରେ ରୋକ ଲଗାଇବା ସହ ଜୋରିମାନା ଆଦାୟ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରଶାସନ ନିୟମକୁ ଖାତିରି ନକରି ବାଲି ମାଫିଆ ରାତି ଅଧିଆ ବାଲି ଚୋରା ଚାଲାଣ ଜାରି ରଖିଥିବା ଗ୍ରାମବାସୀ କହିଛନ୍ତି।

ଏନେଇ ବୌଦ୍ଧ ଜିଲ୍ଲା ଲଘୁଖଣିଜ ଅଧିକାରୀ ମନୋହର ମହନ୍ତଙ୍କୁ ପଚାରିବାରୁ ଏ ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ ବୋଲି କହିଛନ୍ତି। ଏ ନେଇ ଅଭିଯୋଗ ଆସିବା ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।  

Tags: #IllegalSandDepo #Boudh #Harabhanga #Mahanadi #Odisha

LEAVE A REPLY

Please enter your comment!
Please enter your name here