ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ଦେଶକୁ ଲଜ୍ଜିତ କରିଛି କୋଲକାତାରେ ଘଟିଥିବା ଟ୍ରେନି ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା। ଏହି ଘଟଣାକୁ ନେଇ ଦେଶବ୍ୟାପୀ ଜଳୁଛି ପ୍ରତିବାଦର ନିଆଁ। ଏବେ ନ୍ୟାୟ ଅପେକ୍ଷାରେ ଅଭୟା।
ସ୍ଵାଧୀନତାର ୭୭ ବର୍ଷ ପରେ ମଧ୍ୟ ଏଠି ସୁରକ୍ଷିତ ନୁହେଁ ଝିଅଟିଏ। କୋଲକାତାରେ ଘଟିଥିବା ଅମାନୁଷିକ ଘଟଣା ପରେ ଏ କଥା ସମସ୍ତେ କହୁଛନ୍ତି। ଘରର ଝିଅ ବୋହୂଙ୍କୁ ବାହାରକୁ ଛାଡ଼ିବାକୁ ଏବେ ପରିବାର ଲୋକେ ଭୟ କରୁଛନ୍ତି ।
କୋଲକାତାରେ ଘଟିଥିବା ଟ୍ରେନି ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ପୋଲିସ ଗିରଫ କରିଛି। ୧୪ ଦିନିଆ ପୋଲିସ ରିମାଣ୍ଡରେ ଯାଇଛି ଅଭିଯୁକ୍ତ। ତେବେ ଏଯାଏଁ ଥମିନି ପ୍ରତିବାଦର ସ୍ଵର। ଅଭୟାଙ୍କୁ ଉଚିତ୍ ନ୍ୟାୟ ଏବଂ ଦେଶର ବିଭିନ୍ନ ଡାକ୍ତରୀ ପଢ଼ୁଆ ଛାତ୍ରଛାତ୍ରୀ ଓ ଡାକ୍ତରଙ୍କ ସୁରକ୍ଷା ଦାବିରେ ବିଭିନ୍ନ ମେଡିକାଲ୍ କଲେଜ ଓ ହସ୍ପିଟାଲର ଡାକ୍ତରୀ ଛାତ୍ରଛାତ୍ରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଛି।
ଘଟଣାର ସୂତ୍ରପାତ କେମିତି ହେଲା?
ଅଗଷ୍ଟ ୯ ତାରିଖ, ଶୁକ୍ରବାର। କୋଲକାତାର ରାଧା ଗୋବିନ୍ଦ କର ମେଡିକାଲ ବା ଆର୍ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଅଧ୍ୟୟନରତ ଟ୍ରେନି ଡାକ୍ତର ଅଭୟା ନିଜ ୪ ଜଣ ସହକର୍ମୀଙ୍କ ସହ କଲେଜର ସେମିନାର ହଲରେ ଥିଲେ। ରାତିରେ ସମସ୍ତେ ଖାଇବା ମଗେଇ ଏକାଠି ଖାଇଥିଲେ। ଅଧିକ ରାତି ହେବାରୁ ସହକର୍ମୀମାନେ ନିଜ ନିଜ ରୁମକୁ ପଳାଇଥିଲେ। ହେଲେ ଡାକ୍ତର ଅଭୟା ପଢ଼ିବା ପାଇଁ ସେମିନାର ହଲରେ ରହିଥିଲେ।
ଶନିବାର ସକାଳ ପ୍ରାୟ ସାଢ଼େ ୭ଟାରେ ସେମିନାର ହଲ ଭିତରୁ ଅଭୟାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅସ୍ଵାଭାବିକ ମୃତ୍ୟୁ ମାମଲା ରୁଜୁ କରିଥିଲା।
