ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ବୈଠକ ଭୁବନେଶ୍ଵର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ବସିଥିବା ଏହି ବୈଠକରେ ୪,୬୭୧ କୋଟି ଟଙ୍କାର ଏକାଧିକ ଅକ୍ଷୟ ଶକ୍ତି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ରାଜ୍ୟ ଶିଳ୍ପ ଓ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।
ଏହି ବୈଠକରେ ମୋଟ ୭୪୯.୯ ମେଗାୱାଟ୍ ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ଆସିଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲାରେ ଓଏଚପିସି ଦ୍ୱାରା ସ୍ଥାପିତ ହେବାକୁ ଥିବା ୬୦୦ ମେଗାୱାଟ୍ କ୍ଷମତା ସଂପନ୍ନ ପମ୍ପଡ୍ ଷ୍ଟୋରେଜ୍ ପ୍ଲାଣ୍ଟ୍ (ପିଏସପି) ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି।
ସେହିପରି ଓଏନଜିସି ତ୍ରିପୁରା ପାୱାର୍ କମ୍ପାନୀ ଲିମିଟେଡ୍ (ଓଟିପିସିଏଲ୍) ଦ୍ୱାରା ନବରଙ୍ଗପୁର, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ପ୍ରସ୍ତାବିତ ୩ଟି ପବନ ଶକ୍ତି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏସବୁର ମୋଟ କ୍ଷମତା ୧୪୮.୫ ମେଗାୱାଟ୍ ରହିବ। ଏହାସହ ଭୁବନେଶ୍ୱରର ପଟିଆରେ ୧.୪ ମେଗାୱାଟ୍ କ୍ଷମତା ସଂପନ୍ନ ରୁଫ୍ ଟପ୍ ସୌର ପ୍ରକଳ୍ପକୁ ସିଙ୍ଗିଲ ୱିଣ୍ଡୋ କମିଟି ପକ୍ଷରୁ ଅନୁମୋଦନ କରାଯାଇଛି।
ଏହି ସବୁ ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ ପ୍ରଦୂଷଣ ହ୍ରାସ ହେବା ସହ ଅନେକ ନିଯୁକ୍ତି ସୃଷ୍ଟି ହେବ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।
ରାଜ୍ୟ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ‘ଓଡ଼ିଶା ଅକ୍ଷୟଶକ୍ତି ନୀତି-୨୦୨୨’ ଅନୁସାରେ, ଏବେ ସୁଦ୍ଧା ୧୨୪୯.୩୮ ମେଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ମୋଟ ୮,୩୯୫ କୋଟି ଟଙ୍କା ନିବେଶ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି। ୨୦୩୦ ସୁଦ୍ଧା ଓଡ଼ିଶାରେ ପ୍ରାୟ ୧୦ ହଜାର ମେଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।
Tags: #OdishaSingleWindowClearanceAuthority #SLSWCA #GreenEnergyProjects #Odisha












