ମିନତି ମିଶ୍ର

ଦୀର୍ଘ ୧୦ ବର୍ଷ ପରେ ଜମ୍ମୁ-କଶ୍ମୀରରେ ହେଲା ନିର୍ବାଚନ। ବିଧାନସଭା ନିର୍ବାଚନରେ ବାଜି ମାରିଛି ଏନସି-କଂଗ୍ରେସ ମେଣ୍ଟ। ଏବେ ଜମ୍ମୁ-କଶ୍ମୀରରେ ଚାଲିବ ମେଣ୍ଟ ରାଜୁତି।

ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ-କଶ୍ମୀରରେ ହୋଇଛି ପ୍ରଥମ ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ବେଳେ ଦେଖିବାକୁ ମିଳିଥିଲା ମହାମୁକାବୁଲା। ଜମ୍ମୁ-କଶ୍ମୀରର ୯୦ ଆସନରୁ ୪୮ଟିରେ ବିଜୟ ହାସଲ କରିଛି ନାସନାଲ କନଫରେନ୍ସ (ଏନସି) ଏବଂ କଂଗ୍ରେସ ମେଣ୍ଟ। ଏହି କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଥମ ମୁଖ୍ୟମନ୍ତ୍ରୀ ହେବେ ନାସନାଲ କନଫରେନ୍ସର ଓମାର ଅବଦୁଲ୍ଲା।

ଜମ୍ମୁ-କଶ୍ମୀର ବିଧାନସଭା ନର୍ବାଚନରେ କଂଗ୍ରେସ ୩୨ଟି ଆସନରେ ଲଢ଼ିଥିବାବେଳେ ନାସନାଲ କନଫରେନ୍ସ ୫୧ଟି ଆସନରେ ଲଢୁଥିଲା । ଏହା ବ୍ୟତୀତ ୭ଟି ଆସନରେ ଏହି ଦୁଇଦଳ ଫ୍ରେଣ୍ଡଲି ଫାଇଟ କରୁଥିଲେ। ବନିହାଲ, ଡୋଡା, ଭଦ୍ରବାହ, ନଗରୋଟା, ସେପୋର, ବାରମୁଲା ଏବଂ ଦେବସର ପରି ଆସନରେ ଉଭୟେ ପ୍ରାର୍ଥୀ ଦେଇଥିଲେ। ଏଠାରେ ତିନୋଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ତିନୋଟି ପର୍ଯ୍ୟାୟକୁ ମିଶାଇଲେ ମୋଟ ୬୩.୪୫ ପ୍ରତିଶତ ମତଦାନ ହୋଇଥିଲା। ଜମ୍ମୁ-କଶ୍ମୀରରେ ନାସନାଲ କନଫରେନ୍ସ ୪୨ଟି ଆସନରେ ଜିତିଥିବାବେଳେ କଂଗ୍ରେସକୁ ମିଳିଛି ୬ ଆସନ। ସେହିପରି ବିଜେପି ୨୯ଟି ଆସନ ଅକ୍ତିଆର କରିଥିବାବେଳେ ସ୍ଵାଧୀନ ୭ଟି ଓ ପିଡିପି ୩ଟି ଆସନ ହାତେଇବାରେ ସକ୍ଷମ ହୋଇଛି।

ଭୟ ଓ ଆତଙ୍କ ଭିତରେ ଚାଲିଥିଲା ମତଦାନ

ଆତଙ୍କ ଏବଂ ଭୟ ମଧ୍ୟରେ ମତଦାନ କରିତିଲେ ଜମ୍ମୁ-କଶ୍ମୀର ଭୋଟର। ଆଜିର ନିର୍ବାଚନ ଫଳାଫଳ ଜଣାଇଦେଲା କେଉଁ ଦଳ ଉପରେ କେତେ ରହିଛି ଜନତାଙ୍କ ବିଶ୍ୱାସ। ଜମ୍ମୁକାଶ୍ମୀରରୁ ୩୭୦ ଧାରା ହଟିବା ପରେ ଜନ ସମର୍ଥନ ପାଇବାକୁ ବିଜେପି ଆଶା ରଖିଥିବାବେଳେ ଆଖିଦୃଶିଆ ସଫଳତା ମିଳିପାରିଲା ନାହିଁ ବୋଲି ରାଜନୈକ କରିଡୋରରେ ଚର୍ଚ୍ଚା ହେଉଛି।

