ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲା ଆବୁଝମାଡ଼ ଜଙ୍ଗଲରେ ପୋଲିସ ପକ୍ଷରୁ ବଡ଼ ଧରଣର ମାଓ ବିରୋଧୀ ଅଭିଯାନ କରାଯାଇଛି। ଏଥିରେ ୩୬ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବାବେଳେ ଏବେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି। 

ଦନ୍ତେୱାଡା-ନାରାୟଣପୁର ସୀମାନ୍ତ ଜଙ୍ଗଲରେ ଅନେକ ମାଓବାଦୀ କ୍ୟାମ୍ପ କରି ରହିଥିବା ନେଇ ପୋଲିସକୁ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ଯାହାକୁ ଆଧାର କରି ଛତିଶଗଡ଼ ପୋଲିସର ଏସଟିଏଫ ଓ ଡିଆରଜି ବାହିନୀ ପକ୍ଷରୁ ଉକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା।  

କୁମ୍ବିଂ ଅପରେସନବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ ‌ହୋଇଥିଲେ। ପୋଲିସଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ। ପରେ ସୁରକ୍ଷାକର୍ମୀ ଏହାର ପାଲଟା ଜବାବ ଦେଇଥିଲେ। ତେବେ ମାଓବାଦୀମାନେ ଏତେ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ସାମ୍ନା କରିପାରି ନଥିଲେ। ଏଥିରେ ୩୬ ଜଣ ମାଓବାଦୀ ନିହତ ହୋଇଥିବାବେଳେ ଅନ୍ୟମାନେ ଖସି ପଳାଇଥିଲେ। ଏହି ଅପରେସନରେ ଅନେକ ଟପ୍ କମାଣ୍ଡରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

“ନାରାୟଣପୁର-ଦନ୍ତେୱାଡା ଜିଲ୍ଲାର ସୀମା ଆବୁଝମାଡର ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୩୬ ଜଣ ମାଓବାଦୀ ନିହତ ହୋଇଛନ୍ତି। ଶୁକ୍ରବାର ରାତି ସୁଦ୍ଧା ୧୪ ଜଣଙ୍କ ମୃତଦେହକୁ ଠାବ କରାଯାଇଥିଲା। ଅନ୍ୟ ମୃତଦେହଗୁଡ଼ିକୁ ଶନିବାର ସକାଳୁ ଉଦ୍ଧାର କରାଯାଇଛି। ଏଥିସହିତ ଘଟଣାସ୍ଥଳରୁ ଲାଇଟ ମେସିନ ଗନ, ଏକେ-୪୭ ରାଇଫଲ, ଇନସାସ ରାଇଫଲ, ୩-ନଟ-୩ ରାଇଫଲ ପରି ବହୁ ଅସ୍ତ୍ରଶସ୍ତ୍ର  ଏବଂ ବିସ୍ଫୋରକ ଜବତ ହୋଇଛି”, କହିଛନ୍ତି ବସ୍ତର କ୍ଷେତ୍ରର ପୋଲିସ ଆଇଜି ପି ସୁନ୍ଦରରାଜନ।

ଛତିଶଗଡ଼ ପୋଲିସର ସୂଚନା ଅନୁସାରେ, ଏହି ଅପରେସନ ସମୟରେ ଉଭୟ ପକ୍ଷରୁ ରହି ରହି ଗୁଳିମାଡ଼ କରାଯାଉଥିଲା। ଅପରେସନରେ ୪୦୦ରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ଥିଲେ। ସମସ୍ତ ସୁରକ୍ଷାକର୍ମୀ ସୁରକ୍ଷିତ ଥିବା ଜଣାଯାଇଛି।

Tags: #Police-MaoistEncounter #Maoists #Dantewada #Chhattisgarh

LEAVE A REPLY

Please enter your comment!
Please enter your name here