ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂରଣ ଅବସରରେ ଭୁବନେଶ୍ଵରଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଶୁକ୍ରବାର ଦିନ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପରାହ୍ଣ ୩ଟା ୪୦ରେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବେ। ଏହା ପରେ ୩ଟା ୪୫ରୁ ୪ଟା ୧୫ ଯାଏଁ ବିମାନବନ୍ଦରଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ରୋଡ ସୋ’ କରିବେ ପ୍ରଧାନମନ୍ତ୍ରୀ। ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ଵର ପାଇଁ ଟ୍ରାଫିକ୍ ନିୟମ ଜାରି କରାଯାଇଛି।

କାର୍ଯ୍ୟକ୍ରମ ଲାଗି ଆସୁଥିବା ବସଗୁଡ଼ିକ ପାଇଁ ରୁଟ୍

କଟକ ପଟୁ ଆସୁଥିବା ବସଗୁଡ଼ିକ ରସୁଲଗଡ଼ ରେଳ ଓଭର ବ୍ରିଜଠାରୁ ସର୍ଭିସ ରୋଡରେ ଆସି ବାଣୀବିହାର ଛକରେ ପହଞ୍ଚିବ। ସେଠାରୁ ଆଚାର୍ଯ୍ୟ ବିହାର ଛକରୁ ଡାହାଣକୁ ଆପୋଲୋ ହସ୍ପିଟାଲ-ସୈନିକ ସ୍କୁଲ ରାସ୍ତାରେ ଆସିବ।

ସେହିପରି ଖୋର୍ଦ୍ଧା ପଟୁ ଆସୁଥିବା ବସଗୁଡ଼ିକ ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ ଅତିକ୍ରମ କରିବା ପରେ ସର୍ଭିସ ରୋଡରେ ଆଚାର୍ଯ୍ୟ ବିହାର ଛକଯାଏଁ ଆସିବ। ସେଠାରୁ ବାମକୁ ମୋଡ଼ି ଆପୋଲୋ ହସ୍ପିଟାଲ-ସୈନିକ ସ୍କୁଲ ରାସ୍ତା ଦେଇ କଳିଙ୍ଗ ହସ୍ପିଟାଲ ରାସ୍ତାରେ ରେଳବାଇ କଲୋନୀ ଗୋଲେଇ ଛକଠାରୁ ଉତ୍କଳ ହସ୍ପିଟାଲ ଏବଂ ହାତୀଆଶୁଣୀ ଛକ ରାସ୍ତାରେ ଏକ ଲାଇନରେ ବସ୍ ପାର୍କ କରିବେ।

ନନ୍ଦନକାନନ ପଟୁ ଆସୁଥିବା ବସଗୁଡ଼ିକ ନାଲକୋ ଛକ-କଳିଙ୍ଗ ହସ୍ପିଟାଲ ରାସ୍ତା ଦେଇ ରେଳବାଇ କଲୋନୀ ଛକଠାରୁ ଉତ୍କଳ ହସ୍ପିଟାଲ ଏବଂ ହାତୀଆଶୁଣୀ ଛକ ରାସ୍ତାରେ ଏକ ଲାଇନରେ ଗାଡ଼ି ପାର୍କ କରିବେ।

ସେହିପରି ପୁରୀ ପଟୁ ଆସୁଥିବା ବସଗୁଡ଼ିକ କଳ୍ପନା ଛକରୁ ରାଜମହଲ ଛକ ଯାଏଁ ଆସିବେ। ସେଠାରୁ ବାମ ମୋଡ଼ ନେଇ ଶିଶୁଭବନ ଛକରୁ କ୍ୟାପିଟାଲ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଆସି ଏକ ଲାଇନରେ ପାର୍କିଂ କରିପାରିବେ।

ଖୋର୍ଦ୍ଧା ପଟୁ ଭୁବନେଶ୍ଵର ଦେଇ କଟକ ଆଡ଼କୁ ଯିବାକୁ ଥିବା ଭାରୀ ଯାନଗୁଡ଼ିକ ପିତାପଲ୍ଲୀ ଛକଠାରୁ ଚନ୍ଦକା ଛକ ଦେଇ କଟକ ଆଡ଼କୁ ଯାଇପାରିବେ। କଟକ ପଟୁ ଆସୁଥିବା ଭାରୀ ଯାନଗୁଡ଼ିକ ବାଲିକୁଦା ଛକଠାରୁ ତ୍ରିଶୁଳିଆ ଛକ ଦେଇ ପିତାପଲ୍ଲୀ ଛକ ଆଡ଼କୁ ଯାଇପାରିବେ।

