ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭ୍ ପାଇଁ ଦିଲ୍ଲୀରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ସହ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାରେ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ନେଇ ଏଠାରେ ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ୨୦୨୫ ମେକ୍ ଇନ ଓଡ଼ିଶା କନକ୍ଲେଭକୁ ନିମନ୍ତ୍ରଣ କରିଛନ୍ତି।

ଏହି ବୈଠକରେ ୩୪ଟି ଦେଶରେ ରାଷ୍ଟ୍ରଦୂତ, ହାଇ କମିଶନର, କନସୁଲ ଜେନେରାଲ୍, ବାଣିଜ୍ୟ କମିଶନର ଏବଂ ବରିଷ୍ଠ କୂଟନୀତିଜ୍ଞମାନେ ଯୋଗ ଦେଇଥିଲେ। ଏଥିରେ ଆମେରିକା, ଇଂଲଣ୍ଡ, ସିଙ୍ଗାପୁର, ଚୀନ, ଜାପାନ, ଦକ୍ଷିଣ କୋରିଆ, ବ୍ରାଜିଲ ଓ ଭିଏତନାମ ଭଳି ଦେଶର ପ୍ରତିନିଧି ସାମିଲ ହୋଇଥିଲେ। ଏହାସହ ଅନେକ ଉଦ୍ୟୋଗୀ ଓ ନିବେଶକମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।

ଓଡ଼ିଶାର ଶିଳ୍ପ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ, ଖଣିଜ ପଦାର୍ଥ ତଥା ଉପଯୁକ୍ତ ଶିଳ୍ପ ନୀତି ବିଷୟରେ ବୈଠକରେ ପ୍ରଦର୍ଶିତ କରାଯାଇଥିଲା। ଏହାସହ ଶିଳ୍ପ ତଥା ପର୍ଯ୍ୟଟନ ଭଳି ବିଭିନ୍ନ କ୍ଷେତ୍ରରେ ନିବେଶ ପାଇଁ ଥିବା ସୁଯୋଗ ଓ ସମ୍ଭାବନା ଉପରେ ଗୁରୁତ୍ଵାରୋପ କରାଯାଇଥିଲା।   

“ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଏବଂ ପୁଞ୍ଜିନିବେଶ ପାଇଁ ରାଷ୍ଟ୍ରଦୂତ ଓ ନିବେଶକଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି। ଏଥିରେ ଆନ୍ତର୍ଜାତିକ ସହଭାଗିତା ଭିତ୍ତିରେ ଓଡ଼ିଶାରେ ବିଦେଶୀ ପୁଞ୍ଜି ନିବେଶ ନେଇ ଆଜିର ଆଲୋଚନା ଫଳପ୍ରଦ ହୋଇଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସେ ଆହୁରି ମଧ୍ୟ କହିଛନ୍ତି, “୨୦୨୫ ଉତ୍କର୍ଷ ଓଡ଼ିଶା-ମେକ୍ ଇନ ଓଡ଼ିଶା କନକ୍ଲେଭ୍ ସର୍ବବୃହତ ଶିଳ୍ପ ସମାବେଶ ହେବାକୁ ଯାଉଛି। ଏହା ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧି ଓ ପୁଞ୍ଜି ନିବେଶ ପାଇଁ ସହାୟକ ହେବ। ୨୦୩୬ରେ ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ରେ ବିକଶିତ ଓଡ଼ିଶା ଗଠନ ପାଇଁ ଏହି ସମ୍ମିଳନୀ ସୁଦୃଢ଼ ମୂଳଦୁଆ ପକାଇବ।”

ଆଗାମୀ ଦିନରେ ରାଜ୍ୟରେ ସେମିକଣ୍ଡକ୍ଟର, ଆଇଟି, ଗ୍ରୀନ ଏନର୍ଜି, ପେଟ୍ରୋ କେମିକାଲ୍ସ, ଇଲେକ୍ଟ୍ରୋନିକସ ତଥା ଫୁଡ ପ୍ରୋସେସିଙ୍ଗ ଭଳି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ହେବା ନେଇ ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

ଓଡ଼ିଶାରେ କିପରି ଅଧିକରୁ ଅଧିକ ପୁଞ୍ଜିନିବେଶ କରାଯାଇପାରିବ ସେନେଇ ବୈଠକରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରଦୂତ ଓ ନିବେଶକଙ୍କ ସହ ଚର୍ଚ୍ଚା କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଯୁଗ୍ମ ସଚିବ ଏ ଅଜୟ କୁମାର, ରାଜ୍ୟ ଶିଳ୍ପ ଏବଂ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଫିକିର ମହାନିର୍ଦ୍ଦେଶକ ଜ୍ୟୋତି ବୀଜ ଏବଂ ଇନଭେଷ୍ଟ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ନିବୃତି ରାୟ ପ୍ରମୁଖ ଯୋଗ ଦେଇଥିଲେ।

ଉତ୍କର୍ଷ ଓଡ଼ିଶା-ମେକ୍ ଇନ ଓଡ଼ିଶା କନକ୍ଲେଭ ୨୦୨୫ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ। ୨୦୨୫ ଜାରୁଆରି ୨୮ ଓ ୨୯ ତାରିଖ ଦୁଇଦିନ ଧରି ଚାଲିବାକୁ ଥିବା ଏହି ମେଗା ସମ୍ମିଳନୀରେ ସାରା ବିଶ୍ୱରୁ ଶିଳ୍ପପତି, ନିବେଶକ, ଶିଳ୍ପ ବିଶେଷଜ୍ଞ, ଶିଳ୍ପନୀତି ନିୟମ ପ୍ରଣେତା ଏବଂ କୂଟନୀତିଜ୍ଞଙ୍କୁ ଆକର୍ଷିତ କରିବ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର।

 Tags: #UtkarshOdisha #MakeinOdishaConclave2025 #AmbassadorsMeet #CMMohanCharanMajhi #NewDelhi

LEAVE A REPLY

Please enter your comment!
Please enter your name here