ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଙ୍ଗାପୁର ଗସ୍ତ ଅବସରରେ ଓଡ଼ିଶାର ବିଶ୍ଵ ଦକ୍ଷତା କେନ୍ଦ୍ରର ପ୍ରଶିକ୍ଷାର୍ଥୀମାନଙ୍କ ସହ ସାକ୍ଷାତ କରିଛନ୍ତି। ସିଙ୍ଗାପୁରରେ ଏହି ପ୍ରଶିକ୍ଷାର୍ଥୀମାନେ ଏବେ ନିଜର ଇଣ୍ଟର୍ଣ୍ଣସିପ୍ ଜାରି ରଖିଛନ୍ତି। ଏହି ଅବସରରେ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ ମଧ୍ୟ ଯୋଗ ଦେଇଥିଲେ।
ଗୁରୁବାର ସିଙ୍ଗାପୁରରେ ସିଆଇଆଇ-ଏଣ୍ଟର୍ପ୍ରାଇଜ୍ ସିଙ୍ଗାପୁର ଇଣ୍ଡିଆ ରେଡି ଟାଲେଣ୍ଟ କାର୍ଯ୍ୟକ୍ରମରେ ବିଶ୍ଵ ଦକ୍ଷତା କେନ୍ଦ୍ରର ପ୍ରଶିକ୍ଷାର୍ଥୀମାନେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶିକ୍ଷାର୍ଥୀମାନଙ୍କ ସହ ସାକ୍ଷତ କରି ଦକ୍ଷତା ବିକାଶ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।
ବିଶ୍ଵ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ସହ ସାକ୍ଷତ ଏକ ଭଲ ଅନୁଭୂତି ଥିଲା ବୋଲି ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି। ଦକ୍ଷତା ବିକାଶ କ୍ଷେତ୍ରରେ ଭାରତ ଓ ସିଙ୍ଗାପୁରର ଏହି ସହଭାଗିତା ନୂଆ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ସହ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ସିଙ୍ଗାପୁରର ଅଗ୍ରଣୀ କମ୍ପାନି ଏଇଏମ ପରିଦର୍ଶନ କରିଥିଲେ। ବିଶ୍ଵରେ ସେମିକଣ୍ଡକ୍ଟର କ୍ଷେତ୍ରରେ ଏଇଏମର ଭୂମିକା, ଏହାର ପରିଚାଳନା ଏବଂ ଭାରତ ପାଇଁ ଥିବା କମ୍ପାନିର ଯୋଜନା ବିଷୟରେ ପ୍ରଧାନମନ୍ତ୍ରୀ ଜାଣିବାକୁ ପାଇଥିଲେ।
Tags: #PMNarendraModi #SingaporeVisit #WSCTrainee #SkillDevelopment #Odisha