ଓଡ଼ିଶାଲାଇଭ୍ ବ୍ୟୁରୋ

ୱାର୍ଲ୍ଡ ସ୍କିଲ୍ସ ପ୍ରତିଯୋଗିତାରେ ଭାଗ ନେଇଥିବା ଓଡ଼ିଶାର ପ୍ରତିଯୋଗୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା।

ଫ୍ରାନ୍ସର ଲିଓନ୍‌ଠାରେ ଅନୁଷ୍ଠିତ ହୋଇଥିବା ୪୭ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଓଡ଼ିଶାର ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ସେ ଲୋକସେବା ଭବନରେ ଖେଳାଳିମାନଙ୍କ ସହ କଥା ହୋଇଥିଲେ। ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ପାଇଥିବା ଅମରେଶ ସାହୁଙ୍କୁ ୨୫ ଲକ୍ଷ ଟଙ୍କା ଏବଂ ‘ମେଡାଲିୟନ୍ ଫର୍ ଏକ୍ସଲେନ୍ସ’ ପାଇଥିବା ଗେଡେଲା ଅଖିଲଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ।

“ଓଡ଼ିଶାର ଯୁବ ବର୍ଗଙ୍କ ଦକ୍ଷତା ବର୍ତ୍ତମାନ ସାରା ବିଶ୍ଵର ଦୃଷ୍ଟିକୁ ଆସି ଗଲାଣି। ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପିଲାମାନେ ପୁରସ୍କୃତ ହେବା ରାଜ୍ୟ ପାଇଁ ଗର୍ବର ବିଷୟ। ଏହି ଭଳି ଦକ୍ଷ ଯୁବକ ଯୁବତୀମାନେ ହିଁ ଓଡ଼ିଶା ପାଇଁ ଏକ ସୁନ୍ଦର ଭବିଷ୍ୟତ ନିର୍ମାଣ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ବହନ କରିବାରେ ସହାୟକ ହେବେ। ଓଡିଶାରେ ଦକ୍ଷତା ବିକାଶକୁ ଏକ ଆନ୍ଦୋଳନରେ ପରିଣତ କରାଯିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସେ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାରେ ଦକ୍ଷତା ବିକାଶ ପାଇଁ ଆମେ ରୋଡ ମ୍ୟାପ ପ୍ରସ୍ତୁତ କରିଛୁ। ଏ ବର୍ଷ ବଜେଟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ୧୦୫୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଇଁ ଉପଯୁକ୍ତ ଦକ୍ଷତା ଦରକାର। ସେଥିପାଇଁ ଯୁବ ବର୍ଗଙ୍କୁ ଇଣ୍ଡଷ୍ଟ୍ରି ରେଡି କରିବା ଉପରେ ସର୍ବାଧିକ ଗୁରୁତ୍ଵ ଦିଆଯାଉଛି। ଏହା ସହିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ବିକେନ୍ଦ୍ରୀକରଣ କରାଯାଇ ଜିଲ୍ଲା ସ୍ତରରେ ‘ନୂଆ ଓଡ଼ିଶା ଜିଲ୍ଲା ଦକ୍ଷତା କେନ୍ଦ୍ର’ ଖୋଲା ଯାଉଛି। ଏହା ଦ୍ଵାରା ସ୍ଥାନୀୟ ଅଞ୍ଚଳର ଯୁବକମାନେ ଦକ୍ଷତା ଅର୍ଜନ କରିବା ସହିତ ଶିଳ୍ପର ଚାହିଦା ମଧ୍ୟ ପୂରଣ କରିପାରିବୋ”

ଚଳିତବର୍ଷ ସେପ୍ଟେମ୍ବର ୧୦ରୁ ୧୫ ତାରିଖ ଯାଏଁ ହୋଇଥିବା ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାରତରୁ ୬୦ ଜଣ ପ୍ରତିଯୋଗୀ ଭାଗ ନେଇଥିବାବେଳେ ସେମାନଙ୍କ ମଧ୍ୟରୁ କେବଳ ଓଡ଼ିଶାରୁ ୧୫ ଜଣ ରହିଥିଲେ। ସେମାନଙ୍କ ମଧ୍ୟରୁ ଦେବଗଡ଼ ଜିଲ୍ଲାର ଅମରେଶ ସାହୁ ଅକ୍ଷୟ ଶକ୍ତି କ୍ଷେତ୍ରରେ ବ୍ରୋଞ୍ଜ ପଦକ ହାସଲ କରିଥିବାବେଳେ ଗଜପତି ଜିଲ୍ଲାର ଗେଡେଲା ଅଖିଲ ୱାଟର ଟେକ୍‌ନୋଲୋଜିରେ ମେଡାଲିୟନ ଅଫ୍ ଏକ୍ସେଲେନ୍ସ ପାଇଛନ୍ତି।

ଏହି ଅବସରରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ରାଜ୍ୟରେ ଦକ୍ଷତା ବିକାଶ କ୍ଷେତ୍ରକୁ ତୃଣମୂଳ ସ୍ତରକୁ ପ୍ରସାରିତ କରିବା ଦିଗରେ ସେ ଗୁରୁତ୍ଵାରୋପ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଏନ୍ ବି ଏସ୍ ରାଜପୁତ୍ ଏବଂ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିତା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

Tags: #WorldSkillsCompetition2024 #Competitors #CMMohanCharanMajhi #SkillDevelopment #SkilledinOdisha

LEAVE A REPLY

Please enter your comment!
Please enter your name here