ଓଡ଼ିଶାଲାଇଭ୍ ବ୍ୟୁରୋ

କୋଲକାତାର ଆରଜି କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟରେ ସିବିଆଇ ପକ୍ଷରୁ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି। ମାମଲାର ପ୍ରାରମ୍ଭିକ ତଦନ୍ତରେ କୋଲକାତା ପୋଲିସ ଅବହେଳା କରିଥିବା ଏଥିରେ ଉଲ୍ଲେଖ କରାଯାଇଛି। ହତ୍ୟାର ବହୁତ ସମୟ ବିତିଯିବା ପରେ ମଧ୍ୟ କୋଲକାତା ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇନଥିଲା ବୋଲି ରିପୋର୍ଟରେ କୁହାଯାଇଛି।

ମାମଲାରେ ସନ୍ଦେହ ଆଧାରରେ ଯେଉଁମାନଙ୍କୁ ପଚରାଉଚରା କରାଯାଉଛି, ସେମାନଙ୍କ ବିବରଣୀ ଷ୍ଟାଟସ ରିପୋର୍ଟରେ ଦିଆଯାଇଛି। ତେବେ ତଦନ୍ତବେଳେ ସିବିଆଇ ଟିମକୁ କୋଲକାତା ପୋଲିସ ପକ୍ଷରୁ ବିଶେଷ ସୁରକ୍ଷା ଦିଆଯାଉନଥିବା ଅଭିଯୋଗ କରାଯାଇଛି।

ଷ୍ଟାଟସ ରିପୋର୍ଟ ଅନୁସାରେ ଗତ ୬ ଦିନ ମଧ୍ୟରେ ସିବିଆଇ ଦୁଇ ଜଣଙ୍କୁ ପଚରାଉଚରା କରିଛି। ପ୍ରଥମ ଜଣଙ୍କ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ର‌ୟ ଏବଂ ଦ୍ଵିତୀୟ ଜଣଙ୍କ ହେଉଛନ୍ତି ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ। ଉଭୟଙ୍କ ମାନସିକ ପରୀକ୍ଷା ମଧ୍ୟ କରାଯାଇଛି।

ସେହିପରି ସିବିଆଇ ଡାକ୍ତରଖାନା ଯାଇ ସମସ୍ତ ଫୋରେନସିକ୍ ଯାଞ୍ଚ କରି ପ୍ରମାଣ ସଂଗ୍ରହ କରିଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ସିବିଆଇ ପକ୍ଷରୁ ଡାକ୍ତରଖାନରେ ଘଟଣାସ୍ଥଳର ମ୍ୟାପିଂ କରାଯିବା ସହ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଇଛି।

ମଙ୍ଗଳବାର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟ ମାମଲାରେ କୋଲକାତା ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ କଡ଼ା ଭର୍ସନା କରିଥିଲେ। ମାମଲାରେ ପୋଲିସ ପକ୍ଷରୁ ଅବହେଳା କରାଯାଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Tags: #KolkataRapeandMurderCase #SupremeCourt #CBI #KolkataPolice #Doctors

Comment