ଆଶିଷ କୁମାର ରାୟ
ଅଲିମ୍ପିକ୍ସରେ ପଦକ ଜିତିବା ଯେ କେତେ ଗର୍ବର ବିଷୟ ଆମ ହକି ଦଳର ସଦସ୍ୟମାନଙ୍କୁ ପଚାରିଲେ ସେମାନେ କହିପାରିବେ। ୨୦୨୧ର ଟୋକିଓ ଏବଂ ୨୦୨୪ର ପ୍ୟାରିସ – ଏହି ଦୁଇଟି ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଗଳାରେ ଧାରଣ କରିବାର ସୌଭାଗ୍ୟ ଲାଭ କରିବା ଯେ କିଛି କମ ସଫଳତା ନୁହେଁ; ଏହା ଯେ କେହି ସ୍ୱୀକାର କରିବେ।
ପ୍ୟାରିସ ଅଲିମ୍ପିକ୍ସରେ ଗ୍ରେଟ୍ ବ୍ରିଟେନ ବିପକ୍ଷରେ କ୍ୱାର୍ଟର ଫାଇନାଲ ମ୍ୟାଚରେ ଯାହା କିଛି ଘଟିଥିଲା, ସେଥିରେ ପଦକ ଆଶା ମଉଳି ଯାଇଥିଲା। ଯାହା ହେଉ ବଡ଼ କଷ୍ଟରେ ସେହି ମ୍ୟାଚକୁ ଜିତିବା ପରେ ସେମି ଫାଇନାଲରେ ଜର୍ମାନୀଠାରୁ ମିଳିଲା ପରାଜୟ। ଏହାପରେ ବ୍ରୋଞ୍ଜ ପଦକ ମୁକାବିଲାରେ ସ୍ପେନ୍ ଦଳ ଶେଷ ପର୍ଯ୍ୟନ୍ତ ଭାରତକୁ ଚାପରେ ରଖି ଦୁଇ ଦୁଇଟି ପେନାଲ୍ଟି କର୍ଣ୍ଣର ପାଇଥିଲେ। ସେହି ପେନାଲ୍ଟି କର୍ଣ୍ଣରକୁ ଚମତ୍କାର ଢଙ୍ଗରେ ବଞ୍ଚାଇବା ପରେ ଯାଇ ଭାରତକୁ ମିଳିଲା ଅଲିମ୍ପିକ୍ସ ପଦକ, ଯାହାକି ଆମପାଇଁ ଥିଲା ଆଶ୍ୱାସନାର ବିଷୟ।
ପ୍ରାରମ୍ଭିକ ଲିଗ୍ ପର୍ଯ୍ୟାୟରେ ଦ୍ୱିତୀୟ ସ୍ଥାନ
ପ୍ୟାରିସ ଅଲିମ୍ପିକ୍ସ ହକିରେ ଭାରତ ସାମିଲ ଥିଲା ଗ୍ରୁପ୍– ‘ବି’ରେ। ପ୍ରଥମରୁ ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ଦଳର ପ୍ରଦର୍ଶନ ସାଧାରଣ ସ୍ତରର ମନେ ହେଉଥିଲା। ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭାରତ ହରାଇଥିଲା ୩-୨ ଗୋଲରେ। ଏହି ମ୍ୟାଚରେ ମନଦୀପ ସିଂହ, ବିବେକ ସାଗର ପ୍ରସାଦ ଗୋଲ ଦେଇଥିଲେ ହେଁ ନ୍ୟୁଜିଲାଣ୍ଡ ୨-୨ରେ ସମାନ ସ୍ତରକୁ ଚାଲି ଆସିଥିଲା। ତେବେ ଅନ୍ତିମ ମିନିଟରେରେ ହରମନପ୍ରୀତ ସିଂହ ପେନାଲ୍ଟି କର୍ଣ୍ଣରରୁ ଗୋଲ କରିବା ଯୋଗୁଁ ଭାରତ ବିଜୟୀ ହୋଇଥିଲା।
