ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲା ଆବୁଜମାଡ଼ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଶୁକ୍ରବାର ଗୁଳି ବିନିମୟ ହୋଇଛି। ଏଥିରେ ୧୪ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବାବେଳେ ଏବେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି। ଏନେଇ ଛତିଶଗଡ଼ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।  

ଦନ୍ତେୱାଡା-ନାରାୟଣପୁର ସୀମାନ୍ତ ଜଙ୍ଗଲରେ ଅନେକ ମାଓବାଦୀ କ୍ୟାମ୍ପ କରି ରହିଥିବା ନେଇ ପୋଲିସକୁ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ଯାହାକୁ ଆଧାର କରି ଛତିଶଗଡ଼ ପୋଲିସର ଡିଆରଜି ବାହିନୀ ଏବଂ ସିଆରପିଏଫ ପକ୍ଷରୁ ଶୁକ୍ରବାର ସକାଳେ ଉକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା।  

କୁମ୍ବିଂ ଅପରେସନବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ ‌ହୋଇଥିଲେ। ପୋଲିସଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ। ପରେ ସୁରକ୍ଷାକର୍ମୀ ଏହାର ପାଲଟା ଜବାବ ଦେଇଥିଲେ। ଏଥିରେ ୧୪ ଜଣ ମାଓବାଦୀ ନିହତ ହୋଇଥିବାବେଳେ ଅନ୍ୟମାନେ ଖସି ପଳାଇଥିଲେ।

ପୋଲିସ ପକ୍ଷରୁ ନିହତ ହୋଇଥିବା ମାଓବାଦୀଙ୍କ ମୃତଦେହ ଠାବ କରାଯାଇଛି। ଏହାସହ ମାଓ କ୍ୟାମ୍ପରୁ ବିପୁଳ ପରିମାଣରେ ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏବେ ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇ ସର୍ଚ୍ଚ ଅପରେସନ ଜାରି ରଖାଯାଇଛି।  

Tags: #Police-MaoistEncounter #Maoists #Dantewada #Chhattisgarh

Comment