ଭୁବନେଶ୍ଵର ସହର ଏବଂ ଏହାର ଆଖପାଖ ରାସ୍ତା ବିଶେଷ କରି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରଠାରୁ ଜନତା ମଇଦାନ ରାସ୍ତା, କ୍ୟାପିଟାଲ ହସ୍ପିଟାଲ ଛକ, ଏଜି ଛକ, ରାଜଭବନ ଛକ, ପାଓ୍ଵାର ହାଉସ ଛକ, ୧୨୦ ବାଟାଲିୟନ ଛକ, ଶାସ୍ତ୍ରୀ ନଗର ଛକ, ବେହେରା ସାହି ଛକ, ଜୟଦେବ ବିହାର ଛକ, ଏକ୍ସଆଇଏମବି ଛକ, ନାଲକୋ ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକରେ ଜୁନ ୨୦ ତାରିଖ ଅପରାହ୍ଣ ୩ଟାରୁ କାର୍ଯ୍ୟକ୍ରମ ଶେଷ ହେବା ପର୍ଯ୍ୟନ୍ତ ଟ୍ରାଫିକ ଭିଡ଼ ହେବାର ସମ୍ଭାବନା ରହିଛି। ତେଣୁ ଏହି ରାସ୍ତାଗୁଡ଼ିକରେ ଯାତାୟତ ନକରିବାକୁ କମିଶନରେଟ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଏହି ନିୟମ ଜାରୁରୀକାଳୀନ ସେବାରେ ନିୟୋଜିତ ଅଗ୍ନିଶମ ଏବଂ ଆମ୍ବୁଲାନ୍ସ ଗାଡ଼ିଗୁଡ଼ିକ ପାଇଁ ଲାଗୁ ହେବା ନାହିଁ।

କେଉଁଠି ରଖିବେ କେଉଁ ଗାଡ଼ି?

ବିମାନବନ୍ଦର ଗୋଲେଇଠାରୁ ପାଣିଟାଙ୍କି ଉଭୟ ପାର୍ଶ୍ଵ ରାସ୍ତାରେ ବାଇକ ଏବଂ କାର ପାର୍କିଂ ପାଇଁ ବ୍ୟବସ୍ଥା ରହିଛି। ମେଟ୍ରୋଲୋଜିକାଲ ଗ୍ରାଉଣ୍ଡରେ ବାଇକ୍ ଏବଂ କାର ପାର୍କିଂ ସୁବିଧା ରହିଛି। କ୍ୟାପିଟାଲ ହସ୍ପିଟାଲଠାରୁ ଶିଶୁଭବନ ରାସ୍ତା ପାର୍କିଂ ସ୍ଥଳରେ ବାଇକ୍ ଓ କାର ରଖିପାରିବେ। ଶାସ୍ତ୍ରୀନଗରଠାରୁ ଇଞ୍ଜିନିୟରିଂ କଲେଜ ଉଭୟ ପାର୍ଶ୍ଵ ରାସ୍ତାରେ କାର ଏବଂ ବାଇକ ପାର୍କ କରି ହେବ।

ସେହିପରି ବେହେରା ସାହିରୁ ନିକୋ ପାର୍କର ଉଭୟ ପାର୍ଶ୍ଵ ପାର୍କିଂ, ସ୍ଵାଧିନତା ସଂଗ୍ରାମୀ ପଡ଼ିଆରେ କାର ଏବଂ ବାଇକ ପାର୍କିଂ କରି ହେବ। କଳିଙ୍ଗ ଷ୍ଟାଡିୟମଠାରେ କାର ଏବଂ ବସ ପାର୍କିଂ ସୁବିଧା ରହିଛି।

ସାଲିଆ ସାହି ଯାତ୍ରା ପଡ଼ିଆ, କେଳୁ ଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର, ଏକ୍ସଆଇଏମବିରେ କାର ପାର୍କିଂ ପାଇଁ ସୁବିଧା ହୋଇଛି।

ନାଇଜର ପାର୍କିଂରେ ମେଡିଆ ପାର୍କିଂ ପାଇଁ ସୁବିଧା ହୋଇଥିବାବେଳେ ହାତୀଆଶୁଣୀଠାରୁ ଉତ୍କଳ ହସ୍ପିଟାଲ ରାସ୍ତାରେ ବସ୍ ପାର୍କିଂ ବ୍ୟବସ୍ଥା ହୋଇଛି।

ଓଏଭିଏସ ପାର୍କିଂଠାରେ କାର ରଖିହେବ। ସେହିପରି ସୈନିକ ସ୍କୁଲ ପାର୍କିଂଠାରେ କାର ଏବଂ ବସ୍ ପାର୍କିଂ ପାଇଁ ସୁବିଧା ରହିବ। ଜେକେ ପେପର ଲେନଠାରୁ ଶ୍ୟାମା ଶ୍ୟାମ ଧାମ ଯାଏଁ ଭିଆଇପି ପାର୍କିଂ ବ୍ୟବସ୍ଥା ରହିଛି। ଏହା ସହ ଅର୍ଭେ ଅଫ ଇଣ୍ଡିଆଠାରୁ ଓ୍ଵାଇ ଜଙ୍କସନ ରୋଡ ପାର୍କିଂରେ କାର ପାର୍କିଂ ପାଇଁ ବ୍ୟବସ୍ଥା ହୋଇଛି।

Tags: #PMNarendraModi #RoadShow #TrafficGuidelines #Bhubaneswar #Odisha 

Comment