ସନ୍ଧ୍ୟାରେ ଆସିଥିଲା ବ୍ୟବଚ୍ଛେଦ ରିପୋର୍ଟ। ଅଭୟାଙ୍କ ଶରୀରର ବିଭିନ୍ନ ଅଙ୍ଗ ନାକ, କାନ, ଆଖି ଓ ପ୍ରାଇଭେଟ ପାର୍ଟସରେ ଗଭୀର କ୍ଷତ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଥିଲା। ଶାରୀରିକ ନିର୍ଯାତନା ଯୋଗୁଁ କାନ୍ଧର ହାଡ଼ ଭାଙ୍ଗି ଯାଇଥିବା ଏବଂ ସେ ଦୁଷ୍କର୍ମର ଶିକାର ହୋଇଥିବା ରିପୋର୍ଟରେ ଦର୍ଶାଯାଇଥିଲା।
ଅଟୋପ୍ସି ରିପୋର୍ଟରେ ପୀଡ଼ିତାଙ୍କ ବ୍ୟାଥା
ଅଗଷ୍ଟ ୧୯ ତାରିଖରେ ଆସିଥିଲା ପୀଡ଼ିତାଙ୍କ ଅଟୋପ୍ସି ରିପୋର୍ଟ। ଅଟୋପ୍ସି ରିପୋର୍ଟ ଅନୁସାରେ ପୀଡ଼ିତାଙ୍କ ଦେହରେ ୧୪ରୁ ଅଧିକ କ୍ଷତ ଚିହ୍ନ ରହିଛି। ମୁଣ୍ଡ, ଦୁଇ ଗାଲ, ଓଠ, ନାକ, ଡାହାଣ ହନୁ ହାଡ଼, ଥୋଡ଼ି, ବେକ, ବାମ ହାତ, କାନ୍ଧ, ଆଣ୍ଠୁ, ଗୋଡ଼ ଏବଂ ପ୍ରାଇଭେଟ ପାର୍ଟସରେ ଗଭୀର ଆଘାତ ଲାଗିଛି। ମହିଳା ଟ୍ରେନି ଡାକ୍ତର ମୃତ୍ୟୁ ପୂର୍ବରୁ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି।
ଏହା ସହ ପୀଡ଼ିତାଙ୍କ ଫୁସଫୁସରେ ରକ୍ତସ୍ରାବ ଏବଂ ଶରୀରରେ ରକ୍ତ ଜମାଟ ବାନ୍ଧିବା ବିଷୟରେ ମଧ୍ୟ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ସଞ୍ଜୟକୁ ଧରାଇଦେଲା ଇୟର ଫୋନ
ବ୍ଲୁ-ଟୁଥ ଇୟର ଫୋନ ପାଇଁ ଧରା ପଡ଼ିଲା ଅଭୟା ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ। ତଦନ୍ତ ସମୟରେ ପୋଲିସକୁ ଘଟଣାସ୍ଥଳରୁ ଗୋଟିଏ ବ୍ଲୁ-ଟୁଥ୍ ଇୟର ଫୋନ ମିଳିଥିଲା। ଏହା ସଞ୍ଜୟ ରାୟଙ୍କର ବୋଲି ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା। ସିସିଟିଭି ଫୁଟେଜ ଏବଂ ଇୟର ଫୋନକୁ ଆଧାର କରି ପୋଲିସ ଅଭିଯୁକ୍ତ ସଞ୍ଜୟଙ୍କୁ ଗିରଫ କରିଥିଲା।
ସଞ୍ଜୟଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲା ପୋଲିସ। ପରେ ସବୁ ସତ ମାନିଥିଲା ଅଭିଯୁକ୍ତ। ଅଶ୍ଳୀଳ ଭିଡିଓ ଦେଖିବା ପରେ ସେ ଏଭଳି ଅମାନୁଷିକ କାର୍ଯ୍ୟ କରିଥିଲା ବୋଲି ପୋଲିସ ଆଗରେ କହିଥିଲା ସଞ୍ଜୟ।
କିଏ ଏହି ସଞ୍ଜୟ ରାୟ?
