ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ସ୍ଵାଧୀନତା ସଂଗ୍ରାମରେ ଜଣେ ପ୍ରଭାବଶାଳୀ କ୍ରାନ୍ତିକାରୀ ଥିଲେ ଭଗତ ସିଂହ। ତାଙ୍କ ନାଁ ଶୁଣିଲେ ଆପେ ଆପେ ମନରେ ଦେଶପ୍ରେମ ଜାଗ୍ରତ ହୋଇଥାଏ। ଆଜି ସେହି ମହାନ୍ ସ୍ୱାଧୀନତା ସଂଗ୍ରାମୀଙ୍କ ଜନ୍ମଦିନ।
ପଞ୍ଜାବର ଲାୟଲପୁର ଜିଲ୍ଲା ଅନ୍ତର୍ଗତ ବଙ୍ଗା ଗ୍ରାମରେ ୧୯୦୭ ମସିହା ସେପ୍ଟେମ୍ବର ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଭଗତ ସିଂହ।
ସେ ଯେତେବେଳେ ୧୨ ବର୍ଷ ହୋଇଥିଲେ ସେତେବେଳେ ପଞ୍ଜାବର ଜାଲିଆନୱାଲାବାଗ ହତ୍ୟାକାଣ୍ଡ ତାଙ୍କ ମନକୁ ଆନ୍ଦୋଳିତ କରିଥିଲା। ସେହି ଦିନଠାରୁ ସେ ଦେଶ ପାଇଁ ଲଢିବେ ବୋଲି ପ୍ରତିଜ୍ଞା ନେଇଥିଲେ। ଭଗତ ସିଂହ ୧୩ ବର୍ଷ ବୟସରେ ପାଠପଢ଼ା ଛାଡ଼ି ଭାରତର ସ୍ୱାଧୀନତା ସଂଗ୍ରାମରେ ନିଜର ଜୀବନ ଉତ୍ସର୍ଗ କରିଦେଇଥିଲେ।
ଦେଶ ପାଇଁ ତାଙ୍କର ଲଢ଼େଇକୁ ଦେଖି ଇଂରେଜ ଭୟଭୀତ ହୋଇଯାଇଥିଲେ। ଦେଶପାଇଁ ସଂଗ୍ରାମ କରୁଥିବା ଏହି କ୍ରାନ୍ତିକାରୀଙ୍କ ଆନ୍ଦୋଳନ ଇଂରେଜମାନଙ୍କ ପାଇଁ ଅସହ୍ୟ ହୋଇଥିଲା। ଇଂରେଜ ସରକାର ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ।
ତାଙ୍କୁ ୧୯୩୧ ମସିହା ମାର୍ଚ୍ଚ ୨୩ ତାରିଖର ଅନ୍ଧାର ରାତିରେ ଲାହୋର ଜେଲରେ ଫାଶି ଦିଆଯାଇଥିଲା। ଏହି ଦିନ ଭଗତ ସିଂହଙ୍କ ସହିତ ରାଜଗୁରୁ, ସୁଖଦେବଙ୍କୁ ମଧ୍ୟ ଫାଶୀ ଦିଆଯାଇଥିଲା। ସେମାନଙ୍କ ଏହି ବଳିଦାନ ଲକ୍ଷ ଲକ୍ଷ ଭାରତୀୟଙ୍କୁ ସ୍ଵାଧୀନତା ସଂଗ୍ରାମରେ ସାମିଲ ହେବାକୁ ପ୍ରେରଣା ଦେଇଥିଲା।
Tags: #ShaheedBhagatSingh #IndianFreedomMovement #Revolutionary #India










