ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି ୭୮ତମ ସ୍ଵାଧୀନତା ଦିବସ। ଏହି ଉପଲକ୍ଷେ ବୁଧବାର ଭୁବନେଶ୍ଵରରେ ‘ଘରେ ଘରେ ତ୍ରିରଙ୍ଗା ଅଭିଯାନ’ ପଦଯାତ୍ରା ଆୟୋଜିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ।

ବୁଧବାର ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରଠାରୁ ମୁକ୍ତେଶ୍ୱର ମନ୍ଦିର ପର୍ଯ୍ୟନ୍ତ ତ୍ରିରଙ୍ଗା ପଦଯାତ୍ରାର ଆୟୋଜନ କରାଯାଇଥିଲା। ଏଥିରେ ରାଜ୍ୟର ମନ୍ତ୍ରୀ, ବିଧାୟକଙ୍କ ସମେତ ଅନେକ ଲୋକ ସାମିଲ ହୋଇଥିଲେ।

“ଜାତୀୟ ପତାକା ଆମ ଦେଶ ତଥା ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ବହୁ ସମ୍ମାନ ଓ ଗୌରବ ବହନ କରିଥାଏ। ଏହା ହେଉଛି ଆମ ଦେଶର ପ୍ରତୀକ। ଆମ ଜାତୀୟ ପତାକାର ତିନି ରଙ୍ଗ ଆମକୁ ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟର ଆଦର୍ଶରେ ଅନୁପ୍ରାଣୀତ କରିଥାଏ। ଏହା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୁକସାକ୍ଷୀ”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସେ ଆହୁରି ମଧ୍ୟ କହିଛନ୍ତି, “ପ୍ରଧାନମନ୍ତ୍ରୀ ୨୦୨୨ରେ ଆରମ୍ଭ କରିଥିବା ଏହି ‘ଘରେ ଘରେ ତ୍ରିରଙ୍ଗା ଅଭିଯାନ’ ଆମ ସମସ୍ତଙ୍କୁ ଦେଶପ୍ରେମରେ ବାନ୍ଧି ରଖିବାକୁ ଉଦ୍‌ବୁଦ୍ଧ କରିଛି। ଆମେ ସମସ୍ତେ ଏକାଠି ହେଲେ, ମିଳିମିଶି କାମ କଲେ ଜୀବନରେ ସଫଳତା ହାସଲ କରିପାରିବା। ଦେଶ ଓ ଜାତିର ଗୌରବ ବୃଦ୍ଧିରେ ନିଜର ଯୋଗଦାନ ଦେଇପାରିବା।”

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ବିଜେପିର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସମେତ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ।

୨୦୨୨ ଅଗଷ୍ଟ ୧୫ ତାରିଖରେ ସ୍ଵାଧୀନତାର ୭୫ତମ ପୂର୍ତ୍ତି ପାଳନ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ଆମ ଜାତୀୟ ପତାକାର ସମ୍ମାନାର୍ଥେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କରାଯାଇଥିଲା।

Tags: #IndependenceDay #HarGharTiranga #CMMohanCharanMajhi #Bhubaneswar #Odisha

LEAVE A REPLY

Please enter your comment!
Please enter your name here