ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିର ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କଲେ ନବୀନ ପଟ୍ଟନାୟକ।

ଆଜିଠାରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଭୁବନେଶ୍ଵରର ନେତାଜୀ ପଡ଼ିଆରେ ଏହାର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଏହି ଅବସରରେ ହୋଇଥିବା ଜନସଭାକୁ ସମ୍ବୋଧିତ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

“ବିଜେପିର ଡବଲ ଇଞ୍ଜିନ ସରକାର ଶାସିତ ରାଜ୍ୟଙ୍କଠାରୁ ଓଡ଼ିଶା ବହୁତ ଆଗରେ ରହିଛି। ବିଜେଡି ସରକାରର ଜନକଲ୍ୟାଣକାରୀ ଯୋଜନା ଦ୍ୱାରା ରାଜ୍ୟର କୋଟି କୋଟି ଲୋକ ଉପକୃତ ହୋଇଛନ୍ତି। ବର୍ତ୍ତମାନ ସରକାର ଅନେକ ଯୋଜନାର ନାମ ବଦଳାଇ ଦେଇଛନ୍ତି। ଆପଣ ଯୋଜନାର ନାମ ବଦଳାଇ ଦେଇ ପାରିବେ କିନ୍ତୁ ଇତିହାସ ବଦଳାଇ ପାରିବେ ନାହିଁ। ଲୋକଙ୍କ ଭଲ ପାଇବା ବିଜେଡିର ବଡ଼ ଶକ୍ତି। ଆଜି ବି ବିଜେଡି ସମସ୍ତଙ୍କ ହୃଦୟରେ ରହିଛି”, କହିଛନ୍ତି ନବୀନ ପଟ୍ଟନାୟକ।

ସେ ଆହୁରି ମଧ୍ୟ କହିଛନ୍ତି, “ମିଛ ପ୍ରତିଶ୍ରୁତି ଦେଇ ବିଜେପି ଓଡ଼ିଶାରେ କ୍ଷମତାକୁ ଆସିଛି। ନିର୍ବାଚନର ପ୍ରତିଶ୍ରୁତିକୁ ରାଜ୍ୟ ସରକାର ପୂରା କରି ପାରୁନାହାନ୍ତି। ଦରଦାମକୁ ନିୟନ୍ତ୍ରଣ କରିବାରେ ବିଜେପି ସରକାର ବିଫଳ। ଓଡ଼ିଶାରେ ମହିଳାମାନେ ଥାନାରେ ବି ସୁରକ୍ଷିତ ନାହାନ୍ତି। ସରକରୀ କର୍ମଚାରୀ ରାଜଭବନରେ ମଧ୍ୟ ସୁରକ୍ଷିତ ନାହାନ୍ତି। ଏହି ସରକାରକୁ ଲୋକେ ଭରସା କରି ପାରୁନାହାନ୍ତି। ଆମେ ସରକାରରେ ନଥିଲେ ମଧ୍ୟ ଲୋକଙ୍କ ସେବା ଜାରି ରଖିବୁ।”

କାର୍ଯ୍ୟକ୍ରମରେ କେତେ ଜଣ ୩୦୦ ୟୁନିଟ୍ ମାଗଣା ବିଜୁଳୀ ପାଉଛନ୍ତି ଓ କେତେ ଜଣ ମହିଳା ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ପାଇଲେଣି ବୋଲି ପ୍ରଶ୍ନ କରିଥିଲେ ନବୀନ ପଟ୍ଟନାୟକ।

୨୦୦୦ ମସିହା ସମୟରେ ଓଡ଼ିଶାର ଦ୍ରାରିଦ୍ର୍ୟ ହାର ୭୦ ପ୍ରତିଶତ ଥିଲା। ଆଜି ଏହା ୧୦ ପ୍ରତିଶତକୁ କମିଛି। ରାଜ୍ୟର ଲୋକଙ୍କ ମୁଣ୍ଡପିଛା ଆୟ ବଢ଼ିଛି। ବିଜେଡି ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁଁ ଅନେକ କ୍ଷେତ୍ରରେ ଓଡ଼ିଶା ଆଜି ଭଲ ପ୍ରଦର୍ଶନ କରୁଥିବା ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଜେଡିର ଅନେକ ବରିଷ୍ଠ ନେତା, ବିଧାୟକ ଓ କର୍ପୋରେଟରମାନେ ଯୋଗ ଦେଇଥିଲେ। ଏହାସହ ଦଳର ଅନେକ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟରେ ଅକ୍ଟୋବର ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଜେଡିର ଜନସମ୍ପର୍କ ପଦଯାତ୍ରା ଚାଲିବ। ଏଥିପାଇଁ ବିଭିନ୍ନ ନିର୍ବାଚନମଣ୍ଡଳୀର ବ୍ଲକ୍‌ ତଥା ପୌରାଞ୍ଚଳରେ ପଦଯାତ୍ରାର ଆୟୋଜନ କରିବ। ଏଥିରେ ବିଜେଡି ନିଜ ସରକାର ସମୟର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ବିଷୟରେ ଲୋକଙ୍କୁ ଅବଗତ କରାଇବା ନେଇ ସ୍ଥିର ହୋଇଛି।

Tags: #BJD #JanSamparkPadayatra #NaveenPatnaik #Bhubaneswar #Odisha

LEAVE A REPLY

Please enter your comment!
Please enter your name here