ଓଡ଼ିଶାଲାଇଭ୍ ବ୍ୟୁରୋ

ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ ପ୍ରସ୍ତୁତ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶିବା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ଭକ୍ତଙ୍କ ଭାବାବେଗକୁ ଶକ୍ତ ଧକ୍କା ଦେଇଛି। ଏ ଘଟଣାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ସମ୍ପୂର୍ଣ୍ଣ ରିପୋର୍ଟ ତଲବ କରିଛନ୍ତି। ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନେକ ମହଲରୁ ଦାବି ହୋଇଛି।

ଚନ୍ଦ୍ରବାବୁ ଆଣିଲେ ଅଭିଯୋଗ

ତିରୁପତି ବାଲାଜୀ ମନ୍ଦିରରେ ପ୍ରଭୁ ବିଷ୍ଣୁଙ୍କୁ ପୂଜା କରାଯାଇଥାଏ। ଏହି ମନ୍ଦିରର ପ୍ରସାଦର ଆଦର ସାରା ବିଶ୍ୱରେ ରହିଛି। ମନ୍ଦିରରେ ପ୍ରସାଦ ଭାବେ ଏକ ସ୍ୱତନ୍ତ୍ର ଲଡୁ ପ୍ରସ୍ତୁତ କରାଯାଇଥାଏ। ଏହି ଲଡୁକୁ ନେଇ ଏବେ ନୂଆ ବିବାଦ ଉପୁଜିଛି।

ଗତ କିଛି ଦିନ ତଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ ଆଣିଥିଲେ ଯେ, ୱାଇଏସଆର କଂଗ୍ରେସ କ୍ଷମତାରେ ଥିବାବେଳେ ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡ଼ୁ ନିମ୍ନ ମାନର ଘିଅରେ ପ୍ରସ୍ତୁତ ହେଉଥିଲା। ଏବେ ମଧ୍ୟ ସେପରି ପ୍ରକ୍ରିୟା ଜାରି ରହିଛି।

ଏନଡିବିବି ଲ୍ୟାବ ପକ୍ଷରୁ ଏହି ଲଡୁ ଓ ଘିଅର ମାନ ପରୀକ୍ଷା କରାଯାଇଥିଲା। ପରୀକ୍ଷାରୁ ଜଣାପଡିଛି ଲଡୁରେ ମାଛ ତେଲ, ଗୋମାଂସରୁ ବାହାରୁଥିବା ଚର୍ବି, ଘୁଷୁରି ଚର୍ବି ଆଦି ମିଶ୍ରଣ କରାଯାଉଛି। 

ଏତେ ସୁରକ୍ଷା ଥାଇ ବି କେମିତି ହେଲା ଅପମିଶ୍ରଣ

ଏଠାରେ ପ୍ରଶ୍ନ, ଏତେ କଡ଼ା ସୁରକ୍ଷା ମଧ୍ୟରେ ଲଡୁର ପ୍ରସ୍ତୁତି ଏବଂ ବଣ୍ଟନ ବ୍ୟବସ୍ଥା ଥିବାବେଳେ ଏଥିରେ କେମିତି ପଶୁ ଚର୍ବି ଏବଂ ମାଛ ତେଲର ମିଶ୍ରଣ ଆସିଲା? ଏପରି ଘଟଣା ଧାର୍ମିକ ପରମ୍ପରା ଏବଂ ଭକ୍ତଙ୍କ ଭାବାବେଗକୁ ଶକ୍ତ ଧକ୍କା ଦେଇଥିବାବେଳେ ଆନ୍ଧ୍ରପ୍ରଦେଶରେ ଏହା ରାଜେନୖତିକ ଝଡ଼ ସୃଷ୍ଟି କରିଛି।

ଏହି ପ୍ରସଙ୍ଗକୁ ନେଇ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ଟିଡିପି ଏବଂ ୱାଇଏସଆର କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ମନ୍ଦିରକୁ ଘିଅ ଓ ଲଡୁ ପ୍ରସ୍ତୁତି ପାଇଁ ସାମଗ୍ରୀ ଯୋଗାଉଥିବା ସଂସ୍ଥା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଉଛି।

