ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ପୁରୁଷ ହକି ଦଳକୁ ସମ୍ବର୍ଦ୍ଧିତ କରିଛନ୍ତି ଓଡ଼ିଶା ସରକାର। ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ୍ ସେଣ୍ଟରଠାରେ ଦଳର ଖେଳାଳିମାନଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଠାରେ ଖେଳାଳିମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଭାରତୀୟ ହକି ଟିମର ପ୍ରତି ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାସହ ଦଳର ସପୋର୍ଟ ଷ୍ଟାଫମାନଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ମିଳିଥିଲା। ଏଠାରେ ଭାରତୀୟ ଦଳରେ ଥିବା ଓଡ଼ିଆ ହକି ଖେଳାଳି ଅମିତ ରୋହିଦାସଙ୍କୁ ୪ କୋଟି ଟଙ୍କାର ସ୍ଵତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ, ପ୍ରଭାତୀ ପରିଡ଼ା, କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ ଓ ହକି ଇଣ୍ଡିଆ ସଭାପତି ଡକ୍ଟର ଦିଲ୍ଲୀପ ତିର୍କୀ ପ୍ରମୁଖ ଯୋଗ ଦେଇଥିଲେ।
ଭାରତୀୟ ପୁରୁଷ ହକି ଦଳର ଖେଳାଳିମାନେ ବୁଧବାର ଦିନ ୧ଟା ସମୟରେ ଆସି ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ। ଏହାପରେ ସେମାନେ ବିମାନବନ୍ଦରରୁ ରୋଡ ସୋ’ କରି କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଛନ୍ତି। ଏଥିରେ ହଜାର ହଜାର ଲୋକ ସାମିଲ ହୋଇଥିଲେ।
Tags: #IndianHockeyTeam #BronzeMedal #ParisOlympics #Bhubaneswar #Odisha #HockeyIndia #Sports