ଗତ ୨୦୧୯ ମସିହାରେ କୋଲକାତା ପୋଲିସର ବିପର୍ଯ୍ୟୟ ପରିଚାଳନା ବିଭାଗରେ ସଞ୍ଜୟ ରାୟ ସ୍ୱେଚ୍ଛାସେବୀ ଭାବେ ନିଯୁକ୍ତି ପାଇଥିଲେ। ପରବର୍ତ୍ତୀ ସମୟରେ ସେ କୋଲକାତା ପୋଲିସର ୱେଲ୍ଫେୟାର୍ ସେଲ୍କୁ ସ୍ଥାନାନ୍ତର ହୋଇଥିଲେ। ଏଥିଯୋଗୁଁ ସଞ୍ଜୟଙ୍କୁ ବିଭିନ୍ନ ମେଡିକାଲ୍ରେ ଦାୟିତ୍ୱ ଦିଆଯାଉଥିଲା।
ପରବର୍ତ୍ତୀ ସମୟରେ ଆରଜି କର ହସ୍ପିଟାଲର ଆଉଟପୋଷ୍ଟରେ ସଞ୍ଜୟଙ୍କୁ ନିଯୁକ୍ତି ମିଳିଥିଲା। ତେଣୁ ସଞ୍ଜୟଙ୍କୁ ଏହି କଲେଜ ଓ ହସ୍ପିଟାଲର ବିଭିନ୍ନ ବିଭାଗକୁ ଯିବାକୁ ସହଜରେ ଅନୁମତି ମିଳିଯାଉଥିଲା। ଏହାର ଫାଇଦା ଉଠାଇ ସେ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିଲେ।
ସିବିଆଇ ହାତରେ ତଦନ୍ତ ଭାର
ଅଭୟା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ କୋଲକାତା ପୋଲିସ ହାଲୁକା ଭାବେ ନେଉଥିବା ଅଭିଯୋଗ କରି ପୀଡ଼ାତାଙ୍କ ପରିବାର ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅଗଷ୍ଟ ୧୩ ତାରିଖରେ ଏହାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।
ଘଟଣାର ଖୋଳତାଡ଼ କରିବାକୁ ଅଗଷ୍ଟ ୧୪ ତାରିଖ ଦିନ ସିବିଆଇ ଟିମ୍ କୋଲକାତାରେ ପହଞ୍ଚି ଥିଲା। ପୀଡ଼ିତାଙ୍କ ସହକର୍ମୀ ଓ କଲେଜ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିଥିଲା। ତେବେ ଏହି ହତ୍ୟାକାଣ୍ଡରେ କଲେଜର କେତେକ ଛାତ୍ରଛାତ୍ରୀ ଓ ଡାକ୍ତରଙ୍କର ସମ୍ପୃକ୍ତି ଥିବା ପୀଡ଼ିତାଙ୍କ ପରିବାର ସିବିଆଇ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଖୋଳତାଡ଼ ଆରମ୍ଭ କରିଥିଲା ସିବିଆଇ।
ଷ୍ଟାଟସ ରିପୋର୍ଟ ଦେଲା ସିବିଆଇ
ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟରେ ସିବିଆଇ ପକ୍ଷରୁ ଅଗଷ୍ଟ ୨୨ ତାରିଖରେ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି। ମାମଲାର ପ୍ରାରମ୍ଭିକ ତଦନ୍ତରେ କୋଲକାତା ପୋଲିସ ଅବହେଳା କରିଥିବା ଏଥିରେ ଉଲ୍ଲେଖ କରାଯାଇଛି। ହତ୍ୟାର ବହୁତ ସମୟ ବିତିଯିବା ପରେ ମଧ୍ୟ କୋଲକାତା ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇନଥିଲା ବୋଲି ରିପୋର୍ଟରେ କୁହାଯାଇଛି।
