ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ରାଜ୍ୟର ୧୮ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ବଦଳି କରିଛନ୍ତି ଓଡ଼ିଶା ସରକାର। ଏନେଇ ବୁଧବାର ରାଜ୍ୟ ସଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ବର୍ତ୍ତମାନ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ଥିବା ସତ୍ୟବ୍ରତ ସାହୁଙ୍କୁ ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ବଦଳି କରାଯାଇଛି। ଏହାସହ ସେ ରାଜ୍ଯ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ମଧ୍ୟ ଦାୟିତ୍ବ ତୁଲାଇବେ।
ଏବେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ଶାସନ ସଚିବ ଥିବା ଦେଓରଞ୍ଜନ କୁମାର ସିଂହଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ନିଯୁକ୍ତ କରାଯାଇଛି। ଏହାସହ ତାଙ୍କୁ ରାଜ୍ଯ ସ୍ଵତନ୍ତ୍ର ରିଲିଫ କମିଶନର ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି।
ସେହିପରି ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଶାସନ ସଚିବ ଥିବା ସୁରେନ୍ଦ୍ର କୁମାରଙ୍କୁ ରାଜ୍ଯ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତ କରାଯାଇଛି। ରାଜ୍ଯ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି।
ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ଏବଂ ସଂଖ୍ୟାଲଘୁ କଲ୍ୟାଣ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି।
ଓଡ଼ିଶା ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଥିବା ଉଷା ପାଢ଼ୀଙ୍କୁ ରାଜ୍ଯ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ଏହାସହିତ ବର୍ତ୍ତମାନ ରାଜ୍ଯ ଶିଳ୍ପ ବିଭାଗର ସ୍ଵତନ୍ତ୍ର ସଚିବ ଥିବା ବିଶାଲ ଗଗନଙ୍କୁ ନୂଆଦିଲ୍ଲୀରେ ଓଡ଼ିଶା ସରକାରଙ୍କ ରେସିଡେଣ୍ଟ କମିଶନର ଭାବେ ନିଯୁକ୍ତ କରାଯାଇଛି।
ଏବେ ରାଜ୍ଯପାଳଙ୍କ ପ୍ରମୁଖ ଶାସନ ସଚିବ ଥିବା ଏନ୍ ବି ଏସ୍ ରାଜପୁତଙ୍କୁ ରାଜ୍ଯ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।
ସେହିପରି ରାଜ୍ଯ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ସଚିବ ଥିବା ଶାଳିନୀ ପଣ୍ଡିତଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଭାବେ ବଦଳି କରାଯାଇଛି। ଏହାସହ ସେ ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ଭାବେ ଅତିରିକ୍ତ ଦାୟିତ୍ଵ ତୁଲାଇବେ।
ବର୍ତ୍ତମାନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଥିବା ଅଶ୍ଵଥି ଏସ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ବଦଳି ହୋଇଛନ୍ତି। ସେହିପରି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ଏବଂ ସଂଖ୍ୟାଲଘୁ କଲ୍ୟାଣ ବିଭାଗର କମିଶନର ତଥା ସଚିବ ରୂପା ରୋଶନ ସାହୁଙ୍କୁ ଦକ୍ଷିଣାଞ୍ଚଳ ଆରଡିସି ଭାବେ ବଦଳି କରାଯାଇଛି। ଏହାସହ ସଚିନ ରାମଚନ୍ଦ୍ର ଯାଦବ ଉତ୍ତରାଞ୍ଚଳ ଆରଡିସି ଭାବେ ନିଯୁକ୍ତ ହୋଇଛନ୍ତି।
ଅନ୍ଯପଟେ ଏବେ ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ବଲୱନ୍ତ ସିଂହଙ୍କୁ ରାଜ୍ୟ ପର୍ଯ୍ୟଟନ ବିଭାଗର କମିଶନର ତଥା ସଚିବ ଭାବେ ନିଯୁକ୍ତ କରାଯାଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ଯାମିନୀ ଷଡ଼ଙ୍ଗୀଙ୍କୁ ରାଜ୍ୟ ବାଣିଜ୍ୟ କର ଓ ଜିଏସଟି କମିଶନର ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି।
Tags: #IASReshuffle #IASOfficers #DistrictCollectors #Odisha