ଓଡ଼ିଶାଲାଇଭ୍ ବ୍ୟୁରୋ
“ଆଉ ଚଳିବନି ବାବୁଗିରି। ଜନପ୍ରତିନିଧିଙ୍କୁ ଉଚିତ ସମ୍ମାନ ଦେବେ ଅଫିସରସ୍”, ଲୋକସେବା ଭବନର କନଭେନ୍ସସନ ହଲଠାରେ ଆୟୋଜିତ ଦୁଇଦିନିଆ ଜିଲ୍ଲାପାଳ ସମ୍ମିଳନୀରେ ଏହିଭଳି କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଓଡ଼ିଶାରେ ବିଜେପି ସରକାରର ପ୍ରଥମ ଜିଲ୍ଲାପାଳ ସମ୍ମିଳନୀ ଶୁକ୍ରବାର ଦିନ ଆୟୋଜିତ ହୋଇଛି। ଦୁଇଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ସରକାରୀ ଯୋଜନାର ସଫଳ ରୂପାୟନ ଜିଲ୍ଲାପାଳଙ୍କ ହାତରେ। ସରକାରଙ୍କ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଜିଲ୍ଲାପାଳମାନଙ୍କ ଦାୟିତ୍ଵ। ସରକାର ଏବଂ ଲୋକଙ୍କ ମଧ୍ୟରେ ମୁଖ୍ୟ ସେତୁ ହେଉଛନ୍ତି ଜିଲ୍ଲାପାଳ। ସରକାରୀ ଯୋଜନା କାର୍ଯ୍ୟକାରୀ ହେଲେ ଓଡ଼ିଶାରୁ ଗରିବୀ ହଟିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୫-ଟି ବ୍ୟବସ୍ଥାକୁ କଟାକ୍ଷ କରିବା ସହ ନିଜ ଅନୁଭୁତି ଓ ଅଭିଜ୍ଞତାରୁ ପ୍ରଶାସନିକ ସ୍ତରରେ ପୂର୍ବରୁ ହେଉଥିବା ଅନେକ ତ୍ରୁଟି ସମ୍ପର୍କରେ କହିଥିଲେ।
ସମସ୍ତ ଯୋଜନା ଠିକ୍ ସମୟରେ ଆରମ୍ଭ ହେବା ଓ ଠିକ୍ ସମୟରେ ଶେଷ ହେବା ଖୁବ୍ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଅନେକ ସମୟରେ ଏଥିରେ ଅହେତୁକ ବିଳମ୍ବ ହେଉଛି। ଫଳରେ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେବା ସହ ଦୁର୍ନୀତି ଓ ପ୍ରକଳ୍ପ ଖର୍ଚ୍ଚ ବଢୁଛି। ସବୁ ଯୋଜନା ଯେପରି ଠିକ୍ ସମୟରେ କାର୍ଯ୍ୟକାରୀ ହେବ ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
“ଜିଲ୍ଲାପାଳମାନେ ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କରନ୍ତୁ, ଯଦି କୌଣସି ଅନିୟମିତତା ଦୃଷ୍ଟି ଗୋଚର ହେଉଛି, ସେସବୁର ଯାଞ୍ଚ କରି ନିଜ କ୍ଷମତାର ବ୍ୟବହାର କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ। କୌଣସି ପ୍ରକାରେ ଏବଂ କୌଣସି ସ୍ତରରେ ଦୁର୍ନୀତିକୁ ସରକାର ବରଦାସ୍ତ କରିବେ ନାହିଁ। ଦୁର୍ନୀତିକୁ ନେଇ କୌଣସି ପ୍ରକାର ସାଲିସ କରିବାର ପ୍ରଶ୍ନ ଉଠୁନାହିଁ”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ରାଜଧାନୀକୁ ଛାଡ଼ି ଦେଲେ, ସାଧାରଣ ଲୋକ ସରକାର କହିଲେ ଜିଲ୍ଲାପାଳମାନଙ୍କୁ ହିଁ ବୁଝିଥାନ୍ତି। ଜିଲ୍ଲାପାଳଙ୍କ ନିକଟରେ ଲୋକଙ୍କ ସମସ୍ୟାର ସମାଧାନ ହୋଇଥାଏ। ତେଣୁ ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବାର ଗୁରୁଦାୟିତ୍ଵ ଜିଲ୍ଲାପାଳମାନଙ୍କ କାନ୍ଧରେ ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, “ଅମ ସରକାର ଲୋକଙ୍କ ସରକାର। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ଭିତ୍ତିଭୂମି ବିକାଶ ଏବଂ ମହିଳାମାନଙ୍କର ଉନ୍ନତିକୁ ପ୍ରାଧାନ୍ୟ ଦେବା ଓ ରାଜ୍ୟର ଆର୍ଥିକ ବିକାଶର ଗତିକୁ ତ୍ଵରାନ୍ଵିତ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଜିଲ୍ଲାପାଳମାନଙ୍କ ଉଦ୍ୟମରେ ହିଁ ସବୁ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚିପାରିବ।
ଜିଲ୍ଲାପାଳ ସମ୍ମିଳନୀରେ ନିର୍ବାଚନ ପୂର୍ବରୁ କେନ୍ଦୁଝର ଥାନାରେ ତାଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର କଥା ମନେ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଥିଲେ, ଗୋଟିଏ ସମସ୍ୟାର ସମାଧାନ ପାଇଁ ସେ କେନ୍ଦୁଝର ଥାନାକୁ ଯାଇଥିବା ସମୟରେ ଥାନା ଅଧିକାରୀ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଗେଟ୍ ଆଉଟ୍ ବୋଲି କହିଥିଲେ। ଜଣେ ବିଧାୟକ ତଥା ବିରୋଧୀ ଦଳର ମୁଖ୍ୟ ସଚେତକଙ୍କୁ ଏଭଳି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ଅବସରରେ ନିଜ ନିଜ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକର ମ୍ୟାପିଙ୍ଗ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କ ପରାମର୍ଶ ଦେବା ସହ ପୂର୍ବ ସରକାରରେ ହୋଇଥିବା ଦୁର୍ନୀତିର ତଦନ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ।
ସମ୍ମିଳନୀରେ ବିଭିନ୍ନ ବିଭାଗର ମନ୍ତ୍ରୀ, ଜିଲ୍ଲାପାଳ, ବିଭିନ୍ନ ବିଭାଗର ସଚିବ ଏବଂ ଏସପି ଯୋଗ ଦେଇଥିଲେ।
Tags: #DistrictCollectorsConference #CMOdisha #MohanCharanMajhi #Odisha