ଓଡ଼ିଶାଲାଇଭ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରରେ ଏଥର ଦୁର୍ଗା ପୂଜାରେ ବାଜିବନି ଡିଜେ। କେବଳ ସେତିକି ନୁହେଁ ଚଳିତ ଥର ଦୁର୍ଗାପୂଜା ଡିଜେ, ପ୍ଲାଷ୍ଟିକ ଏବଂ ମଦ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି କମିଶନରେଟ ପୋଲିସ।

ପୂଜା ମଣ୍ଡପରେ ମଦମୁକ୍ତ ଶପଥ ପାଠ କରାଇବାକୁ ଯୋଜନା ହୋଇଛି। ଏ ନେଇ ମଙ୍ଗଳବାର ଦିନ ଭୁବନେଶ୍ଵର ବିଧାୟକ, ମେୟର, ପୋଲିସ କମିଶନର ଏବଂ ପୂଜା କମିଟି ସଦସ୍ୟଙ୍କୁ ନେଇ ଆୟୋଜିତ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକ ପରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଟୁଇନସିଟି ପୋଲିସ କମିଶନର ସଞ୍ଜୀବ ପଣ୍ଡା।

ଚଳିତ ଥର ଭୁବନେଶ୍ଵରରେ ୧୭୧ଟି ସ୍ଥାନରେ ଦୁର୍ଗାପୂଜା ହେବ। ଏଥର ଡିଜେ, ମଦ ଏବଂ ପ୍ଲାଷ୍ଟିକ ମୁକ୍ତ ଦୁର୍ଗାପୂଜା ଉପରେ ଗୁରୁତ୍ଵ ଦିଆଯାଇଛି। ପୂଜା ମଣ୍ଡପ ନିକଟରେ ଅନୁଷ୍ଠିତ ହେଉଥିବା ମେଲୋଡି କାର୍ଯ୍ୟକ୍ରମ ରାତି ୧୨ଟା ଯାଏଁ ଚାଲିବାକୁ ଅନୁମତି ମିଳିଛି। କିନ୍ତୁ ରାବଣ ପୋଡ଼ିରେ ବାଣ ବ୍ୟବହାର କରିବାକୁ ବାରଣ କରାଯାଇଛି।

ଦୁର୍ଗାପୂଜା ପାଇଁ ବଟି ଆଦାୟ କରୁଥିବା ଅଭିଯୋଗ ଆସିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର କହିଛନ୍ତି। ଭସାଣି ବେଳେ ଭାଇବ୍ରେଟ ମ୍ୟୁଜିକ ଏବଂ ଡିଜେ ବ୍ୟବହାର ଉପରେ କଟକଣା ଜାରି କରିଛି କମିଶନରେଟ ପୋଲିସ।

Tags: #DurgaPuja #Bhubaneswar #DJ #PlasticFreeDurgapuja #Odisha #festival

LEAVE A REPLY

Please enter your comment!
Please enter your name here