ଓଡ଼ିଶାଲାଇଭ୍ ବ୍ୟୁରୋ

କୋଲକାତାର ଆରଜି କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ଦେଶବ୍ୟାପୀ ଡାକ୍ତରମାନେ ଆନ୍ଦୋଳନ ଜାରି ରଖିଛନ୍ତି। ସୋମବାର ଡାକ୍ତରମାନେ ଦିଲ୍ଲୀ ନିର୍ମାଣ ଭବନ ସମ୍ମୁଖରେ ରାସ୍ତାରେ ମାଗଣା ଓପିଡି ସେବା ଯୋଗାଇ ପ୍ରତିବାଦ ଜଣାଇଛନ୍ତି।

ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ସରକାର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିକ୍ଷୋଭକାରୀଙ୍କ ଟାର୍ଗେଟରେ ରହିଛନ୍ତି। ଆନ୍ଦୋଳନରତ ଡାକ୍ତରମାନେ ମାମଲାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଏହାସହ ଡାକ୍ତରମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ସେମାନେ ଦାବି ଉଠାଇଛନ୍ତି।

ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ ନହେବା ଯାଏଁ ରାସ୍ତାରେ ଏପରି ଓପିଡି ସେବା ଜାରି ରହିବ ବୋଲି ଆନ୍ଦୋଳନରତ ଡାକ୍ତରମାନେ କହିଛନ୍ତି। ଏହି ଆନ୍ଦୋଳନରେ ଦିଲ୍ଲୀ ଏମ୍ସ ସହ ଅନ୍ୟ ହସ୍ପିଟାଲର ଡାକ୍ତରମାନେ ମଧ୍ୟ ସାମିଲ ହୋଇଛନ୍ତି।

ଅନ୍ୟପଟେ ସିବିଆଇ ଏହି ମାମଲାରେ ତଦନ୍ତ ଜାରି ରଖିଛି। ଆରଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ସିବିଆଇ ପକ୍ଷରୁ ୪ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରାଯାଉଛି। ସେହିପରି ଉକ୍ତ ମେଡିକାଲ କଲେଜରେ ଭଙ୍ଗାରୁଜା କରିଥିବା ଅଭିଯୋଗରେ ପୋଲିସ ୩୭ ଅଭିଯୁକ୍ତଙ୍କୁ ଗିରଫ କରିଛି।

କ’ଣ ଥିଲା ଘଟଣାକ୍ରମ

ଅଗଷ୍ଟ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ୩୧ ବର୍ଷୀୟ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ସେ ସେଠାରେ ଚେଷ୍ଟ ମେଡିସିନ ବିଭାଗର ପିଜି ଦ୍ଵିତୀୟ ବର୍ଷର ଛାତ୍ରୀ ଥିଲେ। ମେଡିକାଲ କଲେଜର ସେମିନାର ହଲରେ ତାଙ୍କର ମୃତ ଦେହ ମିଳିଥିଲା।

ତେବେ ଏହି ଘଟଣାକୁ ପୋଲିସ ପ୍ରଥମେ ଆତ୍ମହତ୍ୟା ମାମଲା ଭାବେ ଗ୍ରହଣ କରିବାର ଅଭିଯୋଗ ହୋଇଥିଲା। ପରେ ବ୍ୟବଚ୍ଛେଦ ରିପୋର୍ଟରୁ ମହିଳା ଜଣଙ୍କ ସହ ପ୍ରଥମେ ଦୁଷ୍କର୍ମ କରାଯିବା ପରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା।

Tags: #KolkataRapeandMurderCase #TraineeDoctor #MedicalStudent #Kolkata #WestBengal

LEAVE A REPLY

Please enter your comment!
Please enter your name here