ଓଡ଼ିଶାଲାଇଭ୍ ବ୍ୟୁରୋ

ତାମିଲନାଡୁର କୋଏମ୍ବାଟୁରସ୍ଥିତ ସଦ୍‌ଗୁରୁ ଜାଗୀ ବାସୁଦେବଙ୍କ ଈଶା ଫାଉଣ୍ଡେସନକୁ ମିଳିଛି ସୁପ୍ରିମକୋର୍ଟରୁ ଆଶ୍ଵସ୍ତି। ଫାଉଣ୍ଡେସନ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମତି ଦେଇଥିବା ମାଡ୍ରାସ ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ଏହାସହ ମାମଲାକୁ ନିଜ ପାଖକୁ ସ୍ଥାନାନ୍ତର କରିଛନ୍ତି ସୁପ୍ରିମକୋର୍ଟ। ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଈଶା ଫାଉଣ୍ଡେସନ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା। ଜାଣନ୍ତୁ କ’ଣ ରହିଛି ମାମଲା?

ଗୁରୁବାର ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ଵରେ ଜଷ୍ଟିସ ଜେ ବି ପାର୍ଦ୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଏହି ସମୟରେ ସେମାନେ ମାମଲା ସହ ଜଡ଼ିତ ସବୁ ପକ୍ଷଙ୍କ କଥା ଶୁଣିଥିଲେ। ଶୁଣାଣି ବେଳେ ଈଶା ଫାଉଣ୍ଡେସନ୍ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଖଣ୍ଡପୀଠ କହିଥିଲେ।

ଫାଉଣ୍ଡେସନ୍ ବିରୋଧରେ ହୋଇଥିବା ସବୁ ଅପରାଧିକ ମାମଲାର ଷ୍ଟାଟସ୍ ରିପୋର୍ଟ ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରିବାକୁ ତାମିଲନାଡୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଅକ୍ଟୋବର ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

କ’ଣ ରହିଛି ମାମଲା

କୋଏମ୍ବାଟୁରସ୍ଥିତ ତାମିଲନାଡୁ କୃଷି ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଏସ୍ କାମରାଜ ଈଶା ଫାଉଣ୍ଡେସନ୍ ବିରୋଧରେ ମାଡ୍ରାସ ହାଇକୋର୍ଟ ଆବେଦନ କରିଥିଲେ। ୨୦୧୧ ମସିହାରୁ ତାଙ୍କ ଦୁଇ ଝିଅଙ୍କୁ ଈଶା ଫାଉଣ୍ଡେସନ ଆଶ୍ରମର ଯୋଗ କେନ୍ଦ୍ରରେ ବ୍ରେନ ୱାସ୍ କରି ରଖାଯାଇଥିବା ଅଭିଯୋଗ କରିଥିଲେ। ତାଙ୍କ ଝିଅମାନେ ପରିବାର ଲୋକଙ୍କ ସହ କଥା ହେଉନଥିବା ଏସ୍ କାମରାଜ କହିଥିଲେ।

ଈଶା ଫାଉଣ୍ଡେସନ୍ ଲୋକଙ୍କ ବ୍ରେନ୍ ୱାସ୍ କରି ସେମାନଙ୍କୁ ସନ୍ନ୍ୟାସୀରେ ପରିଣତ କରୁଛି ଏବଂ ସେମାନଙ୍କୁ ପରିବାର ସହିତ ଯୋଗାଯୋଗ ରଖିବାକୁ ଦେଉନାହିଁ ବୋଲି ଏସ୍ କାମରାଜ ନିଜ ଆବେଦନରେ ଦର୍ଶାଇ ଥିଲେ। ସେହିପରି ଈଶା ଫାଉଣ୍ଡେସନ ବିରୋଧରେ ଏକାଧିକ ଅପରାଧିକ ମାମଲା ତଥା ଏହାର ଜଣେ ଡାକ୍ତରଙ୍କ ବିରୋଧରେ ପୋକ୍ସୋ ଆଇନ ଅନୁସାରେ ମାମଲା ରହିଥିବା ଆବେଦନରେ କୁହାଯାଇଥିଲା।

ମାଡ୍ରାସ ହାଇକୋର୍ଟରେ ଶୁଣାଣି

ସେପ୍ଟେମ୍ବର ୩୦ ତାରିଖରେ ମାଡ୍ରାସ ହାଇକୋର୍ଟ ଏସ୍ କାମରାଜଙ୍କ ଆବେଦନ ଉପରେ ଶୁଣାଣି କରିଥିଲେ। ଏହି ସମୟରେ ଫାଉଣ୍ଡେସନର ଅଭ୍ୟାସକୁ ନେଇ ପ୍ରଶ୍ନ ଉଠାଇଥିଲେ ମାଡ୍ରାସ ହାଇକୋର୍ଟ। ନିଜ ଝିଅ ବିବାହିତ ହୋଇ ସ୍ଵାମୀ ଓ ପରିବାର ସହ ରହୁଥିବାବେଳେ ସଦଗୁରୁ କାହିଁକି ଅନ୍ୟ ମହିଳାମାନଙ୍କୁ ସନ୍ୟାସୀ ଭାବରେ ବଞ୍ଚିବାକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ହାଇକୋର୍ଟ ପ୍ରଶ୍ନ କରିଥିଲେ।

ମାଡ୍ରାସ ହାଇକୋର୍ଟରେ ଶୁଣାଣିବେଳେ ଏସ୍ କାମରାଜଙ୍କ ଝିଅମାନେ ବୟାନ ରଖିଥିଲେ। ସେମାନେ ନିଜ ଇଚ୍ଛାରେ ଈଶା ଫାଉଣ୍ଡେସନ ଯୋଡ଼ି ହୋଇ ସନ୍ୟାସ ଗ୍ରହଣ କରିଛନ୍ତି ବୋଲି ବିଚାରପତିଙ୍କୁ ଜଣାଇଥିଲେ।  

ତେବେ ମାଡ୍ରାସ ହାଇକୋର୍ଟ ଈଶା ଫାଉଣ୍ଡେସନ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଅକ୍ଟୋବର ୧ ତାରିଖରେ କୋଏମ୍ବାଟୁର ଗ୍ରାମୀଣ ପୋଲିସର ଏକ ଟିମ୍ ଈଶା ଫାଉଣ୍ଡେସନ ଆଶ୍ରମରେ ତଦନ୍ତ କରିଥିଲେ। ସେମାନେ ଆଶ୍ରମର କିଛି ସନ୍ୟାସୀଙ୍କୁ ପଚରାଉଚରା କରିଥିଲେ।

ସବୁ ଅଭିଯୋଗ ଭିତ୍ତିହୀନ – ଈଶା ଫାଉଣ୍ଡେସନ

ମାଡ୍ରାସ ହାଇକୋର୍ଟଙ୍କ ଶୁଣାଣି ପରେ ଈଶା ଫାଉଣ୍ଡେସନ ଏକ ବିବୃତି ଜାରି କରି ସବୁ ଅଭିଯୋଗକୁ ଭିତ୍ତିହୀନ ବୋଲି କହି ଖଣ୍ଡନ କରିଥିଲା। ବୟସ୍କ ବ୍ୟକ୍ତିଙ୍କୁ ସେମାନଙ୍କର ମାର୍ଗ ବାଛିବା ପାଇଁ ସ୍ୱାଧୀନତା ଅଛି। ଫାଉଣ୍ଡେସନ ପକ୍ଷରୁ ବ୍ୟକ୍ତିବିଶେଷଙ୍କୁ ବିବାହ କରିବା କିମ୍ବା ସନ୍ନ୍ୟାସ ନେବା ପାଇଁ ଉତ୍ସାହିତ କରାଯାଉନାହିଁ ବୋଲି କୁହାଯାଇଛି।

ଫାଉଣ୍ଡେସନ ବିରୋଧରେ ପୂର୍ବରୁ ରହିଛି ଅନେକ ମାମଲା

୨୦୧୬ ମସିହାରେ ଏସ୍ କାମରାଜଙ୍କ ପତ୍ନୀ ମଧ୍ୟ ଈଶା ଫାଉଣ୍ଡେସନ ବିରୋଧ ମାଡ୍ରାସ ହାଇକୋର୍ଟରେ ଅଭିଯୋଗ କରିଥିଲେ। ତାଙ୍କ ଝିଅଙ୍କୁ ଈଶା ଫାଉଣ୍ଡେସନରେ ବ୍ରେନ ୱାସ୍ କରାଯାଇଥିବା ସେ ନିଜ ଆବେଦନରେ ଦର୍ଶାଇଥିଲେ। ତେବେ ହାଇକୋର୍ଟ ଏହି ମାମଲାକୁ ଖାରଜ କରିଦେଇଥିଲେ।

ସେହିବର୍ଷ ତୁତିକୋରିନର ତାମିଲ ସେଲଭି ନାମକ ଜଣେ ମହିଳା ଫାଉଣ୍ଡେସନ ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ତାଙ୍କ ପୁଅ ଜଣେ ସଫ୍ଟୱେର ଇଂଜିନିୟର ଥିବାବେଳେ ଈଶା ଫାଉଣ୍ଡେସନ ଯୋଗ ଶିକ୍ଷା ନେଉଥିଲେ। ଏହାପରେ ବ୍ରେନ ୱାସ୍ କରାଯାଇ ତାଙ୍କୁ ସନ୍ନ୍ୟାସୀ କରାଯାଇଥିବା ମହିଳାଜଣଙ୍କ ଅଭିଯୋଗ କରିଥିଲେ।

Tags: #IshaFoundation #SupremeCourt #MadrasHighCourt #PoliceCase #Coimbatore #TamilNadu

LEAVE A REPLY

Please enter your comment!
Please enter your name here