ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସରେ ସାମିଲ ହୋଇଛନ୍ତି ଭାରତୀୟ ରେସଲର ବଜରଙ୍ଗ ପୁନିଆ ଓ ଭିନେଶ ଫୋଗାଟ। ଶୁକ୍ରବାର କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ସେମାନେ ଦଳରେ ସାମିଲ ହୋଇଥିଲେ। ଏହି ଅବସରରେ କଂଗ୍ରେସର ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ଓ ହରିୟାଣା କଂଗ୍ରେସ ସଭାପତି ଉଦୟ ଭାନ ପ୍ରମୁଖ ଯୋଗ ଦେଇଥିଲେ।
ଶୁକ୍ରବାର ବ୍ୟକ୍ତିଗତ କାରଣ ଦର୍ଶାଇ ଭିନେଶ ଫୋଗଟ ଭାରତୀୟ ରେଳବାଇରୁ ଇସ୍ତଫା ଦେଇଥିଲେ। କଂଗ୍ରେସରେ ଯୋଗଦେବା ପୂର୍ବରୁ ସେମାନେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ସାକ୍ଷତ କରିଥିଲେ। ସେପ୍ଟେମ୍ବର ୪ ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଭେଟିଥିଲେ ବଜରଙ୍ଗ ଓ ଭିନେଶ।
“ମୁଁ କଂଗ୍ରେସ ଦଳକୁ ଧନ୍ୟବାଦ ଦେବାକୁ ଚାହୁଁଛି। ଆମେ ଆନ୍ଦୋଳନ କରୁଥିବା ସମୟରେ କଂଗ୍ରେସ ଆମ ସହ ଠିଆ ହୋଇଥିଲା। ଖରାପ ସମୟରେ ହିଁ ଜଣା ପଡ଼େ କିଏ ନିଜର ଓ କିଏ ପର। କଂଗ୍ରେସରେ ଯୋଗ ଦେଉଥିବାରୁ ମୁଁ ଗର୍ବ ଅନୁଭବ କରୁଛି”, କହିଛନ୍ତି ଭିନେଶ ଫୋଗାଟ।
ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ମାହୋଲ ଗରମ ରହିଛି। ଏହି ନିର୍ବାଚନରେ କଂଗ୍ରେସ ସେମାନଙ୍କୁ ଦଳର ପ୍ରାର୍ଥୀ କରିବାର ସମ୍ଭାବନା ରହିଛି।
ପ୍ୟାରିସ ଅଲିମ୍ପିକ୍ସରେ ନିରାଶ ହୋଇ ଭିନେଶ ଫୋଗାଟ ଭାରତ ଫେରିବା ସମୟରେ ହରିୟାଣା କଂଗ୍ରେସ ନେତା ଦୀପେନ୍ଦ୍ର ସିଂ ହୁଡ୍ଡା ନିଜେ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ସ୍ଵାଗତ କରିଥିଲେ। ଏହାପରେ ତାଙ୍କର କଂଗ୍ରେସରେ ସାମିଲ ହେବା ନେଇ କଳ୍ପନାଜଳ୍ପନା ଲାଗିରହିଥିଲା।
Tags: #VineshPhogat #BajrangPunia #Wrestlers #Congress #Haryana #India