ଏହି ମାମଲାରେ ସନ୍ଦେହ ଆଧାରରେ ଯେଉଁମାନଙ୍କୁ ପଚରାଉଚରା କରାଯାଉଛି, ସେମାନଙ୍କ ବିବରଣୀ ଷ୍ଟାଟସ ରିପୋର୍ଟରେ ଦିଆଯାଇଛି। ତେବେ ତଦନ୍ତ ବେଳେ ସିବିଆଇ ଟିମକୁ କୋଲକାତା ପୋଲିସ ପକ୍ଷରୁ ସୁରକ୍ଷା ଦିଆଯାଉ ନାହିଁ କି ସହଯୋଗ କରାଯାଉ ନାହିଁ ବୋଲି ଅଭିଯୋଗ କରାଯାଇଛି।
ଷ୍ଟାଟସ ରିପୋର୍ଟ ଅନୁସାରେ ଗତ ୬ ଦିନ ମଧ୍ୟରେ ସିବିଆଇ ଦୁଇ ଜଣଙ୍କୁ ପଚରାଉଚରା କରିଛି। ପ୍ରଥମ ଜଣଙ୍କ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଏବଂ ଦ୍ଵିତୀୟ ଜଣଙ୍କ ହେଉଛନ୍ତି ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ। ଉଭୟଙ୍କର ମାନସିକ ପରୀକ୍ଷା ମଧ୍ୟ କରାଯାଇଛି।
ସେହିପରି ସିବିଆଇ ଡାକ୍ତରଖାନା ଯାଇ ସମସ୍ତ ଫରେନସିକ୍ ଯାଞ୍ଚ କରି ପ୍ରମାଣ ସଂଗ୍ରହ କରିଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ସିବିଆଇ ପକ୍ଷରୁ ଘଟଣାସ୍ଥଳର ମ୍ୟାପିଂ କରାଯିବା ସହ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଇଛି।
ଏହି ମାମଲାରେ କୋଲକାତା ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ କଡ଼ା ଭର୍ତ୍ସନା କରିବା ସହ ପୋଲିସ ପକ୍ଷରୁ ଅବହେଳା କରାଯାଇଛି ସୁପ୍ରିମକୋର୍ଟ କହିଛନ୍ତି।
ଇତିହାସର ଫର୍ଦ୍ଦରେ ଆର୍ଜି କର ହସ୍ପିଟାଲ
କେବଳ ଅଭୟା ନୁହନ୍ତି, ୨୩ ବର୍ଷ ପୂର୍ବେ ଏହିଭଳି ଏକ ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚାରେ ଥିଲା ଆରଜି କର ହସ୍ପିଟାଲ। ଗତ ୨୦୦୧ ମସିହା ଅଗଷ୍ଟ ୨୫ ତାରିଖରେ ଏହି ହସ୍ପିଟାଲରେ ଜଣେ ଚତୁର୍ଥ ବର୍ଷର ଛାତ୍ର ସୌମିତ୍ର ବିଶ୍ୱାସଙ୍କ ମୃତ୍ୟୁ ସାରା ଦେଶରେ ଅଶୋଭନୀୟ ପରିସ୍ଥିତି ସୃଷ୍ଟି କରିଥିଲା। ସେତେବେଳେ ଚର୍ଚ୍ଚାକୁ ଆସିଥିଲା ଆର୍ଜି କର ହସ୍ପିଟାଲ। ମେଡିକାଲ କଲେଜ ପାଖରେ ଥିବା ଲଳିତ ମେମୋରିଆଲ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ସୌମିତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
