ଓଡ଼ିଶାଲାଇଭ୍ ବ୍ୟୁରୋ

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ୍ ଗ୍ରହଣ ଜାରି ରହିଛି। ରାଜ୍ୟର ୯୦ଟି ବିଧାନସଭା ଆସନରେ ଭୋଟରମାନେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ଏଠାରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ସକାଳ ୭ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଏହି ସବୁ ଆସନରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି।

ହରିୟାଣାରେ ୨ କୋଟିରୁ ଅଧିକ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ୨୦,୬୩୨ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏଥିରୁ ୭,୧୩୨ଟି ସହରାଞ୍ଚଳରେ ଓ ୧୩,୫୦୦ଟି ଗ୍ରାମାଞ୍ଚଳରେ ରହିଛି।

ହରିୟାଣା ବିଧାନସଭା ନିର୍ବାଚନରେ ମୋଟ ୯୦ଟି ଆସନରେ ମୋଟ ୧,୦୩୧ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ୯୩୦ ଜଣ ପୁରୁଷ ଏବଂ ୧୦୧ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।

ସେହିପରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସବୁ ମତଦାନ କେନ୍ଦ୍ରରେ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କୁ ମୁତୟନ କରାଯାଇଛି। ଏହାସହ ରାଜ୍ୟର ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଏହି ନିର୍ବାଚନରେ କଂଗ୍ରେସ ଓ ବିଜେପି ପରସ୍ପରକୁ ଟକ୍କର ଦେଉଛନ୍ତି। ତେବେ ଅନେକ ଆସନରେ ଆମ ଆଦାମୀ ପାର୍ଟି ତଥା ଅନ୍ୟ ସ୍ଵାଧୀନ ପ୍ରାର୍ଥୀମାନେ କଡ଼ା ପ୍ରତିଦ୍ଵନ୍ଦ୍ଵିତା କରୁଥିବା ଦେଖିବାକୁ ମିଳୁଛି।

୨୦୧୯ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବା ପରେ ଚଳିତବର୍ଷ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ହୋଇଥିଲା। ଶନିବାର ହରିୟାଣାରେ ଭୋଟ ଗ୍ରହଣ ସରିବା ପରେ ଅକ୍ଟୋବର ୮ ତାରିଖରେ ଉଭୟ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବ।   

Tags: #HaryanaAssemblyElections2024 #Voting #Voters #ECI #Haryana #India

LEAVE A REPLY

Please enter your comment!
Please enter your name here