ଓଡ଼ିଶାଲାଇଭ ବ୍ୟୁରୋ

ଗିରଫ ହେଲେ ବାଲେଶ୍ଵର ଗ୍ରାମ୍ୟ ନିର୍ମାଣ ମଣ୍ଡଳ ମୁଖ୍ୟଯନ୍ତ୍ରୀ ଏନ ଭି ହରିହର ରାଓ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶନିବାର ଦିନ ହରିହର ରାଓଙ୍କୁ ଗିରଫ କରିଛି ଭିଜିଲାନ୍ସ।

ଶୁକ୍ରବାର ଦିନ ତାଙ୍କର ୧୧ଟି ଠିକଣା ଉପରେ ଚଢ଼ଉ କରିଥିଲା ଭିଜିଲାନ୍ସ ଟିମ୍। ଜବତ ସମ୍ପତ୍ତି ସମ୍ପର୍କରେ ସନ୍ତୋଷ ଜନକ ଉତ୍ତର ଦେଇନପାରିବାରୁ ତାଙ୍କୁ ଗିରଫ କରାଯାଇଛି।

ଏନ ଭି ହରିହର ରାଓଙ୍କ ବ୍ରହ୍ମପୁର ଭାବିନିପୁରରେ ଥିବା ଦୁଇ ମହଲା ବିଶିଷ୍ଟ ଘର, ଭୁବନେଶ୍ଵର ପାତ୍ରପଡ଼ାଠାରେ ଥିବା ଘର, ବ୍ରହ୍ମପୁର କମାପଲ୍ଲୀରେ ଥିବା ଏକ ଫ୍ଲାଟ, ଫୁଲବାଣୀ ଓଲେନବାଚରେ ଥିବା ତାଙ୍କ ପୈତୃକ ଘର, ବାଲେଶ୍ଵର କାର୍ଯ୍ୟାଳୟ ଓ ସରକାରୀ ବାସଭବନ, କେନ୍ଦୁଝରରେ ଥିବା ଅଫିସ ଚାମ୍ବର, ବ୍ରହ୍ମପୁର ତୁଳସୀ ନଗର ଓ ଶାନ୍ତି ନଗରରେ ଥିବା ସମ୍ପର୍କୀୟଙ୍କ ଘର ତଥା କେନ୍ଦୁଝର ଜିଲ୍ଲା ବଳଦେବଜିଉ କଲୋନୀରେ ଥିବା ଜଣେ ସହଯୋଗୀଙ୍କ ଘରେ ଶୁକ୍ରବାର ଦିନ ଏକକାଳୀନ ଚଢ଼ଉ କରାଯାଇଥିଲା।

ଚଢ଼ଉ ବେଳେ ୨ଟି କୋଠା, ଗୋଟିଏ ଫ୍ଲାଟ, ୪ଟି ପ୍ଲଟ ଓ ଦୁଇଟି ବେନାବୀ ପ୍ଲଟ ଠାବ କରିଥିଲେ ଭିଜିଲାନ୍ସ ଟିମ୍। ଏହା ସହ ୧ କୋଟି ୧୧ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ଗୋଟିଏ କାର ଓ ଗୋଟିଏ ବାଇକ ଠାବ ହୋଇଛି। କୋଟିପତି ଯନ୍ତ୍ରୀଙ୍କ ଶଳାଙ୍କ ଘରୁ ନଗଦ ୪୬ ଲକ୍ଷ ୪୫ ହଜାର ଟଙ୍କା ଜବତ କରାଯାଇଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ହରିହର ରାଓଙ୍କ ବିରୋଧରେ ଦୀର୍ଘ ଦିନ ହେଲା ଅଭିଯୋଗ ହୋଇଆସୁଥିଲା। ଅଭିଯୋଗ ଆଧାରରେ ଏହି ଚଢ଼ଉ କରାଯାଇଛି। ଚଢ଼ଉରେ ୧୧ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଓ ୧୧ ଜଣ ଏଏସଆଇ ସାମିଲ ଅଛନ୍ତି।

Tags: #Vigilance #VigilanceRaid #Odisha #Balasore #ConstructionEngineer

LEAVE A REPLY

Please enter your comment!
Please enter your name here