ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ଅଧୀନ ଡାକପଦର ଗ୍ରାମରେ ଦେଖାଦେଇଛି ବାଘ ଆତଙ୍କ। ଡାକପଦର ଗାଁ ମୁଣ୍ଡରେ ଥିବା ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ଗୋଟିଏ ବଳଦକୁ କଲରାପତରିଆ ବାଘ ମାରିବା ପରେ ଛନିଆ ହୋଇଛନ୍ତି ଗ୍ରାମବାସୀ।

ଗାଁ ମୁଣ୍ଡରେ ବାଘ ପାଦ ଚିହ୍ନ ଦେଖି ଗ୍ରାମବାସୀ ବୌଦ୍ଧ ବନଖଣ୍ଡକୁ ସୂଚନା ଦେଇଥିଲେ। ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ବାଘର ପାଦ ଚିହ୍ନ ବୋଲି ସ୍ପଷ୍ଟ କରିଛନ୍ତି। ଏହା ପରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଗ୍ରମାବାସୀ। ସନ୍ଧ୍ୟା ହେଲେ କେହି ଘରୁ ବାହାରକୁ ବାହାରିବାକୁ ସାହସ କରୁନାହାନ୍ତି।

ଏ ପଟେ କନ୍ଧମାଳ କିମ୍ବା ନୟାଗଡ଼ ଜଙ୍ଗଲରୁ ଗୋଟିଏ କଲରାପତରିଆ ବାଘ ବୌଦ୍ଧ ବନଖଣ୍ଡକୁ ଆସିଥିବା ସୂଚନା ଦେଇଛନ୍ତି ମାଧପୁର ରେଞ୍ଜ ଅଧିକାରୀ।

ଶନିବାର ଦିନ ଡାକପଦର ଗାଁର ସନାତନ କହଁର ନିଜ ବଳଦକୁ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲକୁ ଚରିବାକୁ ଛାଡ଼ିଥିଲେ। ବଳଦଟି ସନ୍ଧ୍ୟା ସମୟରେ ଘରକୁ ଫେରିନଥିଲା। ତା’ପରଦିନ ସନାତନ କହଁର ନିଜ ବଳଦକୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ।

ଦୁଇଦିନ ପରେ ମୁଣ୍ଡେଶ୍ୱର ଜଙ୍ଗଲରେ ଗୋଟିଏ ବଳଦ ମରି ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ଏହା ସହ ସେମାନେ ବାଘର ପାଦ ଚିହ୍ନ ଦେଖିଥିଲେ। ପରେ ଗ୍ରାମବାସୀ ସନାତନ ଏବଂ ବନ ବିଭାଗକୁ ଖବର ଦେଇଥିଲେ।

ମଙ୍ଗଳବାର ଦିନ ମାଧପୁର ରେଞ୍ଜ ଅଧିକାରୀଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ ଟିମ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ବଳଦଟିକୁ କଲରାପତରିଆ ବାଘ ମାରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ଏବେ ବି କଲରାପତରିଆ ବାଘଟି ଥିବା ଆଶଙ୍କା କରାଯାଉଛି। ଜଙ୍ଗଲ ମଧ୍ୟକୁ ଯିବା ଲାଗି ବନ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ବାରଣ କରାଯାଇଛି।

Tags: #Boudh #Leopard #MundeswarReserveForest #Odisha

LEAVE A REPLY

Please enter your comment!
Please enter your name here