ମିନତି ମିଶ୍ର

ଦିଲ୍ଲୀ ରାଜନୀତିରେ ହୋଇଛି କ୍ଷମତାର ପରିବର୍ତ୍ତନ, ଆତିଶି ମାର୍ଲେନାଙ୍କୁ ମିଳିଛି ମୁଖ୍ୟମନ୍ତ୍ରୀ ଦାୟିତ୍ଵ।

ଦିଲ୍ଲୀର ଶାସନ ଭାର ଏବେ ଜଣେ ମହିଳାଙ୍କ ଉପରେ। ମୁଖ୍ୟମନ୍ତ୍ରୀ ହେବେ ଆମ ଆଦମୀ ପାର୍ଟି (ଆପ) ନେତ୍ରୀ ଆତିଶି ମାର୍ଲେନା। ଶପଥ ଗ୍ରହଣ ପରେ ଆତିଶି ହେବେ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ।

ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଅରବିନ୍ଦ କେଜ୍ରିୱାଲ ଜେଲରୁ ମୁକୁଳିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପୂର୍ବରୁ ଆପ ବିଧାୟକ ଦଳର ବୈଠକରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପାଇଁ ଆତିଶିଙ୍କ ନାଁରେ ମୋହର ବାଜିଥିଲା। ଆତିଶି ମୁଖ୍ୟମନ୍ତ୍ରୀ ହେବା ନେଇ ଘୋଷଣା କରିଥିଲେ ଅରବିନ୍ଦ କେଜ୍ରିୱାଲ।

ସୁଷମା, ଶୀଲାଙ୍କ ପରେ ଆତିଶି

୧୯୯୮ ମସିହାରେ ବିଜେପି ନେତ୍ରୀ ସୁଷମା ସ୍ୱରାଜ ୫୨ ଦିନ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ଏହା ପରେ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତ ୧୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳି ଥିଲେ। ଏବେ ଦିଲ୍ଲୀ ନେତୃତ୍ୱ ନେବେ ୪୩ ବର୍ଷୀୟ ଆତିଶି ମାର୍ଲେନା।

ଆପର କାର୍ଯ୍ୟକାଳ ଆସନ୍ତା ୨୦୨୫ ଫେବ୍ରୁଆରି ୨୩ ତାରିଖରେ ଶେଷ ହେବାକୁ ଯାଉଛି। ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ନିର୍ବାଚନ କରାଇବା ପାଇଁ ଆମ ଆଦମୀ ପାର୍ଟି ଦାବି କରୁଛି। ଯଦି ନିର୍ବାଚନ କମିଶନ ଆପର ଦାବି ଅନୁସାରେ ଶୀଘ୍ର ନିର୍ବାଚନ କରାନ୍ତି, ତେବେ ଆତିଶି ଆସନ୍ତା ନଭେମ୍ବର ମାସ ଯାଏଁ ମୁଖ୍ୟମନ୍ତ୍ରୀ ପଦରେ ରହିବେ। ନଚେତ ଆସନ୍ତା ବର୍ଷ ଯାଏଁ ତାଙ୍କୁ ଦିଲ୍ଲୀର ଦାୟିତ୍ୱ ସମ୍ଭାଳିବାକୁ ପଡ଼ିବ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା କିଛି ନେତାଙ୍କୁ କ୍ଷମତା ଚ୍ୟୁତ କରିଥିବାବେଳେ ଆତିଶିଙ୍କୁ ମିଳିଥିଲା ମନ୍ତ୍ରୀ ପଦ। ଏବେ ସେ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ।