ଏହାପରେ ଆର୍ଜେଣ୍ଟିନା ସହିତ ଦ୍ୱିତୀୟ ମ୍ୟାଚରେ ମଧ୍ୟ ହରମନପ୍ରୀତ ସିଂହ ସମାନ ଢଙ୍ଗରେ ଶେଷ ମୁହୂର୍ତ୍ତରେ ଗୋଲ କରିବାରୁ ଭାରତ ଏହାକୁ ୧-୧ ଗୋଲରେ ଅମୀମାଂସିତ ରଖିବା ଦିଗରେ ସମର୍ଥ ହେଲା, ଅନ୍ୟଥା ଆର୍ଜେଣ୍ଟିନା ସହିତ ପରାଜିତ ହେବା ମଧ୍ୟ ଅସମ୍ଭବ ନଥିଲା। ତୃତୀୟ ମ୍ୟାଚରେ ଆୟାର୍ଲାଣ୍ଡ ବିରୁଦ୍ଧରେ ୨-୦ରେ ବିଜୟରେ ହରମନପ୍ରୀତ ହିଁ ସ୍କୋର କରିଥିଲେ ଦୁଇଟିଯାକ ଗୋଲ।
ଲିଗ୍ ପର୍ଯ୍ୟାୟର ଚତୁର୍ଥ ମ୍ୟାଚରେ ଭାରତ ପରାଜିତ ହେଲା ଗତ ଅଲିମ୍ପିକ୍ସର ବିଜେତା ବେଲଜିୟମଠାରୁ। ଭାରତ ପାଇଁ ଅଭିଷେକ ନୈନ ଏକ ଫିଲ୍ଡ ଗୋଲ ଦେଇ ଅଗ୍ରଣୀ ଲାଭ କରିଥିଲେ ହେଁ ତୃତୀୟ କ୍ୱାର୍ଟରରେ ବେଲଜିୟମ ଦୁଇଟି ଗୋଲ ଦେବାରୁ ଭାରତ ୧-୨ରେ ପରାସ୍ତ ହେଲା।
ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ଖେଳ
ବେଲଜିୟମ ସହିତ ପ୍ରବଳ ସଂଘର୍ଷ କରି ପରାଜିତ ହେବା ପରେ ଭାରତର ଅନ୍ତିମ ଲିଗ୍ ମ୍ୟାଚଟି ଥିଲା ଅଷ୍ଟ୍ରେଲିଆ ସହିତ। ୨୦୨୧ର ଟୋକିଓ ଅଲିମ୍ପିକ୍ସ ସେମିଫାଇନାଲରେ ଭାରତ ଏହି ଦଳଠାରୁ ପରାଜିତ ହୋଇଥିଲା ୭-୧ ଗୋଲରେ। କେବଳ ଗତ ଟୋକିଓ ଅଲିମ୍ପିକ୍ସ ନୁହେଁ ବରଂ ୧୯୭୨ର ମ୍ୟୁନିକ ଅଲିମ୍ପିକ୍ସରେ ମିଳିଥିବା ବିଜୟ ପରଠାରୁ ୧୦ଟି ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଗୋଟିଏ ବି ମ୍ୟାଚରେ ବିଜୟୀ ହୋଇନଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୮୦ର ମସ୍କୋ ଅଲିମ୍ପିକକୁ ବାସନ୍ଦ କରିଥିବା ଯୋଗୁଁ ଅଷ୍ଟ୍ରେଲିଆ ଖେଳି ନଥିବା ବେଳେ ୨୦୦୮ର ବେଜିଂ ଅଲିମ୍ପିକ ସକାଶେ ଭାରତ ଯୋଗ୍ୟତା ହାସଲ କରିନଥିଲା।
