ମିନତି ମିଶ୍ର

ଓଡ଼ିଶାରେ ୭୪ତମ ଜନ୍ମଦିନ ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଖିରି ଖାଇଲେ, ଲୋକଙ୍କ ସହ ଆଲୋଚନା କଲେ। ସୁଭଦ୍ରା ଯୋଜନାର ଶୁଭାରମ୍ଭ ସହ ପିଏମ ଆବାସ ଯୋଜନାର କିସ୍ତି ବାଣ୍ଟିଲେ ନରେନ୍ଦ୍ର ମୋଦୀ। ଏହା ସହ ଆଗାମୀ ଦିନରେ ଓଡ଼ିଶାକୁ ସୁନାର ଓଡ଼ିଶାରେ ପରିଣତ କରିବାର ପ୍ରତିଶ୍ରୁତି ଦେଲେ।

ଖିରି ଖାଇଲେ ନରେନ୍ଦ୍ର ମୋଦୀ

ନରେନ୍ଦ୍ର ମୋଦୀ ମଙ୍ଗଳବାର ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ଗାଡ଼କଣ ଯାଇଥିଲେ। ସେଠାରେ ପିଏମ ଆବାସ ଯୋଜନା ହିତାଧିକାରୀଙ୍କ ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ସାମିଲ ହେବା ସହ ହିତାଧିକାରୀଙ୍କୁ ଘରଚାବି ଦେଇଥିଲେ। ଏହି ଅବସରରେ ଜଣେ ହିତାଧିକାରୀଙ୍କ ଘରେ ଠାକୁର ପୂଜା କରିବା ସହ ତାଙ୍କ ଘରେ ଖିରି ଖାଇଥିଲେ ନରେନ୍ଦ୍ର ମୋଦୀ। ଏହା ପରେ କିଛି ସମୟ ବିଭିନ୍ନ ପ୍ରସଙ୍ଗରେ ସ୍ଥାନୀୟ ମହିଳାମାନଙ୍କ ସହ ଆଲୋଚନା କରିଥିଲେ।

ନରେନ୍ଦ୍ର ମୋଦୀ କହିଥିଲେ ଆଜି ଏନଡିଏ ସରକାରର ତୃତୀୟ ପାଳିର ୧୦୦ ଦିନ ପୂରଣ ହୋଇଛି। ଆଜି ସମଗ୍ର ଦେଶରେ ପିଏମ ଆବାସ ଯୋଜନାରେ ୩୦ ଲକ୍ଷରୁ ଅଧିକ ପରିବାରକୁ ପକ୍କା ଘର ଦିଆଯାଇଛି।

ହିତାଧିକାରୀଙ୍କ ଖାତାକୁ ଗଲା ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାଡ଼କଣରୁ କାର୍ଯ୍ୟକ୍ରମ ସାରି ଜନତା ମଇଦାନଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଥିଲେ ନରେନ୍ଦ୍ର ମୋଦୀ। ଯୋଜନା ଆରମ୍ଭ ହେବା ପରେ ପରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି ପ୍ରଥମ କିସ୍ତିର ୫ ହଜାର ଟଙ୍କା।

ଏହା ପୂର୍ବରୁ ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କାଟିଏ ଲେଖାଏଁ ପଠାଯାଇଥିଲା। ପ୍ରାୟ ୨୫ ଲକ୍ଷ ମହିଳାଙ୍କ ଖାତାକୁ ପ୍ରଥମ କିସ୍ତି ଟଙ୍କା ଯାଇଛି। ଦିନକରେ ୧୨ଶହ ୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ପଞ୍ଜୀକରଣ କରିଥିବା ସମସ୍ତ ହିତାଧିକାରୀଙ୍କୁ ଯୋଜନାର ଲାଭ ମିଳିବ ବୋଲି ନରେନ୍ଦ୍ର ମୋଦୀ କହିଛନ୍ତି।

ସୁଭଦ୍ରା ଯୋଜନା ଶୁଭାରମ୍ଭ ସହ ପିଏମ ଆବାସର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଯୋଜନା ହିତାଧିକାରୀଙ୍କୁ କାର୍ଯ୍ୟ ନିର୍ଦ୍ଦେଶପତ୍ର ପ୍ରଦାନ କରାଯାଇଛି। ଅନେକ ରେଳ ପ୍ରକଳ୍ପ ଓ କଳିଙ୍ଗ ଷ୍ଟାଡିୟମରେ ବ୍ୟାଡମିଣ୍ଟନ କୋର୍ଟର ଉନ୍ମୋଚନ କରିଛନ୍ତି ନରେନ୍ଦ୍ର ମୋଦୀ।