୧୨ ବର୍ଷର ସାଧନାର ଫଳ ମିଳିଲା

ଆତିଶି ଥିଲେ ଆମ ଆଦମୀ ପାର୍ଟିର ଜଣେ ସାଧରଣ କର୍ମୀ। ୨୦୨୩ ଫେବ୍ରୁଆରି ୨୬ ତାରିଖରେ ଅବକାରୀ ଦୁର୍ନୀତି ମାମଲାରେ ପ୍ରଥମେ ଗିରଫ ହୋଇ ମନିଷ ସିସୋଦିଆ ଜେଲ ଯିବା ପରେ ଆରମ୍ଭ ହୋଇଥିଲା ଦିଲ୍ଲୀ ରାଜନୀତିରେ ପରିବର୍ତ୍ତନ। ୨୦୨୩ ମାର୍ଚ୍ଚ ୯ ତାରିଖରେ ପ୍ରଥମ ଥର ମନ୍ତ୍ରୀ ପଦ ପାଇଲେ ଆତିଶି ମାର୍ଲେନା। ସେହି ବର୍ଷ ଅକ୍ଟୋବର ୪ ତାରିଖରେ ଗିରଫ ହେଲେ ସଞ୍ଜୟ ସିଂହ। ସଞ୍ଜୟ ସିଂହ ଗିରଫ ହେବା ପରେ ଆତିଶିଙ୍କ ଦାୟିତ୍ୱ ବଢ଼ିଯାଇଥିଲା। ମନ୍ତ୍ରୀ ପଦ ତାଙ୍କୁ ଦଳର ଦାୟିତ୍ୱ ମଧ୍ୟ ସମ୍ଭାଳିବାକୁ ପଡ଼ିଥିଲା। ୨୦୨୪ ମାର୍ଚ୍ଚ ୨୧ ତାରିଖରେ ଅରବିନ୍ଦ କେଜ୍ରିୱାଲ ଗିରଫ ହେବା ପରେ ଦଳକୁ ବେଶ ଭଲ ଭାବେ ସମ୍ଭାଳି ଥିଲେ ଆତିଶି।

ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିବା ପରେ କିଏ ଦିଲ୍ଲୀ ଶାସନ ଭାର ସମ୍ଭାଳିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହାରି ମଧ୍ୟରେ ଆତିଶିଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦଳ ନିଷ୍ପତ୍ତି ନେଲା।

ରବର ଷ୍ଟାମ୍ପ ମୁଖ୍ୟମନ୍ତ୍ରୀ!

ରାଜନୈତିକ କରିଡରରେ ଚର୍ଚ୍ଚା ହେଉଛି, ଅରବିନ୍ଦ କେଜ୍ରିୱାଲ ଏମିତି ଜଣେ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିଲେ, ଯିଏ କି ରିମୋର୍ଟ ଭାବେ କାମ କରିବେ। ଏହା ଛଡ଼ା ଏମିତି ଜଣେ ନେତା ମୁଖ୍ୟମନ୍ତ୍ରୀ ଆସନରେ ରହିବା ଦରକାର ଯାହାଦ୍ୱାରା ହରିଆଣାରେ ଦଳକୁ ଫାଇଦା ମିଳିପାରିବ। ତେଣୁ ଏ ସବୁ ସ୍ଥିତିକୁ ପରଖିବା ପରେ ହୁଏତ କେଜ୍ରିୱାଲ ଆତିଶିଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଦେଇଥାଇପାରନ୍ତି।

କେଜ୍ରିୱାଲଙ୍କ ବିଶ୍ୱାସ କାଏମ ରଖିଥିଲେ ଆତିଶି

ଅରବିନ୍ଦ କେଜ୍ରିୱାଲଙ୍କ ଅନୁପସ୍ଥିତିରେ ଆତିଶି ମାର୍ଲେନା ନିଷ୍ଠାର ସହ ଦଳ ପାଇଁ କାମ କରିଛନ୍ତି। କେଜ୍ରିୱାଲ ଜେଲରେ ଥିବାବେଳେ ସେ ଖୁବ ସଚ୍ଚୋଟତାର ସହ ସରକାର ଏବଂ ଦଳକୁ ସମ୍ଭାଳି ଥିଲେ। ଦଳର ନିଷ୍ପତ୍ତି ଓ ଅନୁଶାସନକୁ ମାନି କାମ କରୁଥିଲେ। ଏପରିକି ବିଜେପିକୁ କଡ଼ା ସମାଲୋଚନା ବି କରୁଥିଲେ। ତାଙ୍କ ଉପରେ କେଜ୍ରିୱାଲଙ୍କର ଥିବା ବିଶ୍ୱାସ ଓ ଭରସାକୁ ସେ ଭାଙ୍ଗି ନଥିଲେ।

ଏପରିକି ଅରବିନ୍ଦ କେଜ୍ରିୱାଲଙ୍କ ଅନୁପସ୍ଥିତିରେ କେବେ ବି ତାଙ୍କୁ ବାଇପାସ କରି କାମ କରିବା କଥା ଚିନ୍ତା କରିନଥିଲେ ଆତିଶି। ଆତିଶିଙ୍କର ଦଳ ଓ ନେତାଙ୍କ ପ୍ରତି ରହିଥିବା ଆନ୍ତରିକତା ତାଙ୍କୁ ଆଜି ଏହି ଆସନରେ ପହଞ୍ଚାଇଛି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।

