ଓଡ଼ିଶାଲାଇଭ୍ ବ୍ୟୁରୋ

ଲଗାଣ ବର୍ଷାରେ ବେହାଲ ହୋଇଛି ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା। ଗତ ୩ ଦିନରୁ ପ୍ରବଳ ବର୍ଷା ଯୋଗୁଁ ଉଭୟ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ଏ ଯାଏଁ ୩୫ ଜଣଙ୍କ ମୃତ୍ୟୁ ହେଲାଣି। ମୃତକଙ୍କ ମଧ୍ୟରେ ତେଲେଙ୍ଗାନାର ୨୦ ଜଣ ଏବଂ ଆନ୍ଧ୍ରପ୍ରଦେଶର ୧୨ ଜଣ ବ୍ୟକ୍ତି ରହିଥିବା ସୂଚନା ମିଳିଛି। ବନ୍ୟା ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ, ଏସଡିଆରଏଫ ଓ ଅନ୍ୟ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି।

ବନ୍ୟା ଯୋଗୁଁ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ପ୍ରାୟ ୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଉଭୟ ରାଜ୍ୟର ପ୍ରାୟ ୧୧୦ଟି ଗାଁ ପାଣି ଘେରରେ ରହିଛି। ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ା, ମଛଲିପଟନମ୍, ଗୁଡ଼ିବଡ଼ା, କାଇକାଲୁରୁ, ନାରସପୁରମ, ଆମରାବତୀ ଏବଂ ତେଲଙ୍ଗାନାର ହାଇଦ୍ରାବାଦ ସମେତ ନାରାୟଣପେଟ୍, ଖମାମ, ଅଦିଲବାଦ ଓ ନିଜାମାବାଦ ଭଳି ଜିଲ୍ଲାରେ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି।

ବନ୍ୟାରେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର କିଛି ସ୍ଥାନରେ ରେଳଧାରଣା ନଷ୍ଟ ହୋଇଯାଇଥିବାରୁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ଉଭୟ ରାଜ୍ୟରେ ପ୍ରାୟ ୧୪୦ଟି ଟ୍ରେନ ବାତିଲ ହୋଇଥିବାବେଳେ ଅନେକ ଟ୍ରେନର ରୁଟ୍ ବଦଳାଯାଇଛି। ଏହାସହ ଅନେକ ରାସ୍ତା ଜଳମଗ୍ନ ହୋଇଥିବାରୁ ଯାତାୟାତ ଠପ୍ ହୋଇଯାଇଛି।

ଅନ୍ୟପଟେ ବନ୍ୟା ପ୍ରଭାବିତ ଲୋକମାନଙ୍କ ପାଇଁ ଅନେକ ରିଲିଫ୍ କ୍ୟାମ୍ପ କରାଯାଇଛି। ଏଠାରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକ ରହୁଛନ୍ତି। ଏହାସହ ବନ୍ୟାଞ୍ଚଳରେ ଲୋକଙ୍କ ପାଖରେ ହେଲିକେପ୍ଟର ଯୋଗେ ଖାଦ୍ୟ ପୁଡ଼ିଆ ବଣ୍ଟା ଯାଉଛି।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏବଂ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ନିଜ ନିଜ ରାଜ୍ୟରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସୋମବାର ଦିନ ବନ୍ୟା ପ୍ରସଙ୍ଗରେ ଉଭୟ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଥା ହୋଇଥିଲେ। ବନ୍ୟା ମୁକାବିଲା ପାଇଁ କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

Tags: #Flood #HeavyRainfall #AndhraPradesh #Telangana

LEAVE A REPLY

Please enter your comment!
Please enter your name here