ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରରେ ଦେଖା ଦେଲାଣି ବାର୍ଡ ଫ୍ଲୁ ଭୟ। ଭୁବନେଶ୍ଵର ଉପକଣ୍ଠରେ ବାର୍ଡ ଫ୍ଲୁ ବ୍ୟାପୁଥିବାରୁ ଭୁବନେଶ୍ଵର ବାସିନ୍ଦାଙ୍କୁ ସତର୍କ ରହିବା ଲାଗି ପରାମର୍ଶ ଦେଇଛି ଭୁବନେଶ୍ଵର ମହାନଗର ନିଗମ (ବିଏମସି)। ଏହା ସହ ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନଆଣିବା ଲାଗି ଭୁବନେଶ୍ଵରର କୁକୁଡ଼ା ବ୍ୟବସାୟୀଙ୍କୁ ନୋଟିସ୍ ଜାରି କରିଛି ବିଏମସି।

ଯଦି କୁକୁଡ଼ାଙ୍କର ଅସ୍ଵାଭାବିକ ମୃତ୍ୟୁ ହେଉଛି, ତେବେ ସେଗୁଡ଼ିକୁ ଏଣେ ତେଣେ ନଫିଙ୍ଗି ପୋତିବା ସହ ବ୍ଲିଚିଂ ପାଉଡର ପକାଇବାକୁ କୁହାଯାଇଛି।

ଭୁବନେଶ୍ଵର ଉପକଣ୍ଠରେ ବାର୍ଡ ଫ୍ଲୁ ବ୍ୟାପିଥିବାରୁ କିଛି ଦିନ ଚିକେନ ନଖାଇବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ଵର ମେୟର ସୁଲୋଚନା ଦାସ। ସଂକ୍ରମିତ କୁକୁଡ଼ାଙ୍କ ସଂସ୍ପର୍ଶରେ ଆସି ଯଦି କୌଣସି ବ୍ୟକ୍ତିଙ୍କର ଜ୍ଵର, ଛିଙ୍କ କିମ୍ବା କାଶ ଲାଗି ରହୁଛି ତେବେ ଡାକ୍ତରଖାନାକୁ ଯିବାକୁ ସେ ପରାମର୍ଶ ଦେଇଛନ୍ତି।

ଅନ୍ୟ ପଟେ ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳର ଲୋକଙ୍କୁ ଚିକେନ ନଖାଇବା ଲାଗି ପରାମର୍ଶ ଦେଇଛନ୍ତି ରାଜ୍ୟ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର। ସେ କହିଛନ୍ତି ସଂକ୍ରମିତ କୁକୁଡ଼ା ବାହାରକୁ ଯିବା ଦ୍ଵାରା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ତେଣୁ ସଂକ୍ରମିତ କୁକୁଡ଼ାଙ୍କ ମାରି ପୋତା ଯାଉଛି।

ସଂକ୍ରମିତ କୁକୁଡ଼ାଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ଚିହ୍ନଟ କରାଯାଇ ପ୍ରତିଷେଧକ ଔଷଧ ଦିଆଯାଉଛି। ବାର୍ଡ ଫ୍ଲୁକୁ ନେଇ ସଚେତନ କରାଯାଉଛି। ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ନହେବାକୁ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି।

Tags: #BirdFlu #Bhubaneswar #BMC #Odisha #BirdFluVirus

Comment