ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ପୋଷଣ ମାସ-୨୦୨୪ ପାଳିତ ହୋଇଯାଇଛି। ସୋମବାର ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ଏହାର ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ, ଆଶା ଦିଦି, କମ୍ୟୁନିଟି ଲିଡର, ପୋଷଣ ବ୍ଲକ ସଂଯୋଜକ, ପୋଷଣ ଜିଲ୍କା ସଂଯୋଜକ ଆଦି ଅନ୍ୟାନ୍ୟ କର୍ଯ୍ୟକର୍ତ୍ତା ଯୋଗଦେଇ ଥିଲେ। ୬ ବର୍ଷ ପର୍ଯ୍ୟନ୍ତ ଶିଶୁ, ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ପୋଷଣ ଯୁକ୍ତ ଖାଦ୍ୟ ଯୋଗାଇବା ସହିତ ଓଡିଶାକୁ ଏକ ଅପପୁଷ୍ଟି ମୁକ୍ତ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ଏଠାରେ ଆଲୋଚନା କରାଯାଇଥିଲା।

“ପିଲାଙ୍କୁ ସୁଷମ ଓ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ରାଜ୍ଯ ସରକାର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅପପୁଷ୍ଟି ଦୂରେଇବା ପାଇଁ ତଥା ଓଡ଼ିଶାକୁ ଏକ ଅପପୁଷ୍ଟି ମୁକ୍ତ ରାଜ୍ୟ କରି ଗଢ଼ି ତୋଳିବାକୁ ଆମ ବିଭାଗ ତତ୍ପର। କୁପୋଷଣ ମୁକ୍ତ ଓଡ଼ିଶା ଗଠନ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ” କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ପ୍ରତିବର୍ଷ ସେପ୍ଟେମ୍ବର ମାସ ୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ପୋଷଣ ମାସ ପାଳିତ ହୁଏ। ଚଳିତ ପୋଷଣ ମାସ -୨୦୨୪ର ଥରର ଥିମ୍ ରହିଛି, “ସୁପୋଷିତ କିଶୋରୀ – ସଶକ୍ତ ନାରୀ”।

ଏହି ଥିମ୍ ଅନୁସାରେ ଓଡ଼ିଶାକୁ କୁପୋଷଣ ମୁକ୍ତ କରିବାକୁ ହେଲେ ରକ୍ତହୀନତା ବିଷୟରେ ସଚେତନ ହେବା, ଏହାର ପରୀକ୍ଷା, ଚିକିତ୍ସା ବିଷୟରେ ଆଲୋଚନା କରିବା ଜରୁରୀ।ଦୈନନ୍ଦିନ ଖାଦ୍ୟରେ ବିବିଧତା ଆଣିବା ପଇଁ ଅଞ୍ଚଳିକ ପୁଷ୍ଟିଶସ୍ୟ ସାମିଲ କରିବା, ସୁସ୍ଥ ଜୀବନ ପାଇଁ ସୁଷମ ଖାଦ୍ୟ ଖାଇବା ସହିତ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେବା ଜରୁରୀ ବୋଲି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥିମାନେ ମତ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ତଥା ସମାଜ କଲ୍ୟାଣ ବୋର୍ଡ ନିର୍ଦ୍ଦେଶକ ମନିଶା ବାନାର୍ଜୀ, ବିଭାଗୀୟ ଅତିରିକ୍ତ ସଚିବ ଏନ.ସି. ଜ୍ୟୋତିରଞ୍ଜନ ନାୟକ, ଅର୍ଥ ଉପଦେଷ୍ଟା ଓ ସ୍ୱତନ୍ତ୍ର ସଚିବ ଶୁଭଶ୍ରୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ରାଜ୍ୟର ଅନେକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Tags: #NutritionMonth #Nutrition #Food #MotherandChildCare #Odisha

LEAVE A REPLY

Please enter your comment!
Please enter your name here