ଏଥର କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ଦୀର୍ଘ ୫୨ବର୍ଷ ପରେ ଅଲିମ୍ପିକ୍ସର ହକି ମ୍ୟାଚରେ ଭାରତ ବିଜୟୀ ହେବା ଥିଲା ଅତ୍ୟନ୍ତ ଆନନ୍ଦଦାୟକ। ଏହି ମ୍ୟାଚର ପ୍ରଥମ କ୍ୱାର୍ଟରରେ ହିଁ ଅଭିଷେକ ଓ ହରମନପ୍ରୀତଙ୍କ ଗୋଲ ବଳରେ ଭାରତ ୨-୦ରେ ଅଗ୍ରଣୀ ହୋଇଯାଇଥିଲା। ଏହାପରେ ଅଷ୍ଟ୍ରେଲିଆ ଗୋଟିଏ ଗୋଲ ଶୁଝାଇବା ପରେ ହରମନପ୍ରୀତ ଆଉ ଗୋଟିଏ ଗୋଲ ଦେଇ ସ୍କୋରକୁ ୩-୧ କରିଦେଲେ।
ଶେଷ ଆଡ଼କୁ ଅଷ୍ଟ୍ରେଲିଆ ଆଉ ଏକ ଗୋଲ ଦେଇଥିଲେ ହେଁ ଭାରତୀୟ ଦଳର ରକ୍ଷଣ ପଂକ୍ତିର ଚମତ୍କାରିତା ଯୋଗୁଁ ହାର ମାନିବାକୁ ବାଧ୍ୟ ହୋଇଥିଲା। ସମସ୍ତ ମ୍ୟାଚରେ ଗୋଲରକ୍ଷକ ପି ଆର. ଶ୍ରୀଜେଶ ଏବଂ ରକ୍ଷଣ ଭାଗର ଖେଳାଳି ଅମିତ ରୋହିଦାସ ଓ ଜର୍ମନପ୍ରୀତ ସିଂହଙ୍କ ପ୍ରଭାବଶାଳୀ ଖେଳ ଦେଖିବାକୁ ମିଳିଥିଲା। ଏମାନଙ୍କ ଯୋଗୁଁ ଭାରତ ଏକାଧିକ ଗୋଲ ବରଣ କରିବାରୁ ରକ୍ଷା ପାଇଯାଇଥିଲା।
କ୍ୱାର୍ଟର ଫାଇନାଲରେ କଷ୍ଟସାଧ୍ୟ ବିଜୟ
ଭାରତର କ୍ୱାର୍ଟର ପର୍ଯ୍ୟାୟର ମୁକାବିଲା ଥିଲା ଗ୍ରେଟ୍ ବ୍ରିଟେନ ସହିତ। ଏହି ମ୍ୟାଚରେ ଘଟିଥିଲା ଏକ ଅଭାବନୀୟ ଘଟଣା। ପ୍ରଥମ କ୍ୱାର୍ଟରଟି ଛକାପଞ୍ଝା ମଧ୍ୟରେ ଗୋଲଶୂନ୍ୟ ରହିବା ପରେ ଦ୍ୱିତୀୟ କ୍ୱର୍ଟରରେ ଦୁର୍ଭାଗ୍ୟବଶତଃ ଅମିତ ରୋହିଦାସଙ୍କ ଷ୍ଟିକ୍ ଜଣେ ବ୍ରିଟିଶ ଖେଳାଳିଙ୍କ ମୁହଁରେ ବାଜିଗଲା। ଏହି ଭୁଲ୍ ଯୋଗୁଁ ଅମିତଙ୍କୁ ଲାଲ କାର୍ଡ ଦେଖାଇ ପଡ଼ିଆରୁ ବାହାର କରି ଦିଆଗଲା।
ତେବେ ବାସ୍ତବରେ ପରିସ୍ଥିତି ଯାହା ଥିଲା କେବଳ ହଳଦିଆ କାର୍ଡ ଦେଖାଇ ୧୦ ମିନିଟ ପାଇଁ ତାଙ୍କୁ ବାହାର କରିଥିଲେ ସେହି ଦଣ୍ଡ ଯଥେଷ୍ଟ ହୋଇଥାନ୍ତା, କିନ୍ତୁ ଲାଲ କାର୍ଡ ଦିଆଯିବା ଫଳରେ ଭାରତକୁ ମ୍ୟାଚର ବାକି ୪୩ ମିନିଟ ୧୦ଜଣ ଖେଳାଳିଙ୍କ ସହିତ ଖେଳିବାକୁ ପଡ଼ିଲା। ଭାରତୀୟ ଦଳ ପାଇଁ ଏହା ଥିଲା ଏକ ଶକ୍ତ ଧକ୍କା ସଦୃଶ ଏବଂ ମ୍ୟାଚରେ ପରାଜିତ ହେବା ମଧ୍ୟ ଅସମ୍ଭବ ନଥିଲା। ସେହି ଘଡ଼ିସନ୍ଧି ସମୟରେ ଆମ ଖେଳାଳିମାନେ ଧୌର୍ଯ୍ୟହରା ନହୋଇ ସଂଘବଦ୍ଧ ଭାବେ ଯେଭଳି ଖେଳ ଦେଖାଇଲେ, ତାହାର ଯେତେ ପ୍ରଶଂସା କଲେ ମଧ୍ୟ କମ ରହିବ।
ମିଡ୍ଫିଲ୍ଡର ମନପ୍ରୀତ ସିଂହଙ୍କୁ ସଂପୂର୍ଣ୍ଣ ଭାବେ ରକ୍ଷଣ ଭାଗର ଦାୟିତ୍ୱ ଦିଆଗଲା ଏବଂ ସେ ମଧ୍ୟ ନିଜ ଦାୟିତ୍ୱ ଅନ୍ୟ ଖେଳାଳିଙ୍କ ସହିତ ମିଶି ଠିକ୍ ଭାବେ ତୁଲାଇଲେ। ସେହି ଦ୍ୱିତୀୟ କ୍ୱାର୍ଟରରେ ଭାରତ ହରମନପ୍ରୀତଙ୍କ ଜରିଆରେ ଗୋଲ ସ୍କୋର କରିବା ପରେ ବ୍ରିଟେନ୍ କିନ୍ତୁ ଗୋଲ ଶୁଝାଇଦେଲା। ଦ୍ୱିତୀୟାର୍ଦ୍ଧରେ ଆଉ କୌଣସି ଗୋଲ ନ ହେବାରୁ ମ୍ୟାଚ ଗଲା ଟାଇବ୍ରେକର ପେନାଲ୍ଟି ସୁଟ ଆଉଟକୁ। ଏଥିରେ ଦେଖିବାକୁ ମିଳିଲା ଗୋଲରକ୍ଷକ ଶ୍ରୀଜେଶଙ୍କ ଚମତ୍କାରିତା। ଦୁଇଜଣ ବ୍ରିଟିଶ ଖେଳାଳିଙ୍କ ପେନାଲ୍ଟୀକୁ ନିଷ୍ଫଳ କରି ଭାରତକୁ ସେ ବିଜୟୀ କରାଇଲେ ୪-୨ ଗୋଲରେ। ଏହା ଥିଲା ଏକ ଚମକପ୍ରଦ ବିଜୟ।
ଅମିତଙ୍କ ଅନୁପସ୍ଥିତିରେ ସେମି ଫାଇନାଲରେ ପରାଜୟ
ଭାରତର ସେମି ଫାଇନାଲ ମୁକାବିଲା ଥିଲା ୨୦୨୩ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ବିଶ୍ୱକପରେ ବିଜୟୀ ହୋଇଥିବା ଜର୍ମାନୀ ଦଳ ସହିତ। ଗତ ମ୍ୟାଚରେ ରେଡ୍ କାର୍ଡ ପାଇଥିବା ଅମିତ ରୋହିଦାସଙ୍କୁ ଏହି ମ୍ୟଚରୁ ମଧ୍ୟ ବାସନ୍ଦ କରି ଦିଆଯାଇଥିଲା। ତଥାପି ଆମ ଖେଳାଳିମାନେ ଲଢ଼ୁଆ ଖେଳ ପ୍ରଦର୍ଶନ କରିଥିଲେ।
୨୦୨୧ର ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳ ଜର୍ମାନୀ ବିରୁଦ୍ଧରେ ଅବତୀର୍ଣ୍ଣ ହୋଇଥିଲା ବ୍ରୋଞ୍ଜପଦକ ମୁକାବିଲାରେ। ସେହି ମୁକାବିଲାରେ ଜର୍ମାନୀ ଦଳ ଦୁଇ ଦୁଇଥର ଅଗ୍ରଣୀ ନେବା ସତ୍ତ୍ୱେ ଭାରତ ୪-୩ରେ ବିଜୟୀ ହୋଇ ୪୧ବର୍ଷ ପରେ ଅଲିମ୍ପିକ ହକିରେ ପଦକ ଲାଭ କରିଥିଲା। ଏଥର ମଧ୍ୟ ସେହିଭଳି କିଛି ହେବ ବୋଲି ଭାରତୀୟ ଦଳର ସମର୍ଥକମାନେ ଆଶା ରଖିଥିଲେ।
