ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଓଡ଼ିଶାରେ ପହଞ୍ଚିଛନ୍ତି ହକି ତାରକା ଅମିତ ରୋହିଦାସ। ଶୁକ୍ରବାର ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। ଏହାପରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି।
ଅମିତ ରୋହିଦାସ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସମୟରେ ତାଙ୍କୁ ନିଜ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ଦେଖାଇଥିଲେ। ଭାରତୀୟ ହକିର ବିକାଶ ନେଇଥିବା ପଦକ୍ଷେପ ପାଇଁ ସେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଅମିତ ରୋହିଦାସ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅଲିମ୍ପିକ୍ସରେ କ୍ରମାଗତ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହା ପୂର୍ବରୁ ଗତ ୨୦୨୧ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ସେ ଭାରତୀୟ ହକି ଦଳ ସହ ବ୍ରୋଞ୍ଜ ପଦକ ଜିତିବାର ଗୌରବ ହାସଲ କରିଥିଲେ।
ଚଳିତ ବର୍ଷ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳର ସଫଳତାରେ ପ୍ରମୁଖ ଭୂମିକା ବହନ କରିଥିଲେ ଡିଫେଣ୍ଡର ଅମିତ ରୋହିଦାସ। ତେବେ କ୍ୱାର୍ଟର ଫାଇନାଲ ମୁକାବିଲାରେ ତାଙ୍କୁ ରେଡ କାର୍ଡ ମିଳିବାରୁ ସେ ଗୋଟିଏ ମ୍ୟାଚରୁ ସସପେଣ୍ଡ ହୋଇଥିଲେ।
ସେମିଫାଇନାଲ ମୁକାବିଲାରେ ଅମିତଙ୍କ ଅନୁପସ୍ଥିତିରେ ଭାରତୀୟ ହକି ଦଳ ଜର୍ମାନୀଠାରୁ ପରାସ୍ତ ହୋଇ ଫାଇନାଲକୁ ଯିବାରୁ ବଞ୍ଚିତ ହେଲା। ଏହାପରେ ଭାରତ ତୃତୀୟ ସ୍ଥାନ ପାଇଁ ହୋଇଥିବା ମୁକାବିଲାରେ ସ୍ପେନକୁ ହରାଇ ବ୍ରୋଞ୍ଜ ପଦକ ଜିତିଥିଲା।
ଏହି ସଫଳତା ପାଇଁ ଓଡ଼ିଶା ସରକାର ଭାରତୀୟ ହକି ଦଳର ପ୍ରତ୍ୟେକ ଖେଳାଳିଙ୍କ ପାଇଁ ୧୫ ଲକ୍ଷ ଟଙ୍କା ଏବଂ ସପୋର୍ଟ ଷ୍ଟାଫଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ଏହାସହ ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ପାଇଁ ୪ କୋଟି ଟଙ୍କାର ସ୍ଵତନ୍ତ୍ର ପୁରସ୍କାର ଘୋଷଣା କରାଯାଇଛି।
Tags: #AmitRohidas #ParisOlympics #BronzeMedal #Hockey #Bhubaneswar #Odisha