ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ଓ କଟକରୁ ସିମ୍ ବକ୍ସ ମିଳିବା ଘଟଣାରେ ତଦନ୍ତକୁ ଜୋରଦାର କରିଛି କମିଶନରେଟ୍ ପୋଲିସ୍। ଏହି ମାମଲାରେ ଆତଙ୍କବାଦୀ ଗତିବିଧିକୁ ନେଇ ଛାନଭିନ କରାଯାଉଛି। ପୋଲିସ ପକ୍ଷରୁ ଗିରଫ ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ଏବେ ରାଞ୍ଚି ନିଆଯାଉଛି। ରାଞ୍ଚିରେ ଆଉ ଏକ ଘରେ ସିମ୍ ବକ୍ସ ଲଗାଯାଇଥିବାର ସୁରାଖ ମିଳିଛି।
ଏହି ସିମ୍ ବକ୍ସ ମିଳିବା ମାମଲାରେ ଆତଙ୍କବାଦୀ ଲିଙ୍କର ତଦନ୍ତ ପାଇଁ ନାସନାଲ ଇନଭେଷ୍ଟିଗେସନ ଏଜେନ୍ସିର(ଏନଆଇଏ) ଏକ ଟିମ୍ ଭୁବନେଶ୍ୱରରେ ପହଞ୍ଚିଛି। ମାମଲାର ମୁଖ୍ୟ ଅଭିଯୁକ୍ତ ବାଂଲାଦେଶୀ ନାଗରିକ ଅସଦୂର ଜମାନଙ୍କୁ ଧରିବା ପାଇଁ ଇଣ୍ଟରପୋଲର ସହାୟତା ନିଆଯାଉଛି।
ଗତ ସପ୍ତାହରେ ଭୁବନେଶ୍ୱରର କେଶୁରା ଅଞ୍ଚଳର ଏକ ଭଡ଼ା ଘରୁ ୭ଟି ସିମ୍ ବକ୍ସ ଜବତ ହୋଇଥିଲା। ଏହାସହ ସେଠାରୁ ପ୍ରାୟ ୫୦୦ରୁ ଅଧିକ ସିମ୍ କାର୍ଡ ମିଳିଥିଲା। ମାମଲାରେ ଅଭିଯୁକ୍ତ ରାଜୁ ମଣ୍ଡଳଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ଜେରା କରିବାରୁ କଟକର ଏକ ଘରୁ ମଧ୍ୟ ଆଉ ୫ଟି ସିମ୍ ବକ୍ସ ମିଳିଥିଲା। ଏହାପରେ ଘଟଣାର ଅଧିକ ତଦନ୍ତ ପାଇଁ ରାଜୁ ମଣ୍ଡଳଙ୍କୁ ୫ ଦିନିଆ ରିମାଣ୍ଡରେ ନିଆଯାଇଛି।
ପୋଲିସର ସୂଚନା ଅନୁସାରେ ଏହି ସିମ୍ ବକ୍ସ ସବୁକୁ ବାଂଲାଦେଶରୁ ଅଣାଯାଇ ଇନଷ୍ଟଲ କରାଯାଇଥିଲା। ୨୦୨୩ ଅକ୍ଟୋବର ୨୧ରେ ଅସଦୂର ଜମାନ ଭାରତ ଆସି ଭୁବନେଶ୍ୱରରେ ରାଜୁଙ୍କ ସହ ଷ୍ଟେସନ ବଜାରସ୍ଥିତ ଲିଙ୍ଗରାଜ ହୋଟେଲରେ ରହିଥିଲେ। ସେ ଏହି ସିମ୍ ବକ୍ସଗୁଡ଼ିକୁ ଲଗାଇଥିଲେ।
ସିମ୍ ବକ୍ସକୁ ବ୍ୟବହାର କରି ଭାରତରୁ ପାକିସ୍ତାନ, ଚୀନ୍ ଓ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକ ମଧ୍ୟରେ ହେଉଥିବା କଲ ଓ ମେସେଜକୁ ଡାଇଭର୍ଟ କରାଯାଉଥିଲା। ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଏହି ସିମ୍ ବକ୍ସ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି।
Tags: #SIMBox #TerrorLink #CommissioneratePolice #Bhubaneswar #Odisha