ଓଡ଼ିଶାଲାଇଭ୍ ବ୍ୟୁରୋ

ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଆଶ୍ଵସ୍ତି। ଶୁକ୍ରବାର ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଦୀର୍ଘ ମାସ ପରେ ସେ ଜେଲରୁ ବାହାରିବେ।

ଶୁକ୍ରବାର ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଉଜ୍ଜ୍ଵଳ ଭୂୟାଁଙ୍କ ଖଣ୍ଡପୀଠ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ନେଇ ରାୟ ଶୁଣାଇଥିଲେ। ତେବେ ଜାମିନ ଅବଧି ମଧ୍ୟରେ କେଜ୍ରିୱାଲଙ୍କୁ ଦିଲ୍ଲୀ ବିଧାନସଭା ଓ ସଚିବାଳୟ ଯିବାକୁ ବାରଣ କରାଯାଇଛି।

ଅରବିନ୍ଦ କେଜ୍ରିୱାଲଙ୍କୁ ପୂର୍ବରୁ ଇଡି ଗିରଫ କରିଥିବା ମାମଲାରେ ଜାମିନ ମିଳି ସାରିଥିବାବେଳେ ସେ ସିବିଆରର ଗିରଫଦାରୀକୁ ନେଇ ସୁପ୍ରିମ୍‌କୋର୍ଟର ଚ୍ୟାଲେଞ୍ଜ କରିଥିଲେ। କେଜ୍ରିୱାଲଙ୍କ ପକ୍ଷରୁ ମୋକଦ୍ଦମା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘବୀ ତାଙ୍କ ଅନ୍ତରୀଣ ଜାମିନ ପାଇଁ କୋର୍ଟରେ ଯୁକ୍ତି ବାଢ଼ି ଥିଲେ।

ଅନ୍ୟପଟେ ସିବିଆଇ ପକ୍ଷରୁ କେଜ୍ରିୱାଲଙ୍କ ଜାମିନକୁ ବିରୋଧ କରାଯାଇଥିଲା। ସେପ୍ଟେମ୍ବର ୫ ତାରିଖରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।

ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ ତାରିଖ ରାତିରେ ଇଡି ପକ୍ଷରୁ ଗିରଫ କରାଯାଇଥିଲା। ଏହାପରେ ଇଡି ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା। କେଜ୍ରିୱାଲଙ୍କ ଇଡି ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ନ୍ୟାୟିକ ହେଫାଜତକୁ ପଠାଇଥିଲେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ସାମିଲ ରହିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଇଡି ତାଙ୍କୁ ପଚରାଉଚରା ପାଇଁ ୯ ଥର ସମନ କରିଥିଲେ ମଧ୍ୟ ସେ ହାଜର ହୋଇନଥିଲେ। ଯାଞ୍ଚରେ ସେ ସହଯୋଗ କରୁନଥିବା ଇଡି ପକ୍ଷରୁ କୁହାଯାଇଥିଲା।  

ଏହା ମଧ୍ୟରେ ଗତ ଲୋକସଭା ନିର୍ବାଚନ ସମୟରେ ତାଙ୍କୁ ମେ’ ୧୦ ତାରିଖରେ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ ସୁପ୍ରିମକୋର୍ଟ। ଜାମିନ ଅବଧି ସରିବା ପରେ ସେ ଜୁନ୍ ୨ ତାରିଖରେ ପୁଣି ଜେଲ ଯାଇଥିଲେ।

Tags: #ArvindKejriwal #CMofDelhi #LiquorScam #SupremeCourt #ED #NewDelhi

LEAVE A REPLY

Please enter your comment!
Please enter your name here