ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ବାୟୁସେନା ମଙ୍ଗଳବାର ନିଜର ୯୨ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଚେନ୍ନାଇର ତାମ୍ବରମ ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବାୟୁସେନା ମୁଖ୍ୟ ଅମର ପ୍ରିତ ସିଂହ ଦେଶକୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାୟୁସେନାର ଲଢୁଆ ବିମାନ ବିଭିନ୍ନ ଯୁଦ୍ଧ କୌଶଳ ପ୍ରଦର୍ଶନ କରିଥିଲେ। ଏହାସହ ବାୟୁସେନାର ଯବାନମାନେ ଭବ୍ୟ ପରେଡ ପ୍ରଦର୍ଶନ କରିଥିଲେ।
ଦେଶର ସୁରକ୍ଷା ପାଇଁ ବାୟୁସେନା ସବୁବେଳେ ସଜାଗ ବୋଲି ଦେଶବାସୀଙ୍କୁ କହିଥିଲେ ବାୟୁସେନା ମୁଖ୍ୟ ଅମର ପ୍ରିତ ସିଂହ। ସୀମା ଉପରେ ଏକ ତୀକ୍ଷଣ ନଜର ରଖି ବାୟୁସେନା ନିଜକୁ ପ୍ରସ୍ତୁତ ରଖିଛି ବୋଲି ସେ ନିଜ ସମ୍ବୋଧନରେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ତେଜସ ଯୁଦ୍ଧ ବିମାନ ନିଜର ପରାକ୍ରମ ଦେଖାଇଥିଲା। ତେଜସ ସହିତ ସୁଖୋଇ-୩୦ ଯୁଦ୍ଧ ବିମାନ ଆକାଶରେ ଶକ୍ତି ପ୍ରଦର୍ଶନ କରିଥିଲା।
ସେହିପରି ମିଗ-୨୯, ସି-ଗ୍ଲୋବେମାଷ୍ଟର, ଆପାଚେ ଓ ଚିନୁକ ହେଲିକପ୍ଟର ମଧ୍ୟ ଆକାଶରେ ଶକ୍ତି ପ୍ରଦର୍ଶନ କରିଥିଲା। ଅନ୍ୟ ବିମାନ ଏବଂ ହେଲିକପ୍ଟର ସମେତ ସମୁଦାୟ ୪୦ରୁ ବିମାନ ଆଜି ଉଡ଼ାଣ ଭରିଥିଲା।

୧୯୩୨ ମସିହା ଅକ୍ଟୋବର ୮ ତାରିଖରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥିଲା। ଏଥିଲାଗି ପ୍ରତିବର୍ଷ ଅକ୍ଟୋବର ୮ ତାରିଖକୁ ଭାରତୀୟ ବାୟୁସେନା ଦିବସ ଭାବରେ ପାଳନ କରାଯାଉଛି। ଚଳିତ ବର୍ଷ ବାୟୁସେନା ଦିବସର ଥିମ୍ ରହିଛି ‘ଭାରତୀୟ ବାୟୁସେନା- ସକ୍ଷମ, ସଶକ୍ତ ଓ ଆତ୍ମନିର୍ଭର’।
Tags: #IndianAirForceDay #AirForce #Chennai #AirShow #India