କଲେଜ ହଷ୍ଟେଲ ପରିସରରେ ଅଶ୍ଳୀଳ କାର୍ଯ୍ୟକଳାପ ହେଉଥିବା ଅଭିଯୋଗ ଉଠାଇଥିବାରୁ ସୌମିତ୍ରଙ୍କୁ ହତ୍ୟା କରାଯାଇଥିବା ତାଙ୍କ ମା’ ଗୁରୁତର ଅଭିଯୋଗ କରିଥିଲେ। ହାଇକୋର୍ଟ ଏହି ମାମଲା ତଦନ୍ତ ସିଆଇଡିକୁ ହସ୍ତାନ୍ତର କରିଥିଲା। ପରେ ଏହି ଘଟଣାରେ ଜଣେ ମାତ୍ର ଡାକ୍ତରୀ ଛାତ୍ରୀଙ୍କୁ କରାଯାଇଥିଲା। କିନ୍ତୁ ସେବେଠାରୁ ତଦନ୍ତର ଅଗ୍ରଗତି ହୋଇପାରି ନାହିଁ।
ସେତେବେଳେ ସୌମିତ୍ରଙ୍କ ସହପାଠୀଙ୍କ କହିବା ଅନୁସାରେ ପ୍ରତି ସପ୍ତାହର ଶେଷ ଦିନରେ ହଷ୍ଟେଲରେ ରହୁଥିବା ଛାତ୍ରମାନେ ଦେହଜୀବୀଙ୍କୁ ଆଣି ଅଶ୍ଳୀଳ କାର୍ଯ୍ୟକଳାପ କରୁଥିଲେ ଏବଂ ଏହାର ଫଟୋ ଓ ଭିଡିଓ ରେକର୍ଡିଂ କରି ବିଭିନ୍ନ ସାଇଟ୍ରେ ଅପ୍ଲୋଡ୍ କରୁଥିଲେ। ଏପରିକି କମ୍ପ୍ୟୁଟର୍ ଜରିଆରେ ଏହି ଫଟୋ-ଭିଡିଓକୁ ଏଡିଟିଂ କରି ଭିନ୍ନ ଭିନ୍ନ ଅଭିନେତା ଓ ଅଭିନେତ୍ରୀଙ୍କୁ ଏଥିରେ ଯୋଡ଼ୁ ଥିଲେ।
କେବଳ ସେତିକି ନୁହେଁ କେତେକ ଡାକ୍ତର ଛାତ୍ରଛାତ୍ରୀଙ୍କ ମୁହଁ ମଧ୍ୟ ଏଡିଟ୍ କରି ସେମାନଙ୍କୁ ଅଶ୍ଳୀଳ ସାବ୍ୟସ୍ତ କରୁଥିଲେ। ସୌମିତ୍ର ଏହାର ଦୃଢ଼ ବିରୋଧ କରିବାରୁ ତାଙ୍କୁ ମିଳିତ ଭାବେ ହତ୍ୟା କରାଯାଇଥିବା ସୌମିତ୍ରଙ୍କ ସହପାଠୀମାନେ ଅଭିଯୋଗ କରିଥିଲେ।
ଅଶ୍ଳୀଳ ଭିଡିଓ ଦେଖିବା ଓ ପ୍ରସାରଣ ଉପରେ କ’ଣ କହୁଛି ଆଇନ
ଆଇପିସି ଧାରା ୨୯୨ ଅନୁଯାୟୀ ଦେଶରେ ଅଶ୍ଳୀଳ କାର୍ଯ୍ୟକଳାପ ଓ ଏହାର ପ୍ରଚାର ପ୍ରସାର କରିବା ଧର୍ତ୍ତବ୍ୟ ଅପରାଧ। ଏହା ସହ ଏପରି ଭିଡିଓର ପ୍ରଚାର ପ୍ରସାର ଉପରେ ମଧ୍ୟ କଟକଣା ଜାରି କରିଛନ୍ତି କେନ୍ଦ୍ର ସରକାର। ସୂଚନା ଓ ପ୍ରଯୁକ୍ତିବିଦ୍ୟା ଅଧିନିୟମ ୨୦୦୦ ଓ ଧାରା ୬୭ (ବି) ଅନୁଯାୟୀ ୨୦ ବର୍ଷରୁ କମ୍ ପିଲାଙ୍କୁ ଏଥିରେ ଜଡ଼ିତ କରିବା ମଧ୍ୟ ଦଣ୍ଡନୀୟ ଅପରାଧ।
ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୨୨ ମସିହାରେ କେନ୍ଦ୍ର ସରକାର ୬୩ଟି ଏହି ଅଶ୍ଳୀଳ ଭିଡିଓ ଜନିତ ୱେବସାଇଟକୁ ବନ୍ଦ କରିଛନ୍ତି।
Tags: #KolkataRapeandMurderCase #Abhaya #SupremeCourt #CBI #KolkataPolice #Doctors