ଓଡ଼ିଶାଲାଇଭ୍ ବ୍ୟୁରୋ
ଇସ୍ତଫା ଦେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଅବକାରୀ ଦୁର୍ନୀତି ମାମଲାରେ ଜାମିନରେ ଜେଲରୁ ମୁକୁଳିବା ପରେ ରବିବାର ସେ ଏହାର ଘୋଷଣା କରିଛନ୍ତି। ଏହାକୁ ନେଇ ସାରା ଦେଶର ରାଜନୀତି ସରଗରମ। କିଏ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଏନେଇ ସମସ୍ତେ ଚର୍ଚ୍ଚା କରୁଛନ୍ତି।
ଅନ୍ୟପଟେ ଅରବିନ୍ଦ କେଜ୍ରିୱାଲ ଇସ୍ତଫା ଦେବା ପାଇଁ ୪୮ ଘଣ୍ଟାର ସମୟ ନିଜ ପାଖରେ ରଖିଛନ୍ତି। ତେବେ ସେ କେଉଁ ବାକିଆ କାମ ରହି ଯାଇଛି, ଯାହା ସେ ଏହି ୪୮ ଘଣ୍ଟା ମଧ୍ୟରେ ସାରିବାକୁ ଚାହୁଁଛନ୍ତି? ଏହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା।
କିଏ ସମ୍ଭାଳିବେ ଦିଲ୍ଲୀ ସିଂହାସନ?
ରବିବାର କେଜ୍ରିୱାଲ ନିଜ ପଦରୁ ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦେବାକୁ ଘୋଷଣା କରିଥିଲେ। ତାଙ୍କର ଏହି ଘୋଷଣା ପରେ କିଏ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ? ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କେଜ୍ରିୱାଲ ଜେଲ ଯିବା ପରେ ଦଳକୁ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ସମ୍ଭାଳିଥିଲେ। ହୁଏତ ତାଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇପାରେ ବୋଲି କୁହାଯାଉଛି।
ଭାରତୀୟ ରାଜସ୍ୱ ସେବାର ଜଣେ ପୂର୍ବତନ ଅଧିକାରୀ ସୁନୀତା କେଜ୍ରିୱାଲ। ରାଜନୈତିକ ଗୋଟି ଚାଳନା କରିବାର ଦକ୍ଷତା ତାଙ୍କ ପାଖରେ ଯେ ଅଛି ତାହା ସେ ଏଇ କିଛିଦିନ ମଧ୍ୟରେ ଦେଖାଇ ସାରିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ହେବାପାଇଁ ତାଲିକାରେ ତାଙ୍କର ନାଁ ଆଗରେ ରହିଛି।
ଅତିଶି ଓ ଗୋପାଳ ରାୟ ବି ହୋଇପାରନ୍ତି ମୁଖ୍ୟମନ୍ତ୍ରୀ
ଅନ୍ୟପକ୍ଷେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ନେଇ ଆମ ଆଦମୀ ପାର୍ଟିର ବରିଷ୍ଠ ନେତ୍ରୀ ତଥା ଦିଲ୍ଲୀ ସରକାରରେ ମନ୍ତ୍ରୀ ଅତିଶି ମାରଲେନାଙ୍କ ନାଁ ମଧ୍ୟ ଆଗଧାଡ଼ିରେ ରହିଛି। ମନିଶ ସିସୋଦିଆ ଗିରଫ ହେବା ପରେ ଦିଲ୍ଲୀ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ଅତିଶି। ଆପରେ ତାଙ୍କର ଟ୍ରାକ ରେକର୍ଡ ମଧ୍ୟ ବେଶ ଭଲ ରହିଛି।
ସେହିପରି ମୁଖ୍ୟମନ୍ତ୍ରୀ ପଦ ପାଇଁ ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ଗୋପାଳ ରାୟଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି।
ନାଟକୀୟ ଢଙ୍ଗରେ ଇସ୍ତଫା କାହିଁକି?
