ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ବିଶ୍ୱରେ ବିନା କାରଣରେ ବହୁତ ଅଧିକ ପରିମାଣର ଖାଦ୍ୟ ନଷ୍ଟ କରାଯାଉଛି। ସେଥିଯୋଗୁଁ ଆମର ପ୍ରାକୃତିକ ସମ୍ପଦ ଉପରେ ଏହାର କୁ-ପ୍ରଭାବ ପଡ଼ୁଛି। ଖାଦ୍ୟକୁ ଫିଙ୍ଗିବା ଦ୍ୱାରା କେବଳ ଖାଦ୍ୟ ନଷ୍ଟ ହେଉନି, ଏହାଦ୍ୱାରା ପାରିଶ୍ରମିକ, ଶସ୍ୟ, ପାଣି ଓ ପଶୁଙ୍କ ପାଇଁ ବ୍ୟବହାର ଯୋଗ୍ୟ ଖାଦ୍ୟ ବି ନଷ୍ଟ ହେଉଛି।

ବଜାରରୁ ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ସାମଗ୍ରୀ କିଣିବା, ପନିପରିବା, ଫଳମୂଳ ଆଦି ଦୀର୍ଘଦିନ ପର୍ଯ୍ୟନ୍ତ ଘରେ ସାଇତି ରଖିବା ଓ ନଷ୍ଟ ହୋଇଗଲେ ଏହାକୁ ଫିଙ୍ଗିଦେବା ଭଳି ଯେଉଁ ପରିସ୍ଥିତି ଉପୁଜୁଛି ସେଥିପ୍ରତି ସଚେତନ ହେବା ନିହାତି ଜରୁରୀ। ଏଥିପାଇଁ ମିଳିତ ଜାତିସଂଘର ୟୁଏନ୍‌ଏଫ୍‌ଏଓ ପକ୍ଷରୁ ପ୍ରତିବର୍ଷ ସେପ୍ଟେମ୍ବର ୨୯କୁ ବିଶ୍ୱ ଖାଦ୍ୟ ନଷ୍ଟ ଓ ଅପଚୟ ସଚେତନତନା ଦିବସ ରୂପେ ପାଳନ କରାଯାଉଛି।

ଜାତିସଂଘର ୟୁଏନ୍‌ଏଫ୍‌ଏଓ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, “ବିଶ୍ୱରେ ପ୍ରତିଦିନ ପାଖାପାଖି ୧୪ ପ୍ରତିଶତ ଖାଦ୍ୟ ଉତ୍ପାଦ ନଷ୍ଟ ହେଉଛି। ଏହାର ସିଧାସଳଖ ପ୍ରଭାବ ବିଶ୍ୱରେ ଖାଦ୍ୟାଭାବ କଷ୍ଟ ଭୋଗୁଥିବା ଦେଶମାନଙ୍କ ଉପରେ ପଡ଼ୁଛି। ଯଦି ଖାଦ୍ୟନଷ୍ଟକୁ ରୋକିବା ପାଇଁ ଆମେ ନିଜେ ସଚେତନ ହେବା ଏବଂ ଖାଦ୍ୟର ପ୍ରକୃତ ଆବଶ୍ୟକତା ବୁଝିପାରିବା ତେବେ ମରୁଡ଼ି ଓ ଖାଦ୍ୟାଭାବ ସହ ଲଢ଼ୁଥିବା ଦେଶର ଲୋକମାନେ ଏହାଦ୍ୱାରା ଉପକୃତ ହୋଇପାରିବେ।”

ଖାଦ୍ୟ ନଷ୍ଟକୁ ରୋକିବା ପାଇଁ ୟୁଏନ୍‌ଏଫ୍‌ଏଓ ସଂସ୍ଥା ପକ୍ଷରୁ ବିଭିନ୍ନ ସଚେତନତାମୂଳକ ବାର୍ତ୍ତା ପ୍ରଦାନ କରାଯାଇଛି। ତାହା ହେଉଛି-

  • ସୁସ୍ଥ ଓ ପୋଷଣଯୁକ୍ତ ଖାଦ୍ୟ ଗ୍ରହଣ କରିବା
  • ଆବଶ୍ୟକ ଅନୁଯାୟୀ ଖାଦ୍ୟ ସାମଗ୍ରୀ କିଣିବା
  • ଆଖିଦୃଶିଆ ଫଳ ଓ ପରିବା ଅପେକ୍ଷା ନଷ୍ଟ ହେବାକୁ ଥିବା ଫଳ ଓ ପନିପରିବା ପ୍ରଥମେ କିଣିବା
  • ଫ୍ରିଜ୍ ଏବଂ କପ୍‌ବୋର୍ଡରେ ଏୟାର୍ ଟାଇଟ୍ ଫ୍ରୁଟ୍ କଣ୍ଟେନର୍ ବ୍ୟବହାର କରିବା
  • ଖାଦ୍ୟ ପ୍ୟାକେଟ୍‌ରେ ଲେଖାଯାଇଥିବା ଫୁଡ୍ ଲାବେଲିଂକୁ ଭଲ ଭାବେ ବୁଝିବା (‘ବେଷ୍ଟ ବିଫୋର୍‌’ ଡେଟ୍)
  • ଖାଦ୍ୟ ଅଧିକ ପ୍ରସ୍ତୁତ ହୋଇଥିଲେ ଏହାକୁ ନ ଫିଙ୍ଗି ଫ୍ରିଜ୍‌ରେ ଷ୍ଟୋର୍ କରିବା
  • ଖାଦ୍ୟକୁ ବାହାରେ ଫିଙ୍ଗିବା ଅପେକ୍ଷା ଏହାକୁ କମ୍ପୋଷ୍ଟ କରିବା
  • ଖାଦ୍ୟକୁ ସମ୍ମାନ ଦେବା ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ ସାମଗ୍ରୀ କିଣିବା।

Tags: #FoodWastage #Awareness #FoodShortage #FAO #UN #India

LEAVE A REPLY

Please enter your comment!
Please enter your name here