ସେମିଫାଇନାଲର ସପ୍ତମ ମିନିଟରେଭାରତ ହରମନପ୍ରୀତଙ୍କ ଗୋଲ ଦ୍ୱାରା ଅଗ୍ରଣୀ ହୋଇଥିଲେ ହେଁ ଦ୍ୱିତୀୟ କ୍ୱାର୍ଟରରେ ଗୋଞ୍ଜାଲୋ ପେୟାଟ୍ ଏବଂ ଖ୍ରଷ୍ଟୋଫର ରୁର୍ଙ୍କ ଗୋଲ ଫଳରେ ଜର୍ମାନୀ ୨-୧ରେ ଆଗୁଆ ହେଲା। ତୃତୀୟ କ୍ୱାର୍ଟରରେ ସୁଖଜୀତ ସିଂହ ଦର୍ଶନୀୟ ଗୋଲ ଦେଇ ଖେଳକୁ ସମାନ ସ୍ତରକୁ ନେଇ ଆସିଲେ, କିନ୍ତୁ ଖେଳ ସମାପ୍ତ ହେବାର ଛଅ ମିନିଟ୍ ପୂର୍ବରୁ ଜର୍ମାନୀର ମାର୍କୋ ମିଲ୍ଟକାଉଙ୍କ ଗୋଲ ମ୍ୟାଚର ପରିଣାମକୁ ନିର୍ଦ୍ଧାରିତ କରିଦେଲା। ଭଲ ଖେଳ ପ୍ରଦର୍ଶନ କରିବା ସତ୍ତ୍ୱେ ୨-୩ ଗୋଲରେ ପରାଜିତ ହେଲା ଭାରତ। ଅମିତ ରୋହିଦାସ ଖେଳିଥିଲେ ହୁଏତ ପରିସ୍ଥିତି ଭିନ୍ନ ହୋଇଥାନ୍ତା।
ଉତ୍କଣ୍ଠାପୂର୍ଣ୍ଣ ପ୍ଲେ- ଅଫ୍ ମୁକାବିଲା
ଫାଇନାଲକୁ ଯିବାରୁ ବଞ୍ଚିତ ହେବା ପରେ ବ୍ରୋଞ୍ଜ ପଦକ ପାଇଁ ପ୍ଲେ- ଅଫ୍ ମ୍ୟାଚରେ ଭାରତ ମୁହାଁମୁହିଁ ହୋଇଥିଲା ସ୍ପେନ ସହିତ। ଆଶ୍ଚର୍ଯ୍ୟଜନକ ଭାବେ ଲିଗ୍ ପର୍ଯ୍ୟାୟରେ ଜର୍ମାନୀକୁ ୨-୦ରେ ଏବଂ କ୍ୱାର୍ଟର ଫାଇନାଲରେ ବେଲଜିୟମକୁ ୩-୨ରେ ପରାସ୍ତ କରିଥିବା ଆଲଭାରୋ ଇଗ୍ଲେସିୟସ୍ଙ୍କ ନେତୃତ୍ୱାଧୀନ ସ୍ପେନ ଦଳ କୌଣସି ଦୃଷ୍ଟିରୁ କମ ନଥିଲା। ଭାରତ ବିରୁଦ୍ଧରେ ସ୍ପେନର ମାର୍କ ମିରାୟେସ୍ ମଧ୍ୟ ପ୍ରଥମେ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ।
