ଓଡ଼ିଶାଲାଇଭ୍ ବ୍ୟୁରୋ

“ମହିଳାଙ୍କ ଉନ୍ନତି ଓଡ଼ିଶା ବିକାଶର ମୂଳମନ୍ତ୍ର ହେବ”, ଭୁବନେଶ୍ଵର ଜନତା ମଇଦାନଠାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବା ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଜୟ ଜଗନ୍ନାଥରୁ ନିଜର ଅଭିଭାଷଣ ଆରମ୍ଭ କରି ପ୍ରଧାନମନ୍ତ୍ରୀ କହିଥିଲେ, ନିର୍ବାଚନ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ଗୋଟି ଗୋଟି କରି ପୂରଣ କରାଯାଉଛି। ଓଡ଼ିଶାରେ ବିଜେପି ସରକାର ଗଢ଼ିବା ପରେ ପରେ ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲାଗଲା, ରତ୍ନଭଣ୍ଡାର ଖୋଲା ଗଲା।

‘ସୁଭଦ୍ରା’ ଯୋଜନାରେ ମହିଳାମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ଆଜି ତାହା ମଧ୍ୟ ପୂରଣ ହୋଇଛି। ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ପଞ୍ଜୀକୃତ ହୋଇଥିବା ୭୨ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତିର ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଏକ କୋଟିରୁ ଊର୍ଦ୍ଧ୍ଵ ମହିଳାଙ୍କୁ ଏହି ଯୋଜନାର ଲାଭ ମିଳିବ ବୋଲି ସେ କହିଥିଲେ।

ମଧ୍ୟ ବର୍ଗର ଲୋକ ଯେଉଁ ସବୁ ସ୍ଵପ୍ନ ଦେଖିଛନ୍ତି ତାହା ନିଶ୍ଚୟ ପୂରଣ ହେବ ବୋଲି ନରେନ୍ଦ୍ର ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ, ମହାପ୍ରଭୁଙ୍କ ଆଶୀର୍ବାଦରୁ ମା’ ସୁଭଦ୍ରାଙ୍କ ନାଁରେ ଓଡ଼ିଶାରେ ମହିଳାଙ୍କ ଆର୍ଥିକ ଉନ୍ନତି ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯାଇଛି। ସୁଭଦ୍ରା ଯୋଜନା ସହ ଓଡ଼ିଶାର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରାଯାଇଛି ବୋଲି ସେ କହିଛନ୍ତି।

ସମଗ୍ର ଦେଶରେ ୭୫ ହଜାର ନୂଆ ମେଡିକାଲ ସିଟ୍ ଯୋଡ଼ିବା ପାଇଁ ନିଷ୍ପତ୍ତି ନିଆଯାଇଛି। ନିକଟରେ ୨୫ ହଜାର ଗାଁକୁ ପକ୍କା ସଡ଼କ ଯୋଜନାରେ ଯୋଡ଼ିବାକୁ ସ୍ଵୀକୃତି ମିଳିଛି। ଏଥିରେ ଓଡ଼ିଶାର ଅନେକ ଗାଁ ମଧ୍ୟ ସାମିଲ ହେବ ବୋଲି ନରେନ୍ଦ୍ର ମୋଦୀ କହିଛନ୍ତି।

ପୁରୀ-କୋଣାର୍କ ରେଳ ଲାଇନରେ ଶୀଘ୍ର କାମ ଆରମ୍ଭ ହେବ। ଆସନ୍ତା ୫ ବର୍ଷ ମଧ୍ୟରେ ସଡ଼କ ଓ ରେଳ ପଥକୁ ବ୍ୟାପକ କରାଯିବ। ଏହା ଦ୍ଵାରା ଅନେକ ରୋଜଗାର ସୁଯୋଗ ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି ଜନଜାତୀୟ ବଜେଟରେ ଦୁଇ ଗୁଣା ବୃଦ୍ଧି କରାଯାଇଛି। ସରକାରୀ କର୍ମଚାରୀଙ୍କ ପାଇଁ ଆକର୍ଷଣୀୟ ପେନସନ ଯୋଜନାର ଘୋଷଣା କରାଯାଇଛି।

ସେ କହିଛନ୍ତି ଗତ ୧୦୦ ଦିନରେ ଓଡ଼ିଶା ସମେତ ସମଗ୍ର ଦେଶରେ ୧୧ ଲକ୍ଷ ନୂଆ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି।

ମଙ୍ଗଳବାର ଦିନ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯିବା ସହ ୩୦ ଲକ୍ଷରୁ ଅଧିକ ପରିବାରକୁ ପକ୍କା ଘର ପ୍ରଦାନ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ଗ୍ରାମୀଣ (ପିଏମଏୱାଇ-ଜି) ରେ ୧୩ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କରାଯାଇଛି। ପିଏମଏୱାଇର ୨୬ ଲକ୍ଷ ଲୋକଙ୍କ ଗୃହ ପ୍ରବେଶ ହୋଇଛି। ଆବାସ ଆପ୍‌ର ଶୁଭାରମ୍ଭ କରିବା ସହ ପିଏମଏୱାଇ ହିତାଧିକାରୀଙ୍କୁ ଗୃହ ଚାବି ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପିଏମଏୱାଇ-ଅର୍ବାନ 2.O ଗାଇଡଲାଇନ ମଧ୍ୟ ଲଞ୍ଚ କରାଯାଇଛି। ଏହି ଅବସରରେ ଏକାଧିକ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ।

Tags: #PMNarendraModi #OdishaVisit #SubhadraYojana # #Bhubaneswar #Odisha #SubhadraYojanaLaunches

LEAVE A REPLY

Please enter your comment!
Please enter your name here