ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ହରିୟାଣା ଓ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଗୁରୁବାର ହରିୟାଣାରେ ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ସହ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ସାମିଲ ହେବେ। ଏହାପରେ ମୁଖ୍ୟମନ୍ତ୍ରୀ ମୁମ୍ବାଇରେ ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା କନକ୍ଲେଭ ପାଇଁ ‘ନିବେଶକ ସମ୍ମିଳନୀ’ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ସନ୍ଧ୍ୟାରେ ହରିୟାଣା ଅଭିମୁଖେ ବହରିବେ। ଗୁରୁବାର ସେ ଚଣ୍ଡିଗଡ଼ରେ ହରିୟାଣାର ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ। ଏହାପରେ ସନ୍ଧ୍ୟାବେଳେ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ସାମିଲ ହେବେ। ସେଠାରୁ ମୁମ୍ବାଇ ଅଭିମୁଖେ ବହାରିବେ ମୁଖ୍ୟମନ୍ତ୍ରୀ।

ଅକ୍ଟୋବର ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ମୁମ୍ବାଇରେ ଭାରତୀୟ ରସାୟନିକ ଏବଂ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ସମ୍ଭାବନା ସମ୍ବନ୍ଧିତ ଏକ ସମ୍ମିଳନୀରେ ଯୋଗ ଦେବେ। ଏହାପରେ ଅକ୍ଟୋବର ୧୯ ତାରିଖରେ ଉତ୍କର୍ଷ ଓଡ଼ିଶା ମେକ୍ ଇନ ଓଡ଼ିଶା କନକ୍ଲେଭ ପାଇଁ ଏଠାରେ ‘ନିବେଶକ ସମ୍ମିଳନୀ’ରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ।

ଏହି ନିବେଶକ ସମ୍ମିଳନୀରେ ଦେଶ ବିଦେଶର ଉଦ୍ୟୋଗୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ଏଠାରେ ସେମାନଙ୍କୁ ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ତଥା ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ଦିଆଯିବ। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସମେତ ରାଜ୍ୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ଏହାପରେ ଅକ୍ଟୋବର ୧୯ ତାରିଖ ରାତିରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିଆସିବେ।

Tags: #MohanCharanMajhi #CMOOdisha #Haryana #MumbaiVisit #BJP

Comment