ଜମ୍ମୁ-କଶ୍ମୀର ଫଳାଫଳ ଇଣ୍ଡି ମେଣ୍ଟକୁ ମଜବୁତ କରିବ

ଏବେ ଜମ୍ମୁ-କଶ୍ମୀରରେ ନାସନାଲ କନଫରେନ୍ସ-କଂଗ୍ରେସ ମିଶି ସରକାର ଗଢ଼ବେ। ଏହି ନିର୍ବାଚନ ଫଳାଫଳ ଇଣ୍ଡି ମେଣ୍ଟକୁ ଜାତୀୟ ସ୍ତରରେ ଆହୁରି ମଜବୁତ କରିବ। ତେବେ ପିଡିପିକୁ ନିଜର ପ୍ରତିଶ୍ରୁତି, ଭୋଟ ବ୍ୟାଙ୍କ, କାର୍ଯ୍ୟଶୈଳୀ ଉପରେ ପୁଣି ଥରେ ବିଚାର କରିବାକୁ ପଡ଼ିବ ରାଜନେତିକ ମହଲରେ ମତ ପ୍ରକାଶ ପାଇଛି। 

ପଲଟି ଯାଇପାରେ ବାଜି!

ଏନସି-କଂଗ୍ରେସ ମେଣ୍ଟ କ୍ଷମତାକୁ ଆସିବା ପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଆଲୋଚନା ଆରମ୍ଭ ହୋଇଛି। ଏକଥା ବି କୁହାଯାଉଛି, ଅବଦୁଲ୍ଲା ପରିବାର ପାଇଁ ବିଜେପି ଅଛୁଆଁ ନୁହେଁ। ଫାରୁକ ଅବଦୁଲ୍ଲାଙ୍କ ପୁଅ ଓମାର ଅବଦୁଲ୍ଲା ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମନ୍ତ୍ରୀପଦ ପାଇଥିଲେ। ଏପରିକି ଦୁଇ ଦିନ ପୂର୍ବରୁ ଓମାର ଅବଦୁଲ୍ଲା ମୋଦୀ ସରକାରଙ୍କର ପ୍ରଶଂସା ବି କରିଥିଲେ।

ଯଦି ଖେଳ ପଲଟି ଯାଏ ଏବଂ ଓମାର ଅବଦୁଲ୍ଲାଙ୍କ ମନ ପରିବର୍ତ୍ତନ ହୋଇଯାଏ, ତେବେ କିଛି ବି ହୋଇପାରେ। କାରଣ ରାଜନୀତିରେ କେହି କାହାର ଶତ୍ରୁ ନୁହଁନ୍ତ କି ମିତ୍ର ବୋଲି ରାଜନୀତି ପଣ୍ଡିତମାନେ ମତ ଦେଇଛନ୍ତି।  

୨୦୧୯ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବା ପରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ହୋଇଛି। ଏଠାରେ ୩ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୬୧.୩୮ ପ୍ରତିଶତ, ଦ୍ଵିତୀୟ ପର୍ଯ୍ୟାୟରେ ୫୭.୩୧ ପ୍ରତିଶତ ଏବଂ ତୃତୀୟ ପର୍ଯ୍ୟାୟରେ ୬୫.୪୮ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା।

Tags: #JammuKashmir #Results #AssemblyElections #Congress #NationalConference #BJP #Politics #OmerAbdullah

LEAVE A REPLY

Please enter your comment!
Please enter your name here