ଓଡ଼ିଶାଲାଇଭ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ପାଇଁ ଭୁବନେଶ୍ଵରରେ ଲାଗିଲା ଟ୍ରାଫିକ କଟକଣା। ମଙ୍ଗଳବାର ସକାଳ ୭ଟା ୩୦ରୁ ଅପରାହ୍ଣ ୩ଟା ଯାଏଁ ସହରରେ ଟ୍ରାଫିକ କଟକଣା ଲାଗୁ ରହିବ। ଏନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଜୟଦେବ ବିହାରରୁ ନାଲକୋ ଛକ ଯାଏଁ ରାସ୍ତାରେ ଟ୍ରାଫିକ କଟକଣା ଲାଗିବ। ଏହି ସମୟରେ ଏହି ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରହିବ। କେବଳ ଜରୁରୀକାଳୀନ ସେବା ଏବଂ ଆମ୍ବୁଲାନ୍ସ ପାଇଁ ଏହି କଟକଣା ରହିବ ନାହିଁ।
ନନ୍ଦନକାନନ ପଟୁ ଜୟଦେବ ବିହାର ଆଡ଼କୁ ଯିବାକୁ ଚାହୁଁଥିବା ଯାନବାହାନଗୁଡ଼ିକ ଡମଣା ଛକରୁ ବାମ ମୋଡ଼ ନେଇ ସୈନିକ ସ୍କୁଲ ରାସ୍ତା ଦେଇ ଆଚାର୍ଯ୍ୟ ବିହାର ଯାଇପାରିବେ। ସେହିପରି ଜୟଦେବ ବିହାରରୁ ନନ୍ଦନକାନନ ଆଡ଼କୁ ଯିବାକୁ ଥିବା ଗାଡ଼ି ସବୁ ଆଚାର୍ଯ୍ୟ ବିହାର-ସୈନିକ ସ୍କୁଲ ରାସ୍ତା ଦେଇ ଯିବେ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଭୁବନେଶ୍ୱରରେ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସହରରେ ୮୧ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ସୋମବାର ଏଥିପାଇଁ ଭୁବନେଶ୍ଵର ବିମାନବନ୍ଦରରୁ ଜନତା ମଇଦାନ ଯାଏଁ କାରକେଡ୍ ରିହରସଲ୍ କରାଯାଇଛି।
ପ୍ରଧାନମନ୍ତ୍ରୀ ମଙ୍ଗଳବାର ସକାଳ ୧୦ଟା ୫୦ ସମୟରେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ଗାଡ଼କଣ ବସ୍ତିକୁ ଯାଇ କିଛି ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କ ସହ କଥାହେବେ। ଏହାପରେ ସେ ଅପରାହ୍ଣ ୧୨ଟା ସମୟରେ ଜନତା ମଇଦାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ। ଏଠାରେ ମହିଳାମାନଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯିବ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହଣ ଚରଣ ମାଝୀ ଓ ରାଜ୍ୟର ଅନ୍ୟ ମନ୍ତ୍ରୀମାନେ ଯୋଗ ଦେବେ। ଏଠାରେ ରାଜ୍ୟରେ ହୋଇଥିବା ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ।
ଦିନ ୧ଟା ଯାଏଁ ପ୍ରଧାନମନ୍ତ୍ରୀ ଜନତା ମଇଦାନର କାର୍ଯ୍ୟକ୍ରମରେ ରହିବେ। ଏହାପରେ ସେ ନୂଆଦିଲ୍ଲୀ ଫେରିଯିବେ।
Tags: #PMNarendraModi #OdishaVisit #TrafficAdvisory #Bhubaneswar #Odisha