ତେବେ ପେନାଲ୍ଟି କର୍ଣ୍ଣରରୁ ହରମନପ୍ରୀତ ଲାଗ୍ ଲାଗ୍ ଦୁଇଟି ଗୋଲ କରିବା ଫଳରେ ଭାରତ ୨-୧ରେ ଆଗୁଆ ହୋଇଗଲା। ମ୍ୟାଚରେ ଆଉ କୌଣସି ଗୋଲ ନ ହେବାରୁ ଭାରତ ବିଜୟୀ ହୋଇ ବ୍ରୋଞ୍ଜପଦକ ଜିତିନେଲା। ଅନ୍ତିମ ସମୟରେ ଗୋଲକିପରଙ୍କୁ ବାହାର କରିଦେଇ ସ୍ପେନର ଖେଳାଳିମାନେ ଭାରତୀୟ ରକ୍ଷଣଭାଗ ଉପରେ ଯେଭଳି ଚାପ ସୃଷ୍ଟି କରି ଦୁଇ ଦୁଇଟି ପେନାଲ୍ଟି କର୍ଣ୍ଣର ହାସଲ କଲେ ସେଥିରେ ମ୍ୟାଚ ପୁଣି ସମାନ ସ୍ତରକୁ ଚାଲି ଆସିବାର ସମ୍ଭାବନା ସୃଷ୍ଟି ହୋଇଥିଲା। ଶ୍ରୀଜେଶଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦଳ ସେଥିରୁ ରକ୍ଷା ପାଇ ମ୍ୟାଚରେ ବିଜୟୀ ହେଲା।
ଯଦି ଏହି ବ୍ରୋଞ୍ଜପଦକଟି ମିଳିନଥାନ୍ତା, ତେବେ ନିଶ୍ଚିତ ଭାବେ ଭାରତର ଖେଳାଳି ଓ ଏହାର ଅଗଣିତ ସମର୍ଥକଙ୍କ ମନରେ ଅବସୋସ ରହି ଯାଇଥାନ୍ତା। ଏହି ବିଜୟରେ ଗୋଲରକ୍ଷକ ପି ଆର. ଶ୍ରୀଜେଶ ଓ ଅଧିନାୟକ ହରମନପ୍ରୀତ ସିଂହଙ୍କ ଭୂମିକା ଥିଲା ଅତ୍ୟନ୍ତ ପ୍ରଭାବଶାଳୀ। ଶ୍ରୀଜେଶ ସମୁଦାୟ ପ୍ରତିଯୋଗିତାରେ କମ୍ସେ କମ ଦଶଟି ଗୋଲରୁ ଦଳକୁ ରକ୍ଷା କରିବା ସହିତ ବ୍ରିଟେନ୍ ବିପକ୍ଷରେ ପେନାଲ୍ଟି ସୁଟ୍ ଆଉଟରେ ଦେଶକୁ ବିଜୟୀ କରାଇଥିଲେ।
ଅନ୍ୟ ଦିଗରେ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଦେଇଥିବା ମୋଟ ୧୫ଟି ଗୋଲ ମଧ୍ୟରୁ ଏକା ହରମନପ୍ରୀତଙ୍କ ଷ୍ଟିକ୍ରୁ ଆସିଥିଲା ୧୦ଟି ଗୋଲ। ପେନାଲ୍ଟିରୁ ସେ ଦେଇଥିବା ଗୋଲ ଭାରତର ବିଜୟପଥ ସୁଗମ କରିଥିଲା। ଅଭିଷେକ ଦୁଇଟି ଗୋଲ ଦେଇଥିବା ବେଳେ ମନଦୀପ, ବିବେକ ଓ ସୁଖଜିତଙ୍କଠାରୁ ଆସିଥିଲା ଅନ୍ୟ ତିନିଟି ଗୋଲ। ଏହି ବିଜୟ ଥିଲା ଦଳଗତ ପ୍ରଚେଷ୍ଟାର ବିଜୟ। ସମସ୍ତେ ଏକମନ ଏକପ୍ରାଣ ହୋଇ ନିଜ କ୍ରୀଡ଼ା ଜୀବନର ଶେଷ ମ୍ୟାଚ ଖେଳୁଥିବା ପି ଆର. ଶ୍ରୀଜେଶଙ୍କୁ ଦେଇଥିଲେ ବ୍ରୋଞ୍ଜ ପଦକର ଉପହାର।
Tags: #ParisOlympics #Hockey #IndiavsSpain #BronzeMedal #HockeyIndia #Sports