 ମେଧାବୀ ଛାତ୍ରୀରୁ ରାଜନୀତି

ଆତିଶି ମାର୍ଲେନାଙ୍କ ଜନ୍ମ ୧୯୮୧ ମସିହା ଜୁନ ୮ ତାରିଖରେ ଦିଲ୍ଲୀଠାରେ ଏକ ପଞ୍ଜାବୀ-ରାଜପୁତ ପରିବାରରେ ହୋଇଥିଲା। ତାଙ୍କ ବାପା ବିଜୟ ସିଂହ ଏବଂ ମା’ ନୃପତା ସିଂହ ଉଭୟେ ଦିଲ୍ଲୀ ୟୁନିଭର୍ସିଟିରେ ପ୍ରଫେସର । ଆତିଶି ମଧ୍ୟ ମେଧାବୀ ଏବଂ ଉଚ୍ଚଶିକ୍ଷିତା। ସେ ଅକ୍ସଫୋର୍ଡ ୟୁନିଭର୍ସିଟିରୁ ଇତିହାସରେ ସ୍ନାତକୋତ୍ତର ହାସଲ କରିଛନ୍ତି। ସେତିକି ନୁହେଁ, ସେଠାରେ ସେ ସ୍କଲାର୍ସିପ ମଧ୍ୟ ପାଉଥିଲେ। ଏତେ ମେଧାବୀ ଛାତ୍ରୀ ହୋଇ ମଧ୍ୟ ଆରମ୍ଭରୁ ଆତିଶିଙ୍କର ରାଜନୀତି ପ୍ରତି ଆଗ୍ରହ ରହିଥିଲା।

ଆନ୍ନା ହଜାରେଙ୍କ ଆନ୍ଦୋଳନରେ ସାମିଲ ଥିଲେ ଆତିଶି

ଲୋକପାଳ ବିଲକୁ ନେଇ ଆନ୍ନା ହଜାରେ ଆରମ୍ଭ କରିଥିବା ଆନ୍ଦୋଳନରେ ସାମିଲ ହୋଇଥିଲେ ଅରବିନ୍ଦ କେଜ୍ରିୱାଲ ଏବଂ ଆତିଶି ମାର୍ଲେନା। ୨୦୧୨ ମସିହାରେ ଅରବିନ୍ଦ କେଜ୍ରିୱାଲ ଆମ ଆଦମୀ ପାର୍ଟି ଗଠନ କରିବା ସମୟରେ ସାଧାରଣ କର୍ମୀ ଭାବେ ଦଳରେ ସାମିଲ ଥିଲେ ଆତିଶି। ସେ ମଧ୍ୟପ୍ରଦେଶର ଏକ ଗ୍ରାମରେ କୃଷକମାନଙ୍କ ପାଇଁ ୭ ବର୍ଷ କାଳ କାମ କରିଥିଲେ।

ଆତିଶି ଥିଲେ ଉପମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା

୨୦୧୫ ମସିହାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ଥିବା ମନୀଷ ସିସୋଦିଆଙ୍କ ବ୍ୟକ୍ତିଗତ ପରାମର୍ଶଦାତା ଭାବେ ବି ନିଯୁକ୍ତ ଥିଲେ ଆତିଶି ମାର୍ଲେନା। ୨୦୧୯ ମସିହାରେ ପୂର୍ବ ଦିଲ୍ଲୀରୁ ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ଅବଶ୍ୟ ହାରି ଯାଇଥିଲେ ଆତିଶି। ହେଲେ ୨୦୨୦ ବିଧାନସଭା ନର୍ବାଚନରେ ପ୍ରଥମ ଥର ପାଇଁ ଆତିଶି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୨୩ ମସିହାରେ ମନ୍ତ୍ରୀ ପଦ ପାଇଥିଲେ ସେ। ୨୦୨୪ରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ମଧ୍ୟ ତାଙ୍କୁ ଜୁଟିଛି। ଦୀର୍ଘ  ୧୨ ବର୍ଷର ସଂଘର୍ଷ ଭିତରେ ଆତିଶି ଜଣେ ସାଧାରଣ କର୍ମୀରୁ ମୁଖ୍ୟମନ୍ତ୍ରୀ ଗାଦି ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି।

Tags: #Politics #DelhiPolitics #AtishiMarlena #NewCM #ArvindKejriwal #CMofDelhi #Resignation #NewDelhi

LEAVE A REPLY

Please enter your comment!
Please enter your name here