ଏପରି ନାଟକୀୟ ଢଙ୍ଗରେ ଇସ୍ତଫା ଘୋଷଣା କରି ଅଠାକାଠିରେ ପଡ଼ି ଯାଇଛନ୍ତି କେଜ୍ରିୱାଲ। ବିଜେପି ଏହାକୁ ନେଇ କଡ଼ା ସମାଲୋଚନା କରିଥିବାବେଳେ କଂଗ୍ରେସ ବି ଛାଡ଼ିନି। ଆମ ଆଦମୀ ପାର୍ଟିରେ ବିବାଦ ଚାଲିଛି ଏବଂ କେଜ୍ରିୱାଲ ଏହାକୁ ସମ୍ଭାଳି ନ ପାରିବାରୁ ଇସ୍ତଫା ଦେଉଛନ୍ତି ବୋଲି କହିଛି ବିଜେପି।
ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀ କହିଛନ୍ତି, “ଜେଲରେ ଥିବାବେଳେ କେଜ୍ରିୱାଲ ଇସ୍ତଫା ଦେଇ ନଥିଲେ। ଏବେ ୪୮ ଘଣ୍ଟା ପରେ ଇସ୍ତଫା ଦେବେ ବୋଲି କାହିଁକି କହିଲେ? ଏହି ୪୮ ଘଣ୍ଟା ସମୟ ନେବାର ରହସ୍ୟ କ’ଣ?
ସେହିପରି ଦିଲ୍ଲୀ ବିଜେପି ମୁଖ୍ୟ ବିରେନ୍ଦ୍ର ସଚଦେବା କହିଛନ୍ତି, “ସେ ମୁଖ୍ୟମନ୍ତ୍ରୀ ରହିବେ କି ନାହିଁ ତାହା ଜନତା କହିବେ ବୋଲି କେଜ୍ରିୱାଲ ଯେଉଁ ପ୍ରଚାର କରୁଛନ୍ତି ତା’ର ଉତ୍ତର ଜନତା ଲୋକସଭା ନିର୍ବାଚନ ବେଳେ ଦେଇ ସାରିଛନ୍ତି। ଦିଲ୍ଲୀରେ ଆମ ଆଦମୀ ପାର୍ଟି ସବୁ ଲୋକସଭା ଆସନରେ ପରାସ୍ତ ହୋଇଥିଲା। ଏହା ହିଁ ହେଉଛି ଜନତାଙ୍କ ନିଷ୍ପତ୍ତି।”
ଅନ୍ୟପକ୍ଷେ ଆମ ଆଦମୀ ପାର୍ଟି ସହ ଏକାଠି ଲୋକସଭା ନିର୍ବାଚନ ଲଢିଥିବା କଂଗ୍ରେସ ମଧ୍ୟ କେଜ୍ରିୱାଲଙ୍କର କଡ଼ା ସମାଲୋଚନା କରିଛି। ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଦେବେନ୍ଦ୍ର ଯାଦବ ଏହାକୁ ରାଜନୈତିକ ଷ୍ଟଣ୍ଟ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପାଖେ କୌଣସି କ୍ଷମତା ନ ଥିବାରୁ ସେ ଇସ୍ତଫା ଘୋଷଣା କରିଛନ୍ତି ବୋଲି କହିଛନ୍ତି ଯାଦବ।
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିଲେ ଅରବିନ୍ଦ କେଜ୍ରିୱାଲ। ଶନିବାର ତାଙ୍କୁ ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା। ତେବେ ସେ ମୁଖ୍ୟମନ୍ତ୍ରୀ ଅଫିସକୁ ଯାଇପାରିବେ ନାହିଁ କିମ୍ବା ଉପରାଜ୍ୟପାଳଙ୍କ ମଞ୍ଜୁରୀ ବିନା କୌଣସି ଫାଇଲରେ ଦସ୍ତଖତ କରି ପାରିବେ ନାହିଁ ବୋଲି ସର୍ତ୍ତ ରଖିଥିଲେ ସୁପ୍ରିମକୋର୍ଟ।
Tags: #ArvindKejriwal #CMofDelhi #Resignation #LiquorScam #SupremeCourt #NewDelhi