ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଦୁଇ ଦିନିଆ ଗସ୍ତରେ ସେ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ସାକ୍ଷାତ କରିଛନ୍ତି। ଏହାସହ ଦେଶ ବିଦେଶର ଉଦ୍ୟୋଗୀଙ୍କ ସହ ଆଲୋଚନା କରି ଓଡ଼ିଶାରେ ପୁଞ୍ଜି ନିବେଶର ପ୍ରସ୍ତାବ ଦେବା ତାଙ୍କର ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କର ପ୍ରଥମ ରୋଡ୍ ସୋ’ ହେବ।

ଗୁରୁବାର ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ବୈଠକ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଶିଳ୍ପ ଇକୋସିଷ୍ଟମ ଏବଂ ପୁଞ୍ଜି ବିନିଯୋଗ ସୁଯୋଗ ସମ୍ପର୍କିତ ଆଲୋଚନା ହୋଇଛି। ସେମାନଙ୍କୁ ୨୦୨୫ ଜାନୁଆରି ୨୮ ଓ ୨୯ ତାରିଖରେ ହେବାକୁ ଯାଉଥିବା ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭକୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ। 

“ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟରେ ଆଗାମୀ ୫ ବର୍ଷରେ ୫ ଲକ୍ଷ କୋଟି ପୁଞ୍ଜି ଆକର୍ଷିତ କରିବା ଆମର ଲକ୍ଷ୍ୟ। ଗତ ୧୦୦ ଦିନରେ ୪୫ ହଜାର କୋଟିର ପୁଞ୍ଜି ଓଡ଼ିଶାକୁ ଆସିଛି। ଓଡ଼ିଶାକୁ ଦ୍ରୁତ ଶିଳ୍ପାୟନ ପଥରେ ଆଗେଇ ନେବା ପାଇଁ ପ୍ରଚେଷ୍ଟା ଜାରି ରହିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।  

ଗୁରୁବାର ଅପରାହ୍ଣରେ ଜି ଟୁ ବି ବୈଠକ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶିଷ୍ଟ ଶିଳ୍ପପତି ତଥା ବିଭିନ୍ନ ସଙ୍ଗଠନର ପ୍ରତିନିଧୀମାନଙ୍କ ସହ ଆଲୋଚନା କରିବେ। ଶିଳ୍ପପତିଙ୍କୁ ଆଗାମୀ ମେକ୍ ଇନ ଓଡ଼ିଶା କନକ୍ଲେଭରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିବେ ମୁଖ୍ୟମନ୍ତ୍ରୀ।

ଏହି କାର୍ଯ୍ୟକ୍ରମରେ ଫୁଡ୍ ପ୍ରୋସେସିଂ, ଆଇଟି, କେମିକାଲ, ପେଟ୍ରୋ କେମିକାଲ ଭଳି ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ନିବେଶକଙ୍କ ସହ ଆଲୋଚନା କରାଯିବ। ଏଥିସହ ଓଡ଼ିଶାରେ କିପରି ଅଧିକରୁ ଅଧିକ ପୁଞ୍ଜି ନିବେଶ କରାଯାଇପାରିବ ସେନେଇ ପଦକ୍ଷେପ ନେବାକୁ ବୈଠକରେ ଚର୍ଚ୍ଚା ହେବାର ସମ୍ଭାବନା ରହିଛି।

ଏହାପରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ ରୋଡ୍ ସୋ’ ଆରମ୍ଭ ହେବ। ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଶିଳ୍ପ ଏବଂ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ତଥା ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ। ୨୦୨୫ ଜାରୁଆରି ୨୮ ଓ ୨୯ ତାରିଖ ଦୁଇଦିନ ଧରି ଚାଲିବାକୁ ଥିବା ଏହି ମେଗା ଇଭେଣ୍ଟରେ ସାରା ବିଶ୍ୱରୁ ଶିଳ୍ପପତି, ନିବେଶକ, ଶିଳ୍ପ ବିଶେଷଜ୍ଞ, ଶିଳ୍ପନୀତି ନିୟମ ପ୍ରଣେତା ଏବଂ କୂଟନୀତିଜ୍ଞଙ୍କୁ ଆକର୍ଷିତ କରିବ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର।

 Tags: #UtkarshOdisha #MakeinOdishaConclave2025 #Investment #CMMohanCharanMajhi #Industries #NewDelhi

LEAVE A REPLY

Please enter your comment!
Please enter your name here