ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ୭୮ତମ ସ୍ବାଧୀନତା ଦିବସ। ଉତ୍ସବମୁଖର ହୋଇଛି ସାରା ଭାରତ। ଗୁରୁବାର ଦିଲ୍ଲୀର ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ସେ ଦେଶବାସୀଙ୍କୁ ସମ୍ବୋଧନ କରିବା ସହ ସ୍ଵାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି।

“ଆମ ଦେଶର ବରପୁତ୍ରମାନଙ୍କର ତ୍ୟାଗ, ସଂଘର୍ଷ ତଥା ବଳିଦାନ ଯୋଗୁଁ ଆଜି ସ୍ୱାଧୀନତାର ନିଶ୍ୱାସ ନେବାକୁ ସୁଯୋଗ ପାଇଛୁ। ସେହି ମହାନ ବ୍ୟକ୍ତିଙ୍କ ପ୍ରତି ଆମେ ଆମର ସମ୍ମାନ ଜଣାଇଥାଉ। ଆଜି ରାଷ୍ଟ୍ର ନିର୍ମାଣ ପାଇଁ ଆମ ଦେଶବାସୀ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ତଥା ପ୍ରତିବଦ୍ଧତାର କାର୍ଯ୍ୟ କରି ଦେଶକୁ ନୂତନ ଉଚ୍ଚତାକୁ ନେବାକୁ ଚେଷ୍ଟା କରୁଛନ୍ତି। ସେମାନେ ଆମର କୃଷକ ହୁଅନ୍ତୁ, ଆମର ସୈନିକ ହୁଅନ୍ତୁ କିମ୍ବା ଆମର ଯୁବବର୍ଗଙ୍କର ସାହସ ହେଉ, ଆମ ମା ଏବଂ ଭଉଣୀ ହୁଅନ୍ତୁ ସେମାନଙ୍କର ଅବଦାନ ଦେଶକୁ ଆଗକୁ ବଢ଼ିବାରେ ସହାୟତା କରୁଛି”, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସେ ଆହୁରି ମଧ୍ୟ କହିଛନ୍ତି, “ସ୍ୱାଧୀନତାର ସେହି ଦିନଗୁଡ଼ିକୁ ଆମେ ମନେ ରଖିବା। ସେ ମହିଳା, ଯୁବକ, ଆଦିବାସୀ ହୁଅନ୍ତୁ, ସେମାନେ ସମସ୍ତେ ଦାସତ୍ୱ ବିରୁଦ୍ଧରେ ଲଢେଇ ଜାରି ରଖିଥିଲେ। ୧୮୫୭ର ସ୍ୱାଧୀନତା ସଂଗ୍ରାମ ପୂର୍ବରୁ ମଧ୍ୟ ଆମର ଅନେକ ଆଦିବାସୀ କ୍ଷେତ୍ର ଥିଲା, ଯେଉଁଠାରେ ସ୍ୱାଧୀନତା ପାଇଁ ଯୁଦ୍ଧ ହୋଇଥିଲା। ସ୍ୱାଧୀନତାର ଯୁଦ୍ଧ ବହୁତ ଲମ୍ବା ଥିଲା। ସ୍ୱାଧୀନତା ପାଇଁ କେବଳ ଗୋଟିଏ ସ୍ୱପ୍ନ ଥିଲା, ବନ୍ଦେ ମାତରମ୍।

“ସେ ଆହୁରି ମଧ୍ୟ କହିଛନ୍ତି, “ଭାରତର ୧୪୦ କୋଟି ନାଗରିକ ନିଷ୍ଠାର ସହିତ ଆଗକୁ ବଢ଼ିଲେ ୨୦୪୭ ସୁଦ୍ଧା ଆମେ ବିକଶିତ ଭାରତ ଗଢ଼ି ପାରିବା। ଆଜି ଆମ ଦେଶବାସୀଙ୍କ ପାଖରେ ଯେଉଁ ସବୁ ସୁବିଧା ସୁଯୋଗ ରହିଛି, ପୂର୍ବରୁ ତାହା ଆମ ପାଖରେ ନଥିଲା। ଆମକୁ ଏହାର ଫାଇଦା ଉଠାଇ ଦେଶକୁ ବିକାଶ ପଥରେ ଆଗେଇ ନେବାରେ ସମୟ ଆସିଛି।

“ସେ ଆହୁରି ମଧ୍ୟ କହିଛନ୍ତି, “ଲଗାତର ତୃତୀୟ ଥର ପାଇଁ ଆମକୁ ଦେଶର ସେବା କରିବାର ସୁଯୋଗ ମିଳିଛି। ଆପଣଙ୍କ ସେବା ହିଁ ମୋର ପ୍ରାଥମିକତା, ଜନତାଙ୍କ ସେବା ଆମର ପ୍ରଥମ ସଂକଳ୍ପ। ରାଜନୈତିକ ଫାଇଦା ନୁହେଁ, ଆମ ପାଇଁ ଦେଶ ପ୍ରଥମ। ରାଷ୍ଟ୍ରହିତ ଭାବନାକୁ ନେଇ ଆମେ ଆଗକୁ ବଢ଼ୁଛୁ।”

ନିଜର ଅଭିଭାଷଣ ପରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାଠାରେ ଉପସ୍ଥିତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଭେଟି ଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ କେନ୍ଦ୍ରମନ୍ତ୍ରୀ, ସାଂସଦ ତଥା ଦେଶ ବିଦେଶର ବିଶିଷ୍ଟ ଅତିଥିମାନେ ଯୋଗ ଦେଇଥିଲେ।

Tags: #IndependenceDay #PMNarendraModi #LalQuila #NewDelhi

LEAVE A REPLY

Please enter your comment!
Please enter your name here