ଓଡ଼ିଶାଲାଇଭ୍ ବ୍ୟୁରୋ

ମୁମ୍ବାଇରେ ଆୟୋଜିତ ‘ଇଣ୍ଡିଆ କେମ ୨୦୨୪’ ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

କେନ୍ଦ୍ର ରସାୟନ ଓ ସାର ମନ୍ତ୍ରାଳୟ ପକ୍ଷରୁ ମୁମ୍ବାଇରେ ଅନୁଷ୍ଠିତ ହୋଇଛି ‘ଇଣ୍ଡିଆ କେମ ୨୦୨୪’ ସମ୍ମିଳନୀ। ଶୁକ୍ରବାର ଏହି ସମ୍ମିଳନୀର ଏକ ବିଶେଷ ଅଧିବେଶନରେ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଜେ ପି ନଡ୍ଡା ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାରେ ରସାୟନ ଓ ସାର ଉଦ୍ୟୋଗ କ୍ଷେତ୍ରରେ ଥିବା ସୁଯୋଗ ଓ ସମ୍ଭାବନା ବିଷୟରେ ଆଲୋକପାତ କରିଥିଲେ।

“ବିଶ୍ଵରେ ରସାୟନ ଉଦ୍ୟୋଗ କ୍ଷେତ୍ରରେ ଭାରତର ବିଶେଷ ଯୋଗଦାନ ରହିଛି। ଏହି କ୍ଷେତ୍ରରେ ଶିଳ୍ପ ତଥା ନିବେଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ସୁବିଧା ଯୋଗାଇ ଦିଆଯାଉଛି। ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ଓଡ଼ିଶା ମଧ୍ୟ ନିଜର ଯୋଗଦାନକୁ ଆହୁରି ସଶକ୍ତ କରିଛି। ରସାୟନ ଶିଳ୍ପ କ୍ଷେତ୍ରରେ ନୂତନ ଉଦ୍ୟୋଗ ସହିତ ନିବେଶ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବା ଲାଗି ଓଡ଼ିଶା ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

“ନିବେଶକଙ୍କ ନିମନ୍ତେ ଓଡ଼ିଶାକୁ ଦେଶର ଏକ ପ୍ରମୁଖ ନିବେଶ ସ୍ଥଳରେ ପରିଣତ କରିବା ପାଇଁ ଆମେ ପ୍ରତିବଦ୍ଧ। ଯାହାକି ଆଗାମୀ ଦିନରେ ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା ନିର୍ମାଣରେ ପ୍ରମୁଖ ଭୂମିକା ନେବା ସହିତ ଭାରତର ଆର୍ଥିକ ପ୍ରଗତିରେ ନିଶ୍ଚୟ ସହାୟକ ହେବ। ଏହାକୁ ଆହୁରି ତ୍ୱରାନ୍ୱିତ କରିବା ନିମନ୍ତେ ‘ଉତ୍କର୍ଷ ଓଡ଼ିଶା ସମ୍ମିଳନୀ’ ଆୟୋଜନ କରିବାକୁ ଯାଉଛି। ମୁଁ ଏଥିରେ ଯୋଗ ଦେବା ପାଇଁ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି।”

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଶିଳ୍ପ ନୀତି ତଥା ରସାୟନ ଶିଳ୍ପ କ୍ଷେତ୍ରରେ ଦିଆଯାଉଥିବା ପ୍ରୋତ୍ସାହନ ବାବଦରେ ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିଥିଲେ।

ସମ୍ମିଳନୀରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ, କେନ୍ଦ୍ର ରସାୟନ ଓ ସାର ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ, ଓଡ଼ିଶାର ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ଫିକି ଜାତୀୟ ରସାୟନ କମିଟିର ସଭାପତି ଦୀପକ ସି ମେହେତା ପ୍ରମୁଖ ଯୋଗ ଦେଇଥିଲେ।     

Tags: #IndiaChem2024 #ChemicalIndustry #Investment #CMMohanCharanMajhi #Odisha

LEAVE A REPLY

Please enter your comment!
Please enter your name here