ଶ୍ରୀଜଗନ୍ନାଥଙ୍କ କୃପାରୁ ପୁଣି ଓଡ଼ିଶା ଆସିଲି – ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଅଭିଭାଷଣରେ କହିଥିଲେ, ସୁଭଦ୍ରା ଯୋଜନା ରାଜ୍ୟର ଏକ କୋଟି ମା’ ଓ ଭଉଣୀଙ୍କୁ ସଶକ୍ତ କରିବ। ଓଡ଼ିଶାରେ ବିଜେପି ସରକାରର ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଥିଲି ଶ୍ରୀ ଜଗନ୍ନାଥଙ୍କ କୃପାରୁ ପୁଣି ଓଡ଼ିଶା ଆସିବାର ସୁଯୋଗ ମିଳିଲା ବୋଲି ନରେନ୍ଦ୍ର ମୋଦୀ କହିଛନ୍ତି।

“ଡବଲ ଇଞ୍ଜିନ ସରକାରରେ ୩ ଗୁଣା ଅଧିକ ଅନୁଦାନ”

ନରେନ୍ଦ୍ର ମୋଦୀ କହିଛନ୍ତି, “ଓଡ଼ିଶା ସବୁ ପ୍ରକାର ସମ୍ପଦରେ ଭରପୂର। ବିଗତ ୧୦ ବର୍ଷରେ ଓଡ଼ିଶାକୁ ସର୍ବାଧିକ ଅନୁଦାନ ଦିଆଯାଇଛି। ଏବେ ଡବଲ ଇଞ୍ଜନ ସରକାରରେ ଓଡ଼ିଶାର ଦ୍ରୁତ ବିକାଶ ହେବ। ୧୦ ବର୍ଷ ଭିତରେ ଯାହା ଦିଆଯାଇଥିଲା, ଏବେ ତାଠାରୁ ୩ ଗୁଣା ଅଧିକ ଅନୁଦାନ ଦିଆଯାଉଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶାରେ ପୂର୍ବରୁ ଆୟୁଷ୍ମାନ ଭାରତ ସୁବିଧା ମିଳୁନଥିଲା। ଏବେଠୁ ଓଡ଼ିଶାବାସୀ ଏହି ଯୋଜନାର ସୁବିଧା ପାଇବେ। ସେ ଆହୁରି କହିଥିଲେ, ନିର୍ବାଚନ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ଗୋଟି ଗୋଟି କରି ପୂରଣ କରାଯାଉଛି।

ଜନ୍ମଦିନରେ ମା’ଙ୍କୁ ମନେ ପକାଇ ଭାବବିହ୍ୱଳ ହେଲେ ନରେନ୍ଦ୍ର ମୋଦୀ

ନିଜ ଜନ୍ମଦିନ ଅବସରରେ ମା’ଙ୍କୁ ମନେ ପକାଇ ଭାବବିହ୍ୱଳ ହୋଇପଡ଼ିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଥିଲେ, ପ୍ରତିବର୍ଷ ମା’ଙ୍କ ସହ ଜନ୍ମଦିନ ପାଳନ କରେ। ମା’ ଗୁଡ଼ ଖୁଆଇ ଆଶୀର୍ବାଦ ଦେଇଥାନ୍ତି। ଆଜି ମା’ ନାହାନ୍ତି। ହେଲେ ଆଜି ଜଣେ ଆଦିବାସୀ ମା’ ମୋତେ ଖିରି ଖୁଆଇ ଆଶୀର୍ବାଦ ଦେଇଛନ୍ତି।

“ଖୁବ ଶୀଘ୍ର ପୁରୀ-କୋଣାର୍କ ମଧ୍ୟରେ ଗଡ଼ିବ ରେଳ”

ସୁଭଦ୍ରା ଯୋଜନା ଶୁଭାରମ୍ଭ ଅବସରରେ ଓଡ଼ିଶାକୁ ଅନେକ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି, ୫ ବର୍ଷରେ ଓଡ଼ିଶାରେ ରେଳ ଓ ସଡ଼କ ପଥର ବିକାଶ କରାଯିବ। ଖୁବଶୀଘ୍ର ପୁରୀ-କୋଣାର୍କ ମଧ୍ୟରେ ରେଳ ଚଳାଚଳ କରିବ। ଏଥିପାଇଁ ଶୀଘ୍ର କାମ ଆରମ୍ଭ ହେବ। ବିଭିନ୍ନ ପ୍ରକଳ୍ପରେ ଓଡ଼ିଆ ଯୁବକମାନଙ୍କୁ ରୋଜଗାର ମିଳିବ। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ୭୫ ହଜାର ନୂଆ ମେଡିକାଲ ସିଟ ଯୋଡ଼ିବାକୁ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି। ଏହା ସହ ଜନଜାତୀୟ ବଜେଟରେ ୨ଗୁଣା ବୃଦ୍ଧି କରାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

Tags: #PMNarendraModi #OdishaVisit #SubhadraYojana # #Bhubaneswar #Odisha #SubhadraYojanaLaunches

LEAVE A REPLY

Please enter your comment!
Please enter your name here