ଓଡ଼ିଶାଲାଇଭ ବ୍ୟୁରୋ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆମ ଆଦମୀ ପାର୍ଟି (ଆପ) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ମଙ୍ଗଳବାର ଦିନ ସେ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଇସ୍ତଫା ଦେବା ସମୟରେ ତାଙ୍କ ସହ ଆତିଶି ମାର୍ଲେନା, ସୌରଭ ଭରଦ୍ଵାଜ ଓ ଗୋପାଳ ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ।

ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ପରେ ଦଳର ଅନ୍ୟତମ ବରିଷ୍ଠ ନେତା ଆତିଶି ମାର୍ଲେନା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ। ଆତିଶି ମାର୍ଲେନା କେଜ୍ରିୱାଲଙ୍କ ଇସ୍ତଫା ପରେ ଉପରାଜ୍ୟପାଳଙ୍କୁ ସାକ୍ଷାତ କରି ଦିଲ୍ଲୀରେ ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି।

ଆଜି ଆପ ବିଧାୟକ ଦଳର ବୈଠକରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପାଇଁ ଆତିଶି ମାର୍ଲେନାଙ୍କ ନାଁରେ ମୋହର ବାଜିଛି। ଖୁବଶୀଘ୍ର ଶପଥ ଗ୍ରହଣ ଉତ୍ସବ ପାଳନ କରାଯିବ ବୋଲି କହିଛନ୍ତି ବରିଷ୍ଠ ନେତା ଗୋପାଳ ରାୟ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଦିନ ଜେଲରୁ ମୁକୁଳି ଥିଲେ। ଏହାପରେ ରବିବାର ଦିନ ସେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ୪୮ ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ।

୨୦୧୫ ମସିହାରେ ଅନୁଷ୍ଠିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ୭୦ରୁ ୬୭ଟି ଆସନ ଜିତି ରେକର୍ଡ କରିଥିଲା। ୨୦୧୫ ମସିହାଠାରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ ଅରବିନ୍ଦ କେଜ୍ରିୱାଲ।

Tags: #AtishiMarlena #NewCM #ArvindKejriwal #CMofDelhi #Resignation #NewDelhi

LEAVE A REPLY

Please enter your comment!
Please enter your name here