ରାଜ୍ୟରେ ୱାଇଏସଆର କଂଗ୍ରେସ ସରକାରରେ ଥିବାବେଳେ ଏହି ଅପମିଶ୍ରଣ ଆରମ୍ଭ ହୋଇଥିଲା ବୋଲି ଟିଡିପି ପକ୍ଷରୁ ଅଭିଯୋଗ କରାଯାଇଛି। ଏହାକୁ ୱାଇଏସଆର କଂଗ୍ରେସ ପକ୍ଷରୁ ଖଣ୍ଡନ କରାଯାଇଛି।

୩୦୦ ବର୍ଷ ଧରି ଭୋଗ ହେଉଛି ଲଡୁ

ପ୍ରାୟ ୩୦୦ ବର୍ଷ ଧରି ତିରୁପତି ବାଲାଜୀ ମନ୍ଦିରରେ ଏହି ଲଡୁ ବା ପନୟାରମ ଭୋଗ ହୋଇ ଆସୁଛି। ଏହି ଲଡୁର ବିଶେଷତ୍ୱ ହେଉଛି ଦୀର୍ଘ ଦିନ ଧରି ଏହା ସୁରକ୍ଷିତ ରୁହେ। ଏଠରେ ଦୈନିକ ୮ ଲକ୍ଷ ଲଡୁ ପ୍ରସ୍ତୁତ କରାଯାଇଥାଏ। ବାଲାଜୀଙ୍କ ପାଖରେ ଏହାକୁ ଭୋଗ ଲଗାଯାଇଥାଏ। ଏହାର ଦାମ ବି ବହୁତ ବେଶି ନୁହେଁ। ତିରୁପତି ଆସୁଥିବା ଭକ୍ତ ଏହି ଲଡୁ ନେବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । 

କେମିତି ତିଆରି ହୁଏ ଲଡୁ

ମନ୍ଦିର ପରିସରରେ ହିଁ ଏହି ପ୍ରସାଦ ଲଡୁ ତିଆରି ହୋଇଥାଏ। ଏଥିପାଇଁ ଏକ ସ୍ୱତନ୍ତ୍ର ଜାଗା ରହିଛି ଏବଂ ସ୍ୱତନ୍ତ୍ର ଲୋକ ବି ରହିଛନ୍ତି। ଲଡୁ ତିଆରି କରୁଥିବା ବ୍ୟକ୍ତିଙ୍କୁ ପୋଟୁ କୁହାଯାଏ। ସେମାନେ ପାରମ୍ପରିକ ରୀତିରେ ଏହି ଲଡୁକୁ ପ୍ରସ୍ତୁତ କରିଥାନ୍ତି। ପ୍ରାୟ ୬୦୦ ଲୋକ ଦୈନିକ ଏହି ଭୋଗ ପ୍ରସ୍ତୁତ କରିବା ପାଇଁ ଲାଗିଥାନ୍ତି। ଏଠାରେ ପରିଚ୍ଛନ୍ନତା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଥାଏ।

ଏହି ଲଡୁକୁ ଜିଆଇ ଟ୍ୟାଗ ବି ମିଳିଛି। ପ୍ରସାଦ କିଣିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ସିକ୍ୟୁରିଟି କୋଡ ଏବଂ ବାୟୋମେଟ୍ରିକ ଆଦି ଦେବାକୁ ପଡ଼ିଥାଏ। ଏଥିସହିତ ଫେସ ରିକୋଗନେସନ ମଧ୍ୟ ଦରକାର। ଏପରିକି ଲଡୁ ତିଆରି କରିବା ଶୈଳୀ କେବଳ ତିରୁମାଲା ତିରୁପତି ଦେବସ୍ଥାନମ ଟ୍ରଷ୍ଟ ପାଖରେ ରହିଛି।

Tags: #TirupatiBalajiTemple #Laddu # Adulteration #AndhraPradesh

Comment